ବେଲାରୁଷ୍ର ଏଲିସ୍ଙ୍କୁ ନୋବେଲ ଶାନ୍ତି
ଓସ୍ଲୋ, ୭ା୧୦: ବେଲାରୁଷରେ ମାନବାଧିକାର ପାଇଁ ୪୦ ବର୍ଷ ହେଲା କାର୍ଯ୍ୟ କରୁଥିବା ଏଲିସ୍ ବିଲିଆତ୍ସ୍କି ଏବଂ ରୁଷିଆର ମେମୋରିଆଲ୍ ଓ ୟୁକ୍ରେନ୍ର ସେଣ୍ଟର ଫର୍ ସିଭିଲ୍ ଲିବର୍ଟିଜ୍ ନାମକ ୨ ମାନବାଧିକାର ସଙ୍ଗଠନକୁ ମିଳିବ ଚଳିତ ବର୍ଷର ନୋବେଲ୍ ଶାନ୍ତି ପୁରସ୍କାର । ନରୱେ ରାଜଧାନୀ ଓସ୍ଲୋଠାରେ ଶୁକ୍ରବାର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି ।
ଏଲିସ୍ ୧୯୮୦ରେ ବେଲାରୁଷ୍ର ଏକଛତ୍ରବାଦୀ ଶାସନ ବିରୋଧରେ ଗଣତାନ୍ତ୍ରିକ ଆନେ୍ଦାଳନର ନେତୃତ୍ୱ ନେଇଥିଲେ । ଏବେବି ସେ ନିଜ ଦେଶରେ ପ୍ରକୃତ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶାନା ନାମକ ସଙ୍ଗଠନ ଜେଲ୍ରେ ଥିବା ଗଣତନ୍ତ୍ର ସମର୍ଥକମାନଙ୍କୁ ଆଇନ ସହାୟତା ଯୋଗାଇ ଆସୁଛି ।
ଏଲିସ୍ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ଜେଲ୍ରେ ଥିଲେ । ୨୦୨୦ରେ ତାଙ୍କୁ ପୁଣି ଗିରଫ କରାଗଲା ଏବଂ ଏପର୍ଯ୍ୟନ୍ତ ସେ ବନ୍ଦୀ ଜୀବନଯାପନ କରିଆସୁଛନ୍ତି ।
ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ରୁଷ୍ର ‘ମେମୋରିଆଲ୍’ ସଙ୍ଗଠନ ୧୯୮୭ରେ ଗଠିତ ହୋଇଥିଲା । ସେହି ସମୟରେ ଥିଲା ସୋଭିଏତ୍ ସଂଘ । ମେମୋରିଆଲ୍ର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ପୂର୍ବତନ ନୋବେଲ୍ ଶାନ୍ତି ବିଜେତା ଆନେ୍ଦ୍ରଇ ଶଖାରୋଭ ଅନ୍ୟତମ ।
ୟୁକ୍ରେନ୍ର ରାଜଧାନୀ କିବ୍ରେ ୨୦୦୭ରେ ଗଠିତ ସେଣ୍ଟର ଫର୍ ସିଭିଲ୍ ଲିବର୍ଟିଜ୍ ମତରେ ଏବେବି ପ୍ରକୃତ ଗଣତାନ୍ତ୍ରିକ ଶାସନ ଚାଲି ନାହିଁ । ରୁଷ୍ର ଆକ୍ରମଣ ପରଠାରୁ ଏହି ସଂସ୍ଥା ଯୁଦ୍ଧ ଅପରାଧଗୁଡିକର ଯାଞ୍ଚ କରି ଆନ୍ତର୍ଜାତିକ ଅଦାଲତରେ ମାମଲା ରୁଜୁ କରିଚାଲିଛି ।
ଶୁକ୍ରବାର ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା ପୂର୍ବରୁ ଟାଇମ୍ ମାଗାଜିନ୍ ଭାରତର ୩ଜଣ ବ୍ୟକ୍ତିଙ୍କ ନାମ ଏହି ପୁରସ୍କାର ରେସ୍ରେ ରହିଛି ବୋଲି ସୂଚନା ଦେଇଥିଲା । ସେମାନେ ହେଲେ ଫ୍ୟାକ୍ଟ ଚେକର୍ ମୋହମ୍ମଦ ଜୁବେର, ପ୍ରତୀକ ସିହ୍ନା ଓ ସାମ୍ପ୍ରଦାୟିକତା ବିରୋଧରେ କାମ କରୁଥିବା କାରୱାଁ-ଏ-ମୋହବତ୍ ସଂସ୍ଥାର ହର୍ଷ ମନ୍ଦର ।