ଭାରତକୁ ଆସିଲା ୫ଜି

ନୂଆଦିଲ୍ଲୀ, ୧ା୧ଠ: ଶନିବାରଠାରୁ ଦିଲ୍ଲୀ, ମୁମ୍ବାଇ ସମେତ ୮ଟି ସହରରେ ଏୟାୟ୍ଟେଲ୍ ୫ଜି ସେବା ଆରମ୍ଭ ହୋଇଛି । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଜି ସେବା ଲଞ୍ଚ୍ କରିଛନ୍ତି । ମୋଦିଙ୍କ ସହ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ୍, ବେଙ୍ଗଲୁରୁ, ଚଣ୍ଡିଗଡ, ଗାନ୍ଧୀନଗର, ଗୁରୁଗାଁଓ, ହାଇଦ୍ରାବାଦ୍, ଜାମନଗର, ଲକ୍ଷ୍ନୌ ଓ ପୁଣେ – ଏହି ୧୩ ସହରରେ ୫ଜି ସେବା ଉପଲବ୍ଧ ହେବ ଏବଂ ଦୁଇ ବର୍ଷ ଭିତରେ ଦେଶସାରା ୫ଜି ଉପଲବ୍ଧ ହେବ । ଏଥିପାଇଁ ଖର୍ଚ୍ଚ ହେବ ୩୫ ବିଲିୟନ ଡଲାର ।
ଏୟାର୍ଟେଲ୍ ଅଧ୍ୟକ୍ଷ ସୁନୀଲ ମିତ୍ତଲ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବାରାଣସୀ, ବେଙ୍ଗଲୁରୁ, ହାଇଦ୍ରାବାଦ୍ ଓ ସିଲିଗୁଡିରେ ୫ଜି ସେବା ଶନିବାରଠାରୁ ଆରମ୍ଭ ହୋଇଥିବା ଘୋଷଣା କରିଛନ୍ତି । ଏୟାର୍ଟେଲ୍ ୨୦୨୪ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶରେ ଏହି ସେବା ଉପଲବ୍ଧ କରାଇବା ଯୋଜନା ରଖିଛି । ସେହିପରି ରିଲାଏନ୍ସର ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି, ୨୦୨୩ ଡିସେମ୍ବର ସୁଦ୍ଧା ଦେଶର କୋଣେ କୋଣେ ଜିଓ ଜରିଆରେ ୫ଜି ସେବା ପହଞ୍ଚôଯିବ । ସେ କହିଛନ୍ତି, ସାମାନ୍ୟ ବିଳମ୍ବରେ ହେଉ ପଛେ ଆମେ ଅନ୍ୟ ଦେଶ ତୁଳନାରେ ଉଚ୍ଚମାନର ତଥା କମ୍ ଖର୍ଚ୍ଚରେ ୫ଜି ସେବା ଆରମ୍ଭ କରିବୁ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାଧୀନତା ଅମୃତ ମହୋତ୍ସବ ଅବସରରେ ୫ଜି ସେବା ଆରମ୍ଭ ହୋଇଥିବାରୁ ୧ ଅକ୍ଟୋବର ୨୦୨୨ ଲିପିବଦ୍ଧ ହୋଇ ରହିବ । ନୂଆ ଭାରତ ପ୍ରଯୁକ୍ତିର କେବଳ କଞ୍ଜୁମର ନୁହେଁ, ବରଂ ପ୍ରଯୁକ୍ତି ବିକାଶରେ ସକ୍ରିୟ ଭୂମିକା ଲିଭାଇବ । ୨ଜି, ୩ଜି, ୪ଜି ସମୟରେ ଭାରତ ପ୍ରଯୁକ୍ତି ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲା, କିନ୍ତୁ ୫ଜି ସହିତ ଭାରତ ନୂଆ ଇତିହାସ ରଚିଲା । ୨୦୧୪ରେ ଭାରତରୁ ଗୋଟିଏ ହେଲେ ମୋବାଇଲ୍ ଫୋନ୍ ରପ୍ତାନୀ ହେଉ ନ ଥିଲା । ଆଜି ଆମେ କୋଟି କୋଟି ମୋବାଇଲ ରପ୍ତାନୀ କରୁଛି । ପ୍ରତି ଘରକୁ ବିଜୁଳି, ପାଣି ଓ ଗ୍ୟାସ୍ ସିଲିଣ୍ଡର ଭଳି ସରକାର ସମସ୍ତଙ୍କ ପାଇଁ ଇଣ୍ଟରନେଟ୍ ଯୋଜନା ଉପରେ କାମ କରୁଛନ୍ତି ।
ଦେଶର ୩ ପ୍ରମୁଖ ଟେଲିକମ୍ କମ୍ପାନୀ ଜିଓ, ଏୟାର୍ଟେଲ୍ ଓ ଭୋଡାଫୋନ୍ ଆଇଡିଆ ପ୍ରଧାନମନ୍ତ୍ରୀଙ୍କୁ ୫ଜିର ଡେମୋନ୍ଷ୍ଟ୍ରେସନ୍ ଦେଖାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *