ଆକାଉଣ୍ଟ୍ରୁ ଲୁଟିନେଲେ ୧.୬ ଲକ୍ଷ
ଅନୁଗୁଳ (ଆପ୍ର): ସାଇବର ଠକେଇରୁ ନିସ୍ତାର ନାହିଁ । ଅନଲାଇନ୍ ଲୁଟେରାଙ୍କ ଟାର୍ଗେଟ୍ରେ ରହିଛି ଶିଳ୍ପନଗରୀ । ନିୟମିତ ଅନଲାଇନ୍ ଲୁଟ୍ କରି ସାଇବର ଠକ ଆତଙ୍କ ଖେଳାଇଥିବା ବେଳେ ଦଶହରା ସମୟରେ ଲକ୍ଷାଧିକ ଟଙ୍କାର ଅନଲାଇନ୍ ଲୁଟ୍ ହୋଇଛି । ଅଦୃଶ୍ୟ ଲୁଟେରା ଜଣେ ଯୁବକଙ୍କ ଠାରୁ ୯୨ ହଜାର ଟଙ୍କା ଲୁଟି ନେଇଛନ୍ତି । ଅନ୍ୟ ଜଣଙ୍କୁ ୧୪ ହଜାର ଟଙ୍କାର ଚୂନ ଲଗାଇଛନ୍ତି । ପ୍ରାପ୍ତ ସୂଚନା ମୁତାବକ, ଅନୁଗୋଳ ସହର ବ୍ରାହ୍ମଣୀଦେଇପଡ଼ାର ବିଚିତ୍ର କୁମାର ସାହୁ ଅନଲାଇନ୍ ଲୁଟେରା ହାବୁଡ଼ରେ ପଡ଼ି ୯୨ ହଜାର ଟଙ୍କା ହରାଇଛନ୍ତି । ଗତ ୩ ତାରିଖ ଅପରାହ୍ନରେ ତାଙ୍କ ମୋବାଇଲକୁ ଏକ ଲିଙ୍କ୍ ଆସିଥିଲା । ଅନଲାଇନ୍ ଠକର ଏହି ମେସେଜ୍କୁ ବିଶ୍ୱାସ କରି ବିଚିତ୍ର ଲିଙ୍କ୍କୁ କ୍ଲିକ୍ କରିଥିଲେ । ନିଦେ୍ର୍ଦଶ ଅନୁସାରେ ସେ ବ୍ୟାଙ୍କ୍ର ତଥ୍ୟ ପ୍ରଦାନ କରିଥିଲେ । କ୍ଷଣିକ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା । ଏକାଧିକ ପର୍ଯ୍ୟାୟରେ ଅନଲାଇନ୍ ଲୁଟେରା ତାଙ୍କ ଆକାଉଣ୍ଟରୁ ୯୨ ହଜାର ଟଙ୍କା ଲୁଟି ନେଇଥିଲା ।
ଠକାମିରେ ପଡ଼ିଥିବା ଜାଣିବା ପରେ ସେ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ କେସ୍ ନଂ – ୨୮/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ସେହିପରି ତୁରଙ୍ଗ ବିକାଶନଗର ନିବାସୀ ନଟବର ପଟ୍ଟନାୟକ ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି । ଚଳିତ ମାସରେ ତାଙ୍କ ପରିବାର ପୁରୀ ଯିବାର ଥିଲା । ତେଣୁ ସେ ପୁରୀର ଏକ ହୋଟେଲରେ ରୁମ୍ ବୁକ୍ କରିବାକୁ ଚାହିଁଥିଲେ । ଏଥିପାଇଁ ଉକ୍ତ ହୋଟେଲର ମୋବାଇଲ୍ ନମ୍ବର ଗୁଗୁଲ୍ରେ ଖୋଜିଥିଲେ । ଗୁଗୁଲ୍ରେ ଉପଲବ୍ଧ ଏକ ନମ୍ବରକୁ ଫୋନ୍ କରି ରୁମ୍ ବାବଦରେ କହିଥିଲେ । ସେପଟୁ ଜଣେ ବ୍ୟକ୍ତି ନିଜକୁ ହୋଟେଲ କର୍ମଚାରୀ କହିବା ସହ ହ୍ୱାଟ୍ଆପ୍ ଜରିଆରେ ଏକ ଫୋନ୍ପେ ନମ୍ବର ଦେଇଥିଲା । ଏହି ନମ୍ବରରେ ୧୪ ହଜାର ଟଙ୍କା ଡିପୋଜିଟ୍ କଲେ ରୁମ୍ ବୁକ୍ ହୋଇଯିବ ବୋଲି କହିଥିଲା । ତା’ କଥାରେ ଭାସିଯାଇ ନଟବର ୧୪ ହଜାର ଫୋନ ପେ’ କରିଥିଲେ । ଟ୍ରାଞ୍ଜକସନ୍ ସରିବା ପରେ ନଟବର ହୋଟେଲ୍ ବୁକିଂର ରସିଦ୍ ମାଗିଥିଲେ । ରସିଦ୍ ଦେବାକୁ ଠକ ଧରାଛୁଆଁ ଦେଇନଥିଲା । ଉକ୍ତ ହୋଟେଲର ଅନ୍ୟ ଏକ ନମ୍ବରରେ ଯୋଗାଯୋଗ କରିବାରୁ ସେ ଠକେଇର ଶିକାର ହୋଇଥିବା ଜଣାପଡ଼ିଥିଲା । ଏନେଇ ନଟବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ କେସ୍ ନଂ୨୯/୨୨ରେ ମାମଲା ରୁଜୁକରି ଅନୁସନ୍ଧାନ ଚଳାଇଛି ।