ଟିମ୍ ସହିତ ଅଷ୍ଟ୍ରେଲିଆ ଯିବେ ବୁମରା
ଆଶା ଦେଲେ ଗାଙ୍ଗୁଲି
ନୂଆଦିଲ୍ଲୀ, ୩୦ା୯ (ଏଜେନ୍ସି): ଟିମ୍ ଇଣ୍ଡିଆର ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍ରା ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଟିମ୍ର ଅଂଶବିଶେଷ ହୋଇପାରନ୍ତି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।
ଗାଙ୍ଗୁଲି ଏକ ୟୁଟୁ୍ୟବ୍ ଚ୍ୟାନେଲ୍କୁ କହିଛନ୍ତି, “ସେ (ବୁମ୍ରା) ଟିମ୍ ସହ ଅଷ୍ଟ୍ରେଲିଆ ଯିବେ । ଏବେ ସେ ଟିମ୍ରୁ ବାଦ୍ ପଡ଼ି ନାହାନ୍ତି । ଦେଖାଯାଉ ଆଗକୁ କ’ଣ ହେଉଛି ।”
ଅନ୍ୟପଟେ, ଏ ପ୍ରସଙ୍ଗରେ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, “ଜାତୀୟ କ୍ରିକେଟ୍ ଏକାଡେମୀ ପକ୍ଷରୁ ତାଙ୍କର ଚିକିତ୍ସା କରାଯାଉଛି । ଅଷ୍ଟ୍ରେଲିଆରେ ମଧ୍ୟ ତାଙ୍କ ଚିକିତ୍ସା ଜାରି ରହିବ ଏବଂ ଅକ୍ଟୋବର ୧୫ ଯାଏଁ ଆମେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ।”
ବୁଧବାର ଖବର ଆସିଥିଲା ଯେ ଦ୍ରୁତ ବୋଲର୍ ବୁମ୍ରା ପିଠି ଯନ୍ତ୍ରଣା ଯୋଗୁଁ ବିଶ୍ୱକପ୍ରେ ଖେଳିପାରିବେ ନାହିଁ । ସେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ତାଙ୍କୁ ସୁସ୍ଥ ହେବା ପାଇଁ ଚାରିରୁ ଛଅ ସପ୍ତାହ ଲାଗିପାରେ ।
ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ରେ ସେ ଟିମ୍ର ଅଂଶବିଶେଷ ନ ଥିଲେ । ସେ ଅଭ୍ୟାସ ସତ୍ର ସମୟରେ ପିଠି ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ମେଡିକାଲ୍ ଟିମ୍ର ପରାମର୍ଶ କ୍ରମେ ତାଙ୍କୁ ଟି-୨୦ ବିଶ୍ୱକପ୍ ଟିମ୍ରୁ ବାଦ୍ ଦିଆଯାଇଥିଲା । ଏହି ଯନ୍ତ୍ରଣା ଯୋଗୁଁ ସେ ଏସିଆ କପ୍ରେ ମଧ୍ୟ ଖେଳି ନ ଥିଲେ । ତାଙ୍କୁ ଏହି ମେଗା ଟୁର୍ଣ୍ଣାମେଣ୍ଟରୁ ବିଶ୍ରାମ ଦିଆଯାଇଥିଲା । କୁହାଯାଇଥିଲା ଯେ ସେ ସମ୍ପୂର୍ଣ୍ଣ ରୂପେ ଫିଟ୍ ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ପ୍ରତ୍ୟାବର୍ତ୍ତନ କରିବେ ଏବଂ ଏହାପରେ ବିଶ୍ୱକପ୍ ପାଇଁ ଟିମ୍ର ଅଂଶବିଶେଷ ହେବେ ।
ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାର ଅଂଶବିଶେଷ ହୋଇଥିଲେ, କିନ୍ତୁ ପ୍ରଥମ ମ୍ୟାଚ୍ରେ ଖେଳି ନ ଥିଲେ । ରୋହିତ ଶର୍ମା ଯେତେବେଳେ ପ୍ରଶ୍ନ କରାଗଲା, ସେ କହିଥିଲେ ଯେ ଏବେ ସେ ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି ଏବଂ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଖେଳିବେ । ଦ୍ୱିତୀୟ ମ୍ୟାଚ୍ରେ ବୁମ୍ରା ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଭଲ ବୋଲିଂ ବି କରିଥିଲେ । ମନେ ହେଉଥିଲା ଯେ ଏସିଆ କପ୍ରେ ଭାରତର ଯେଉଁ ବୋଲିଂ ସମସ୍ୟା ଥିଲା, ତାହା ଦୂର ହୋଇଗଲା । ତୃତୀୟ ମ୍ୟାଚ୍ରେ ସେ ମହଙ୍ଗା ସାବ୍ୟସ୍ତ ହେଲେ ଏବଂ ୪ ଓଭର୍ରେ ୫୦ ରନ୍ ଦେଇଥିଲେ । ସେତେବେଳେ କୁହାଯାଇଥିଲା, ଆଘାତରୁ ସୁସ୍ଥ ହୋଇ ଫେରିଛନ୍ତି, ଫର୍ମକୁ ଫେରିବାକୁ ଟିକେ ସମୟ ଲାଗିବ ।
ଏହାପରେ ସେପ୍ଟେମ୍ବର ୨୯ରେ ଖବର ଆସିଥିଲା ଯେ ସେ ଟି-୨୦ ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି । ଏବେ ଗାଙ୍ଗୁଲିଙ୍କ ସୂଚନା ଭାରତୀୟ ପ୍ରଶଂସକଙ୍କ ପାଇଁ ଆଶ୍ୱସ୍ତି ଆଣିଛି ।