ଅନୀଲ୍ ଚୌହାନ୍ ନୂଆ ସିଡିଏସ୍

୯ ମାସ ଖାଲିଥିଲା ପଦ
ନୂଆଦିଲ୍ଲୀ, ୨୮ ।୯: କେନ୍ଦ୍ର ସରକାର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନଙ୍କୁ ପରବର୍ତ୍ତୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଭାବେ ନିଯୁକ୍ତ କରିଛନ୍ତି । ଲେ.ଜେ. ଚୌହାନ ସାମରିକ ବ୍ୟାପାର ବିଭାଗରେ ସଚିବ ରୂପେ ମଧ୍ୟ କାର୍ଯ୍ୟ କରିବେ । ସେ ୪୦ ବର୍ଷର ସେବା ପରେ ଗତବର୍ଷ ମେ’ ୩୧ରେ ଜେନେରାଲ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ (ପୂର୍ବ କମାଣ୍ଡ) ପଦରେ ଥାଇ ଅବସର ନେଇଥିଲେ । ତା’ପୂର୍ବରୁ ସେ ଜେନେରାଲ୍ ଅଫିସର ନୂଆଦିଲ୍ଲୀରେ ସେନା ଅଭିଯାନର ଥିଲେ ମହାନିଦେ୍ର୍ଦଶକ ।
ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ୍ ତାମିଲନାଡ଼ୁର କୁନ୍ନୁରଠାରେ ୨୦୨୧ ଡିସେମ୍ବର ୧ରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରଠାରୁ ୯ ମାସ ହେଲା ଏହି ପଦ ଖାଲିଥିଲା ।
ମୂଳତଃ ଉତ୍ତରାଖଣ୍ଡ ନିବାସୀ ଲେ.ଜେ. ଚୌହାନ ୧୯୮୧ରୁ ୨୦୨୧ ପର୍ଯ୍ୟନ୍ତ ସେନାର ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳରେ ପୂର୍ବୋତ୍ତର କ୍ଷେତ୍ରରେ ଉଗ୍ରବାଦ ଅନେକାଂଶରେ କମିଯାଇଥିଲା । ମିଅାଁମାର ସୀମା ଭିତରେ ଉଗ୍ରବାଦୀଙ୍କ ବିରୋଧରେ ଭାରତୀୟ ସେନାର ‘ଅପରେସନ୍ ସନ୍ରାଇଜ୍’ ପାଇଁ ସେ ମୁଖ୍ୟ ରଣନୀତିକାର ଭୂମିକା ନିଭାଇଥିଲେ । ସେହିପରି ବାଲାକୋଟ (ପାକିସ୍ତାନ) ସର୍ଜିକାଲ୍ ଷ୍ଟ୍ରାଇକ୍ର ଯୋଜନା ସହ ସେ ସଂପୃକ୍ତ ଥିଲେ ।
ତାଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ୍, ପରମ ବିଶିଷ୍ଟ ସେବା ମେଡାଲ୍, ଅତିବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଓ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *