ରୁଷ୍ ନେଲା ୟୁକ୍ରେନ୍ର ୧୮% ଅଞ୍ଚଳ

ମସ୍କୋ/ କିବ୍, ୩୦ା୯: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହୋଇଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍, ଶୁକ୍ରବାର ଦିନ ୟୁକ୍ରେନ୍ର ଡୋନେଟ୍ସ୍କ, ଲୁହାନ୍ସ୍କ, ଜାପୋରିଜିୟା, ଏବଂ ଖେରସୋନ୍ ଆଦି ୪ ପ୍ରଦେଶକୁ ରୁଷ୍ର ସୀମାରେଖା ସହ ମିଶାଇବା ସମ୍ପର୍କରେ ଘୋଷଣା କରିଛନ୍ତି । କ୍ରେମଲିନ୍ରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସାମିଲ ହେବା ଅବସରରେ ପୁତିନ୍ ଏହି ୪ ପ୍ରଦେଶର ପ୍ରତିନିଧିଙ୍କ ଉପସ୍ଥିତିରେ ଚୁକ୍ତିନାମାରେ ସ୍ୱାକ୍ଷରିତ କରିଛନ୍ତି । ଏଥିସହ ଆଜି ଠାରୁ ୟୁକ୍ରେନ୍ର ଏହି ୪ ଭୂଭାଗ ଚିରସ୍ଥାୟୀ ଭାବେ ରୁଷ୍ର ପ୍ରତ୍ୟକ୍ଷ ଅଧିକାରର ପରିସରଭୁକ୍ତ ହୋଇଛନ୍ତି । ସିଧାସଳଖ କହିଲେ ଆଜିର ତାରିଖ ପରଠାରୁ ଏହି ୪ ଅଞ୍ଚଳ ଉପରେ ରୁଷ୍ ସରକାରଙ୍କ ରାଜୁତି ଆରମ୍ଭ ହୋଇଛି । ଏହି ୪ ପ୍ରଦେଶର ନାଗରିକ ଏଣିକି ରୁଷୀୟ ନାଗରିକ ଭାବେ ପରିଚିତ ହେବେ ।
ସମାରୋହ କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇଥିବା ଏହି ୪ ପ୍ରଦେଶର ନାଗରିକଙ୍କୁ ସମ୍ବୋଧିତ କରି ପୁତିନ୍ ନିଜ ଭାଷଣ ରଖିଥିଲେ । ପୁତିନ୍ କହିଥିଲେ, ଦୀର୍ଘଦିନ ଧରି ରୁଷ୍ବାସୀ ଦେଖିଆସୁଥିବା ସ୍ୱପ୍ନ ଆଜି ସାକାର ହୋଇଛି । ଏତଦ୍ବ୍ୟତୀତ ଏହି ୪ ପ୍ରଦେଶର କୋଟି କୋଟି ନାଗରିକ ମଧ୍ୟ ଏହା ଚାହୁଁଥିଲେ । ରୁଷ୍ ଏହି ୪ ପ୍ରଦେଶକୁ ନିଜ ସାର୍ବଭୌମତ୍ୱରେ ସାମିଲ୍ କରିବାକୁ ନେଇ ବେଶ୍ ଗୌରାବାନ୍ୱିତ ମନେକରୁଛି । ତେବେ ଏହି ମିଶ୍ରଣ ପର୍ବ ପୂର୍ବରୁ ରୁଷ୍ ପକ୍ଷରୁ ଏହି ୪ ପ୍ରଦେଶରେ କରାଯାଇଥିବା ଜନମତ ସର୍ଭେରୁ ଏସବୁ ଅଞ୍ଚଳର ନାଗରିକ ରୁଷ୍ ସହ ମିଶିବାକୁ ଆଗ୍ରହ ପ୍ରକାଶ କରିଥିବା ସ୍ପଷ୍ଟ ହୋଇଛି । ଏହାକୁ ଦୃଷ୍ଟିରେ ରୁଷ୍ ସରକାର ଏହି ୪ ପ୍ରଦେଶକୁ ନିଜ ସୀମାରେଖା ସହ ସମ୍ମିଶ୍ରଣ କରିଛନ୍ତି ।
ସୂଚନାଯୋଗ୍ୟ ଭୌଗୋଳିକ ସ୍ଥିତାବସ୍ଥା ଅନୁସାରେ ଏହି ୪ ଅଞ୍ଚଳ ହିଁ ସମଗ୍ର ୟୁକ୍ରେନ୍ର ୧୮% । ପୁତିନ୍ଙ୍କ ଏପ୍ରକାର କାର୍ଯ୍ୟକ୍ରମକୁ ଆଜି ସମଗ୍ର ବିଶ୍ୱ ଚୁପ୍ଚାପ୍ ହୋଇ ଦେଖିବାକୁ ବାଧ୍ୟ ହୋଇଛି । ଏପରିକି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ମଧ୍ୟ ନିରୁପାୟ ହୋଇ ଏସବୁକୁ ବରଦାସ୍ତ କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ପୁତିନ୍ ଆଜି ଏସମ୍ପର୍କରେ ଘୋଷଣା କାଳରେ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଛନ୍ତି ।
ପୁତିନ୍ କହିଛନ୍ତି, ରୁଷ୍ ସଦାସର୍ବଦା ନିଜ ସାର୍ବଭୌମତା, ଅଖଣ୍ଡତା ଓ ନାଗରିକଙ୍କ ସୁରକ୍ଷା ପାଇଁ ପୂର୍ଣ୍ଣ କ୍ଷମତାରେ ଜବାବୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରଖିବ । ତେବେ ଯୁଦ୍ଧ କାରଣରୁ (ୟୁକ୍ରେନ୍ ଉପରେ ରୁଷ୍ର ଘନଘନ ମିସାଇଲ ଆକ୍ରମଣ କାରଣରୁ) ଏହି ୪ ପ୍ରଦେଶରେ ନଷ୍ଟ ହୋଇଯାଇଥିବା ହସ୍ପିଟାଲ, ସ୍କୁଲ ଓ ଅନ୍ୟ ସାର୍ବଜନିକ ସ୍ଥଳର ପୁନଃନିର୍ମାଣ ହେବ ବୋଲି ପୁତିନ୍ ଏହି ୪ ପ୍ରଦେଶର ନାଗରିକଙ୍କୁ ଆଶ୍ୱାସନା ଦେଇଛନ୍ତି । ସେହିପରି ଯୁଦ୍ଧରେ ନିହତ ରୁଷ ସୈନ୍ୟ ଅଧିକାରୀ ଓ ଡୋନ୍ବାସର ନାଗରିକଙ୍କୁ ତାଙ୍କ ସରକାର ସହିଦ୍ଙ୍କ ମାନ୍ୟତା ଦେଉଛନ୍ତି ବୋଲି ମଧ୍ୟ ପୁତିନ୍ କହିଛନ୍ତି । ଭାଷଣ କାଳରେ ମୃତ ସୈନିକଙ୍କ ଲାଗି ପୁତିନ୍ ଏବଂ ଉପସ୍ଥିତ ଅନ୍ୟ ନେତୃବୃନ୍ଦଙ୍କ ସମେତ ସାଧାରଣ ଜନତା ମଧ୍ୟ ୨ ମିନିଟ୍ ନିରବ ପ୍ରାର୍ଥନା ମଧ୍ୟ କରିଛନ୍ତି । ଏତଦ୍ବ୍ୟତୀତ ସଂଘୀୟ ବ୍ୟବସ୍ଥା ଅନ୍ତର୍ଗତ ରୁଷ୍ ସହ ଏହି ୪ ନୂଆ ଅଞ୍ଚଳର ଔପଚାରିକ ପ୍ରବେଶ ଲାଗି ତାଙ୍କ ସରକାର ଆଇନ୍ଗତ କାର୍ଯ୍ୟକ୍ରମ ମଧ୍ୟ ପାଳନ କରିବେ ।
ନିଜ ଅଭିଭାଷଣ କାଳରେ ପୁତିନ୍ ୟୁକ୍ରେନ୍କୁ ଯୁଦ୍ଧବିରାମ (ସିଜ୍ଫାୟାର) ଲାଗି ମଧ୍ୟ ନିବେଦନ କରିଛନ୍ତି । ପୁତିନ୍ଙ୍କ କହିବାନୁସାରେ, ପାଶ୍ଚାତ୍ୟ ଦେଶଙ୍କ ପ୍ରୋତ୍ସାହନରେ ୟୁକ୍ରେନ ସରକାର ନାଜୀବାଦର ଅନୁକରଣ କରିବା ବନ୍ଦ କରିବା ଉଚିତ୍ । ଏହାଦ୍ୱାରା କାହାରି ମଙ୍ଗଳ ହେବନାହିଁ । ନଚେତ୍ ରୁଷ୍ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟହେବ । ପ୍ରକାଶ, ଦିନକ ପୂର୍ବରୁ ବିଶ୍ୱସ୍ତରୀୟ ସମ୍ବାଦପତ୍ରରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ୟୁକ୍ରେନ୍ର ଏହି ୪ ପ୍ରଦେଶରେ ରୁଷ୍ ସେନା ବନ୍ଧୁକ ମୁନରେ ଜନମତ ସଂଗ୍ରହ କରୁଛି । ରୁଷ୍ ସରକାର ନିଜ ସମର୍ଥନରେ ଭୋଟ୍ ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ରୁଷ୍ ସେନା ବାଧ୍ୟ କରୁଛନ୍ତି ବୋଲି କିଛି ନାଗରିକ ନିଜ ପ୍ରତିକ୍ରିୟାରେ ଏହି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିବା ଏହି ସମ୍ବାଦପତ୍ର ଦାବି କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *