କରୋନା ଟିକା ସଞ୍ଜୀବନୀ ନା ପ୍ରାଣଘାତୀ?

୧୮ରୁ ୩୯ବର୍ଷୀୟଙ୍କ ଠାରେ ୮୪% ହାର୍ଟ ଆଟାକ୍ ଆଶଙ୍କା
ଫ୍ଲୋରିଡା/ନୂଆଦିଲ୍ଲୀ (ଏଜେନ୍ସି): କରୋନା ଭଳି ମହାମାରୀରୁ ମୁକ୍ତି ପାଇବା ପାଇଁ ସାଧାରଣ ଲୋକେ କରୋନା ଟିକା ନେଉଛନ୍ତି । ତେବେ ଟିକା ନେବା ପୂର୍ବରୁ ଏହା କେଉଁ ବର୍ଗର ଏବଂ ଏହା କେତେ ସୁରକ୍ଷିତ ସେସମ୍ପର୍କରେ ଥରୁଟିଏ ବିଚାର କରିବା ଉଚିତ୍ । ବିଶେଷକରି ସାମ୍ନାକୁ ଆସିଥିବା ଏକ ସର୍ଭେ ରିପୋର୍ଟରୁ ଏପ୍ରକାର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହାକି ସମଗ୍ର ବିଶ୍ୱବାସୀଙ୍କ ନିଦ ହଜାଇଦେଇଛି । ଫାଇଜର-ବାୟୋଏନ୍ଟେକ୍ ଏବଂ ମଡର୍ଣ୍ଣା ଟିକା ଏମ୍ଆର୍ଏନ୍ଏ ବର୍ଗର ହୋଇଥିବା ବେଳେ ଏହି ଟିକାଗୁଡ଼ିକୁ ଗ୍ରହଣ କରିଥିବା ଲୋକେ ମାତ୍ରାଧିକ ଭୟଭୀତ ହୋଇପଡିଛନ୍ତି ।
ଆମେରିକାର ଫ୍ଲୋରିଡା ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ସର୍ଭେ ରିପୋର୍ଟ ଅନୁସାରେ କୋଭିଡ୍ ସଂକ୍ରମଣ ରୋକିବା ଦିଗରେ ବ୍ୟବହୃତ ହେଉଥିବା ଏମ୍ଆର୍ଏନ୍ଏ ଟିକା ହାର୍ଟ ସମସ୍ୟା ବଢ଼ାଇବା ସହିତ ତତ୍ସମ୍ବନ୍ଧୀୟ ମୃତୁ୍ୟ ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିବାରେ ସହାୟକ ହେଉଛି । ବିଶେଷତଃ ଏମ୍ଆରଏନ୍ଏ ଟିକା ଗ୍ରହଣ କରୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୧୮ ରୁ ୩୯ ବର୍ଷ ବୟସ୍କ ପୁରୁଷମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଥିବା ଏକ ଗବେଷଣାରୁ ଜଣାପଡ଼ିଛି । ସିଧାଅର୍ଥରେ କହିଲେ ଏମ୍ଆର୍ଏନ୍ଏ ଟିକା ନେବାର ୨୮ ଦିନ ମଧ୍ୟରେ ୧୮-୩୯ ବର୍ଷ ବୟସ୍କଙ୍କ ଠାରେ ହୃଦ୍ଘାତ ହେବାର ଆଶଙ୍କା ପ୍ରାୟ ୮୪% ପର୍ଯ୍ୟନ୍ତ ବୃଦ୍ଧି ପାଉଛି । ତେବେ ହାର୍ଟ ସମସ୍ୟା ଥିବା ଲୋକେ କରୋନା ଟିକା ନେବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ସେହିପରି ଯେଉଁମାନେ ଏମ୍ଆର୍ଏନ୍ଏ କୋଭିଡ୍ ଟିକା ନେଉନାହାନ୍ତି ସେମାନଙ୍କ ପାଇଁ ଚିନ୍ତା କରିବାର କୌଣସି କାରଣ ନଥିବା ମଧ୍ୟ ସର୍ଭେ ରିପୋର୍ଟ ସ୍ପଷ୍ଟ କରିଛି ।
ଏପରିସ୍ଥଳେ, ସର୍ଭେ ରିପୋର୍ଟ କିନ୍ତୁ କୋଟି କୋଟି ଭାରତୀୟଙ୍କ ଆଶ୍ୱସ୍ତ କରିଛି । ସର୍ଭେ ରିପୋର୍ଟ ଅନୁସାରେ ଭାରତରେ ସର୍ବାଧିକ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକାକୁ ବ୍ୟବହାର କରାଯାଇଛି । ତେବେ ଏହି ଦୁଇ ଟିକା ଏମ୍ଆର୍ଏନ୍ଏ ଫର୍ମୁଲା ଅନ୍ତର୍ଗତ ପ୍ରସ୍ତୁତ କରାଯାଇନଥିବାରୁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ । କୋଭାକ୍ସିନ୍ ହୋଲ୍-ଭିରିଅନ୍ ଇନ୍ଆକ୍ଟିଭେଟେଡ୍ ଭେରୋ ସେଲ୍ ଟେକ୍ନୋଲୋଜି ଅନ୍ତର୍ଗତ ପ୍ରସ୍ତୁତ କରାଯାଇଥିବା ବେଳେ କୋଭିସିଲ୍ଡରେ ମଣିଷ ଶରୀରରେ କରୋନା ଭାଇରସ୍ ପ୍ରତିରୋଧକ ପ୍ରୋଟିନ୍ ପ୍ରସ୍ତୁତ କରିବାରେ ସହାୟକ ହେବା ଟେକ୍ନୋଲୋଜି (ନନ୍ ରେପ୍ଲିକେଟିଂ ଭାଇରସ୍ ଟେକ୍ନୋଲୋଜି)କୁ ବ୍ୟବହାର କରାଯାଇଛି । ଫ୍ଲୋରିଡାର ସର୍ଜନ ଜେନେରାଲ ଡାକ୍ତର ଜୋଶେଫ ଏ ଲାଡାପୋ କହିଛନ୍ତି, ଏପ୍ରକାର ସର୍ଭେ ରିପୋର୍ଟ ବାସ୍ତବିକ ଚିନ୍ତାଜନକ । ସୁତରାଂ କୋଭିଡ୍-୧୯ ଏମ୍ଆରଏନ୍ଏ ଟିକା ଉପରେ ଅଧିକରୁ ଅଧିକ ବିଶ୍ଳେଷଣ ତଥା ଅନୁସନ୍ଧାନ କରାଯିବାର ଆବଶ୍ୟକତା ରହିଛି । ତେବେ ଜନସାଧାରଣ ଏଦିଗରେ ସଚେତନ ହେବା ଆବଶ୍ୟକ । ଏହି ବିଶ୍ଳେଷଣରୁ ଜଣାପଡିଥିବା ସତ୍ୟକୁ ଲୁଚାଇ ରଖାଯାଇପାରିବ ନାହିଁ ବୋଲି ସେ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି । ଏମ୍ଆରଏନ୍ଏ କୋଭିଡ୍ ଟିକା ପ୍ରସ୍ତୁତ କ୍ଷେତ୍ରରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ପ୍ରତି ପ୍ରକୃତପକ୍ଷେ କମ ଧ୍ୟାନ ଦିଆଯାଇଛି ଏବଂ ଅନେକ ବ୍ୟକ୍ତିଙ୍କ ଚିନ୍ତାଧାରାକୁ ଖଣ୍ଡନ କରାଯାଇଛି ବୋଲି ସେ ଦର୍ଶାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *