ନେତାଜୀ ଆଉ ନାହାନ୍ତି
୮୨ ବର୍ଷରେ ମୁଲାୟମଙ୍କ ପରଲୋକ
ମଙ୍ଗଳବାର ପୈତୃକ ଗ୍ରାମରେ ଅନ୍ତ୍ୟେଷ୍ଟି
ଲକ୍ଷ୍ନୌ/ ନୂଆଦିଲ୍ଲୀ/ଭୁବନେଶ୍ୱର, ୧୦ା୧୦: ସମାଜବାଦୀ ପାର୍ଟିର ସଂରକ୍ଷକ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କର ସୋମବାର ସକାଳେ ୮୨ ବର୍ଷ ବୟସରେ ପରଲୋକ ଘଟିଛି । ସମାଜବାଦୀ ପାର୍ଟିର କର୍ମୀ ମହଲରେ ନେତାଜୀ ନାମରେ ପରିଚିତ ମୁଲାୟମ ଦୁଇ ବର୍ଷ ହେଲା ସେ ଅସୁସ୍ଥ ଥିଲେ । ଗତବର୍ଷ ସେ କରୋନା ସଂକ୍ରମିତ ହୋଇଥିଲେ । ଗତ ମାସ ୨୬ ତାରିଖ ଦିନ ତାଙ୍କୁ ଚେକ୍ଅପ୍ ପାଇଁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିଲା । ସେବେଠାରୁ ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲା । ୟୁରିନ୍ ଓ ବିପି ସମସ୍ୟା ବଢ଼ିବାରୁ ତାଙ୍କୁ ଅକ୍ଟୋବର ୨ତାରିଖ ଦିନ ଆଇସିୟୁକୁ ସ୍ଥାନାନ୍ତର କରାଗଲା । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟ୍ୱିଟ୍ କରି ପିତାଙ୍କ ମୃତୁ୍ୟ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ । ସେଥିରେ ସେ ଲେଖିଥିଲେ- ମୋର ଆଦରଣୀୟ ପିତାଜୀ ଏବଂ ସମସ୍ତଙ୍କ ନେତାଜୀ ଆଉ ନାହାନ୍ତି । ଏହି ହସ୍ପିଟାଲରେ ୯୩ ଦିନ ପୂର୍ବେ ମୁଲାୟମଙ୍କ ଦ୍ୱିତୀୟ ପନôୀ ସାଧନା ଗୁପ୍ତାଙ୍କ ଦେହାନ୍ତ ହୋଇଥିଲା ।
ମଙ୍ଗଳବାର ଅପରାହ୍ଣରେ ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲା ଅନ୍ତର୍ଗତ ପୈତୃକ ଗ୍ରାମ ସୈଫଈ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ସୋମବାର ସନ୍ଧ୍ୟାରେ ମୁଲାୟମଙ୍କ ମରଶରୀର ସୈଫଈ ଠାରେ ପହଞ୍ଚôବା ପରେ ଅନ୍ତିମ ଦର୍ଶନ ପାଇଁ ପହଞ୍ଚôଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଲାୟମଙ୍କ ପରଲୋକରେ ଉତ୍ତର ପ୍ରଦେଶ ସରକାର ୩ଦିନ ଓ ବିହାର ସରକାର ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ରାଜନେତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ସୋମବାର ଗୁଜରାଟର ଭରୁଚ ଠାରେ ଜନସଭାରେ ଉଦ୍ବୋଧନ ଦେବାବେଳେ ପ୍ରଥମରୁ ମୁଲାୟମ ସିଂହ ଯାଦବଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରି କହିଛନ୍ତି, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ମୃତୁ୍ୟ ଖବର ଶୁଣି ମୁଁ ଗଭୀର ମର୍ମାହତ । କୁପ୍ରଥାକୁ ଉଚ୍ଛେଦ କ୍ଷେତ୍ରରେ ସମାଜିକ ନେତା ମୁଲାୟମଙ୍କ ଯୋଗଦାନ ସବୁବେଳେ ମନେରହିବ । ଶୋକସନ୍ତପ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।