ବିରଳ ଶୃଙ୍ଖଳା ସାଫଲ୍ୟ
ଦ୍ୱିତୀୟ ଟି-୨୦ରେ ବି ହାରିଲା ଦକ୍ଷିଣ ଆଫ୍ରିକା
ଗୌହାଟୀ, ୨ା୧୦ (ଏଜେନ୍ସି): ନିଜ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ଶୃଙ୍ଖଳା ଜିତିଛି ଟିମ୍ ଇଣ୍ଡିଆ । ରବିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଆୟୋଜକ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍ରେ ହରାଇ ୨-୦ରେ ଅପରାଜେୟ ଅଗ୍ରଣୀ ସହ ଶୃଙ୍ଖଳା କବ୍ଜା କରିଛି । ୪ ତାରିଖରେ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଔପଚାରିକ ହୋଇ ରହିଯାଇଛି ।
ପ୍ରଥମ ମ୍ୟାଚ୍କୁ ସହଜରେ ଜିତିଥିବା ଭାରତୀୟ ଟିମ୍ର ବ୍ୟାଟର୍ ଦ୍ୱିତୀୟ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରିଥିଲେ । ଜବାବରେ ୨୩୮ ରନ୍ର ବିଶାଳ ଟାର୍ଗେଟ୍ ନେଇ ଖେଳିଥିବା ଦକ୍ଷିଣ ଆଫ୍ରିକା ୩ ୱିକେଟ୍ ହରାଇ ୨୨୧ ରନ୍ କରିବାକୁ ସମର୍ଥ ହୋଇଥିଲା । ଡେଭିଡ୍ ମିଲର୍ (୪୭ ବଲ୍ରୁ ୧୦୬) ଓ କୁଇଣ୍ଟନ୍ ଡି’କକ୍ (୪୮ ବଲ୍ରୁ ୬୯) ଶେଷ ଯାଏଁ ଚେଷ୍ଟା କରିଥିଲେ ମଧ୍ୟ ମ୍ୟାଚ୍ ଜିତାଇ ପାରିନଥିଲେ ।
ଏହା ପୂର୍ବରୁ ଟିମ୍ ଇଣ୍ଡିଆ ନିଜ ମାଟିରେ କେବେ ବି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଶୃଙ୍ଖଳା ଜିତି ନ ଥିଲା । ଉଭୟ ଟିମ୍ ମଧ୍ୟରେ ୨୦୧୫ରେ ପ୍ରଥମ ଥର କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ର ଶୃଙ୍ଖଳା ଖେଳାଯାଇଥିଲା ଏବଂ ଏଥିରେ ଆୟୋଜକ ଭାରତ ୦-୨ରେ ପରାଜିତ ହୋଇଥିଲା । ଏହାପରେ ଏଠାରେ ୨୦୧୯ରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳା ୧-୧ରେ ଅମୀମାଂସିତ ରହିଥିଲା । ୨୦୨୨ରେ ହୋଇଥିବା ଶୃଙ୍ଖଳା ୨-୨ରେ ବରାବର ରହିଥିଲା ।
ଦକ୍ଷିଣ ଆଫ୍ରିକା ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧ ରନ୍ରେ ଦୁଇ ୱିକେଟ୍ ହରାଇଥିଲା । ଅଧିନାୟକ ଟେମ୍ବା ବାଭୁମା ଓ ରିଲୀ ରୋସୋଙ୍କୁ ଅର୍ଶଦୀପ ବିନା ସ୍କୋର୍ରେ ପାଭିଲିଅନ୍ ପଠାଇଥିଲେ । ୨.୧ ଓଭର୍ରେ ସ୍କୋର୍ ୫/୨ ହୋଇଥିବା ବେଳେ ଫ୍ଲଡ୍ଲାଇଟ୍ ସମସ୍ୟା ଯୋଗୁଁ ମ୍ୟାଚ୍ କିଛି ସମୟ ବାଧାପ୍ରାପ୍ତ ହୋଇଥିଲା ।
ଏଡେନ୍ ମାର୍କରମ୍ ୩୩ ରନ୍ କରି ଅକ୍ଷର ପଟେଲ୍ଙ୍କ ଶିକାର ହୋଇଥିଲେ । ୪୭ ରନ୍ରେ ୩ ୱିକେଟ୍ ପଡ଼ିଥିଲା । ଏହାପରେ କୁଇଣ୍ଟନ ଡି’ କକ୍ ନୂଆ ବ୍ୟାଟର୍ ଡେଭିଡ୍ ମିଲର୍ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟଙ୍କ ପ୍ରୟାସରେ ଇନିଂସ୍ ୧୦୦ ଅତିକ୍ରମ କରିଥିଲା । ମିଲର୍ ୨୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିମ୍ରେ ତାବରେଜ୍ ଶାମ୍ସୀଙ୍କ ସ୍ଥାନରେ ଲୁଙ୍ଗି ଏନ୍ଗିଡ଼ି ସ୍ଥାନ ପାଇଛନ୍ତି । ଅନ୍ୟପଟେ, ଭାରତୀୟ ଟିମ୍ ଅପରିବର୍ତ୍ତିତ ରହିଛି ।
ଭାରତୀୟ ଟିମ୍ର ଦୁଇ ଓପନର୍ ଲୋକେଶ ରାହୁଲ ଓ ଅଧିନାୟକ ରୋହିତ ଶର୍ମା ସତର୍କତାର ସହ ଇନିଂସ୍ ଆରମ୍ଭ କରିଥିଲେ । ତେବେ ଧୀରେ ଧୀରେ ସେମାନେ କ୍ରିଜ୍ରେ ଆସ୍ଥାନ ଜମାଇଥିଲେ । ପାୱାର-ପ୍ଲେ ସୁଦ୍ଧା ସ୍କୋର୍ ହୋଇଥିଲା ୫୭/୦ ।
ୱେନ୍ ପର୍ନେଲ୍ଙ୍କ ବଲ୍ରେ ସ୍କୁପ୍ ସଟ୍ ଖେଳିବା ପ୍ରୟାସରେ ରୋହିତ ଶର୍ମାଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା । କିନ୍ତୁ ଫିଜିଓଙ୍କ ଚିକିତ୍ସା ପରେ ସେ ପୁନର୍ବାର ବ୍ୟାଟିଂ କରିଥିଲେ । ରୋହିତଙ୍କ କ୍ୟାରିଅରର ଏହା ୪୦୦ତମ ଟି-୨୦ (ଆନ୍ତର୍ଜାତିକ ଓ ଲିଗ୍କୁ ମିଶାଇ) ମ୍ୟାଚ୍ । ଏତେ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବାରେ ସେ ପ୍ରଥମ ଭାରତୀୟ କ୍ରିକେଟର୍ ।
ଦୁଇ ଓପନର୍ ୯୬ (୫୯ ବଲ୍ରୁ) ରନ୍ର ଭାଗୀଦାରୀ କରିଥିଲେ । ରୋହିତ ୩୭ ବଲ୍ରୁ ୪୩ ରନ୍ କରି କେଶବ ମହାରାଜଙ୍କ ବଲ୍ରେ ଟ୍ରିଷ୍ଟାନ୍ ଷ୍ଟବ୍ସଙ୍କୁ କ୍ୟାଚ୍ ଦେଇଥିଲେ । ତାଙ୍କ ଇନିଂସ୍ରେ ୭ ଚୌକା ଓ ୧ ଛକା ରହିଥିଲା ।
ରାହୁଲ ଏକ ଛକା ଲଗାଇ ୨୪ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ରାହୁଲଙ୍କ ଏହା କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ଥିଲା । ତେବେ ଏହାପରେ ସେ ଆଉ ବେଶୀ ବାଟ ଯାଇପାରି ନ ଥିଲେ ଏବଂ ବ୍ୟକ୍ତିଗତ ୫୭ (୨୮ ବଲ୍ରୁ) ରନ୍ରେ ମହାରାଜଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ତାଙ୍କ ଇନିଂସ୍ରେ ୫ ଚୌକା ଓ ୪ ଛକା ରହିଥିଲା । ୧୦୭ ରନ୍ରେ ଦ୍ୱିତୀୟ ୱିକେଟ୍ ପଡ଼ିଥିଲା ।
ଏହାପରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଇନିଂସ୍ ସମ୍ଭାଳିଥିଲେ । ଉଭୟ ବିସ୍ଫୋରକ ଇନିଂସ୍ ବ୍ୟାଟିଂ କରି ଟିମ୍କୁ ୨୦୦ ସ୍କୋର୍ ଅତିକ୍ରମ କରାଇଥିଲେ । ସୂର୍ଯ୍ୟକୁମାର ୧୮ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
୧୯ତମ ଓଭର୍ରେ ସୂର୍ଯ୍ୟକୁମାର (୨୨ ବଲ୍ରୁ ୬୧) ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ତାଙ୍କ ଇନିଂସ୍ରେ ୫ ଲେଖାଏଁ ଚୌକା ଓ ଛକା ରହିଥିଲା । ତୃତୀୟ ୱିକେଟ୍ ପାଇଁ ୪୨ ବଲ୍ରୁ ୧୦୨ ରନ୍ର ଭାଗୀଦାରୀ ହୋଇଥିଲା । ଏହାପରେ କୋହଲି ଓ ପରବର୍ତ୍ତୀ ବ୍ୟାଟର୍ ଦିନେଶ କାର୍ତ୍ତିକ ମିଶି ଇନିଂସ୍କୁ ଆଉ କିଛି ବାଟ ଆଗେଇ ନେଇଥିଲେ ।
ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୩ ୱିକେଟ୍ ହରାଇ ୨୩୭ ରନ୍ ସଂଗ୍ରହ କରିଥିଲା । ଟି-୨୦ ଆନ୍ତର୍ଜାତିକରେ ଏହା ଭାରତର ଚତୁର୍ଥ ସର୍ବବୃହତ୍ ସ୍କୋର୍ ଥିଲା । କୋହଲି ୨୮ ବଲ୍ରୁ ୭ ଚୌକା ଓ ୧ ଛକା ସହାୟତାରେ ୪୯ ଏବଂ ଦିନେଶ କାର୍ତ୍ତିକ ୭ ବଲ୍ରୁ ୧୭ ରନ୍ କରି ଅପରାଜିତ ଥିଲେ ।