ବଢ଼ିଛି କଳାଧନ

୬ବର୍ଷ ପରେ ବି ସେହି ପୁରୁଣା ପ୍ରଶ୍ନ: ବିମୁଦ୍ରୀକରଣ କେତେ ସଫଳ?
ନୂଆଦିଲ୍ଲୀ, ୨୭ା୯: ୨ଠ୧୬ରେ ଭାରତ ସରକାର ‘ନୋଟ୍ବନ୍ଦୀ’ ଲାଗୁ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ହଠାତ୍ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ଯାହାକି ଦେଶବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ମୋଦି ସେତେବେଳେ ଦେଶବାସୀଙ୍କୁ ଆଶ୍ୱସ୍ତ କରି କହିଥିଲେ ଯେ, ନୋଟ୍ବନ୍ଦୀ ନିଷ୍ପତ୍ତି ଦ୍ୱାରା ଦେଶରେ କଳାଟଙ୍କା କାରବାର ହ୍ରାସ ପାଇବ । ଭ୍ରଷ୍ଟାଚାର ରୋକିବା ଦିଗରେ ନୋଟବନ୍ଦୀ ଏକ ପ୍ରମୁଖ ଅସ୍ତ୍ର ଭାବେ କାମ କରିବ । ସରକାରଙ୍କ ଏପ୍ରକାର ଆକସ୍ମିକ ନିଷ୍ପତ୍ତି ଫଳରେ ବେଶ୍ କିଛି ସମୟ ଧରି ଦେଶବାସୀଙ୍କୁ ଯେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ତାହା ଏବେ କେବଳ ଇତିହାସ ।
ନୋଟ୍ବନ୍ଦୀ ସମୟରେ ବିଶେଷ କରି ପ୍ରଧାନମନ୍ତ୍ରୀ ଯାହା କହିଥିଲେ ସେଥିରୁ ପ୍ରତୀତ ହେଉଥିଲା ଯେ, ଭ୍ରଷ୍ଟାଚାରୀଙ୍କ ଶୋଇବା ଘରେ ବିଛାଯାଇଥିବା ଗଦି-ତକିଆ ତଳୁ କିଛି ନହେଲେ ୩/୪ ଲକ୍ଷ କୋଟି ଟଙ୍କା କଳାଧନ ମିଳିବ । କିନ୍ତୁ ସେତେବେଳେ ମାତ୍ର ୧.୩ ଲକ୍ଷ କୋଟି ଟଙ୍କାର କଳାଧନ ହିଁ ମିଳିପାରିଥିଲା, ଯାହାକି ବିମୁଦ୍ରୀକରଣ ନିଷ୍ପତ୍ତିକୁ ବିଫଳ ସାବ୍ୟସ୍ତ କରିଥିବା ଆଜି ପର୍ଯ୍ୟନ୍ତ ବିରୋଧୀ ଅଭିଯୋଗ କରିଆସୁଛନ୍ତି । ତେବେ ନୋଟ୍ବନ୍ଦୀ ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍ବିଆଇ) ନୂଆ ୫ଠଠ ଏବଂ ୨ଠଠଠ ଟଙ୍କିଆ ନୋଟ୍ ମୁଦ୍ରଣ କରିଥିଲା । ଉଭୟ ଆର୍ବିଆଇ ଏବଂ ଭାରତ ସରକାର ଦର୍ଶାଇଥିଲେ ଯେ, ବଜାରରୁ ଯେଉଁ ମୂଲ୍ୟର ପୁରୁଣା ୫ଠଠ ଟଙ୍କିଆ ଏବଂ ୧ଠଠଠ ଟଙ୍କିଆ ନୋଟ୍କୁ ପ୍ରତ୍ୟାହାର କରାଯାଉଛି ସମପରିମାଣର ନୂଆ ୫ଠଠ ତଥା ୨ଠଠଠ ଟଙ୍କିଆକୁ ପ୍ରଚଳନରେ ଅଣାଯିବ । ତେବେ ବର୍ତ୍ତମାନ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ ବଜାରରୁ ଏବେ ୫ଠଠ ଏବଂ ୨ଠଠଠ ଟଙ୍କିଆ ନୋଟ୍ ଉଭାନ୍ ହୋଇଯାଇଛି । ବଜାରରୁ ପ୍ରାୟ ୯.୨୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ୫ଠଠ ଏବଂ ୨ଠଠଠ ଟଙ୍କିଆ ନୋଟ୍ ଅନ୍ତର୍ଦ୍ଧାନ ହୋଇଯାଇଥିବା କୁହାଯାଉଛି । କେନ୍ଦ୍ର ସରକାର ଏବଂ ଆରବିଆଇ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ଅସମର୍ଥତା ପ୍ରକାଶ କରିଛନ୍ତି ।
ଏହାର ସିଧାସଳଖ ଅର୍ଥ ବଜାରରୁ ଅନ୍ତର୍ଦ୍ଧାନ ହୋଇଯାଇଥିବା ୯.୨୧ ଲକ୍ଷ କୋଟି ଟଙ୍କା ଏବେ କଳାଧନରେ ପରିଣତ ହୋଇସାରିଛି ବୋଲି ବୁଝିବାକୁ ହେବ । ଆରବିଆଇର ଜଣେ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏହା ସ୍ୱୀକାର କରିଛନ୍ତି । ଅଧିକାରୀଙ୍କ କହିବାନୁସାରେ ବଜାରରୁ ଉଭାନ୍ ହୋଇଥିବା ନୋଟ୍ ମଧ୍ୟରୁ ଏକ ବଡଭାଗ କଳାଧନ ଭାବେ ଜମା କରାଯାଇଛି । ସରକାର ମାନନ୍ତୁ କି ନମାନନ୍ତୁ କଳାଧନ ଜମାକାରୀଙ୍କୁ ନିଜ ବେଆଇନ୍ ଭାବେ ଉପାର୍ଜିତ ଧନକୁ ୫ଠଠ ଏବଂ ୨ଠଠଠ ଟଙ୍କିଆ ନୋଟ୍ ଭାବେ ଗଚ୍ଛିତ ରଖିବା ସହଜସାଧ୍ୟ ହୋଇଯାଇଛି । ଏହାର ପ୍ରମାଣ ଗତ ୨/୩ବର୍ଷ ମଧ୍ୟରେ ଇଡି/ ଆୟକର/ ସିବିଆଇ ଆଦି ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଦେଶର ବିଭିନ୍ନ ପ୍ରାନ୍ତରେ କରିଥିବା ଚଢ଼ଉ କାଳରେ ଜବତ କରିଥିବା ଅର୍ଥ ଆକାରରେ ମିଳିସାରିଛି । ଆୟକର ଖିଲାପି ଆଳରେ କରାଯାଇଥିବା ଚଢ଼ଉରେ ଜବତ ଅର୍ଥ ମଧ୍ୟରୁ ୯୫% ଅର୍ଥ କେବଳ ୫ଠଠ ଏବଂ ୨ଠଠଠ ଟଙ୍କିଆ ନୋଟ୍ ଆକାରରେ ହିଁ ମିଳିଛି ।
ଆରବିଆଇ ନିଜ ବାର୍ଷିକ ରିପୋର୍ଟରେ ଏପ୍ରକାର କିଛି ତଥ୍ୟକୁୂ ଉଜାଗର କରିବା ପରେ ଏହା ଉପରେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆରବିଆଇ ୨ଠ୧୬-୧୭ ଠାରୁ ୨ଠ୨୧-୨୨ ପର୍ଯ୍ୟନ୍ତ ବାର୍ଷିକ ରିପୋର୍ଟକୁ ଉଜାଗର କରିଛି । ଏଥିରେ ୨ଠ୧୬ରୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୮୪୯ କୋଟି ମୂଲ୍ୟର ୫ଠଠ ଏବଂ ୨ଠଠଠ ଟଙ୍କିଆ ନୋଟ୍ ଛାପିସାରିଛି । କିନ୍ତୁ ଏବେ ଏଥିରୁ ୧୬୮ଠ କୋଟିରୁ ଊଦ୍ଧ୍ୱର୍ ପରିମାଣର ୫ଠଠ ଏବଂ ୨ଠଠଠ ଟଙ୍କିଆ ନୋଟ୍ ବଜାରରେ ନୋଟ୍ ପ୍ରଚଳନ ପ୍ରକ୍ରିୟାରୁ ଉଭାନ୍ ହୋଇସାରିଛି । ଉଭାନ୍ ହୋଇଯାଇଥିବା ନୋଟ୍ର ମୋଟ୍ ମୂଲ୍ୟ ୯.୨୧ଲକ୍ଷ କୋଟି ଟଙ୍କା ହେବ । ତେବେ ଏଥିରେ ଯେଉଁ ନୋଟ୍ଗୁଡ଼ିକ ଖରାପ (ଚିରା, ଫଟା) ହୋଇଯିବା ଫଳରେ ଆରବିଆଇ ସେସବୁକୁ ନଷ୍ଟ କରିଦେଇଛି, ସେଗୁଡ଼ିକୁୂ ସାମିଲ କରାଯାଇନାହିଁ ।
ସୂଚନାଯୋଗ୍ୟ, ନୋଟ୍ବନ୍ଦୀ ସମୟରେ ସରକାର ଏବଂ ଆରବିଆଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ନୂଆ ଡିଜାଇନ୍ର ୫ଠଠ ଏବଂ ୨ଠଠଠ ଟଙ୍କିଆ ନୋଟ୍ର ନକଲି ନୋଟ୍ ପ୍ରସ୍ତୁତ କରାଯିବା ସମ୍ଭବ ନୁହେଁ । କିନ୍ତୁ ଏହି ଦୃଢ଼ୋକ୍ତି ମଧ୍ୟ କାଟ୍ ଖାଇଥିବା ପ୍ରମାଣିତ ହେଉଛି । ନୂଆ ନୋଟ୍ ବଜାରକୁ ଆସିବା ପରେ ପରେ ହିଁ ଏସବୁର ଜାଲ୍ ନୋଟ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ୨ଠ୧୬ରୁ ଏଯାବତ୍ ଅର୍ଥାତ୍ ଗତ ୬ବର୍ଷ ମଧ୍ୟରେ ଆରବିଆଇକୁ ୭୯୮୩୬ ପରିମାଣର ୨ଠଠଠ ଟଙ୍କିଆ ଜାଲି ନୋଟ୍ ମିଳିଥିବା ବେଳେ ୧.୮୧ଲକ୍ଷ ପରିମାଣର ୫ଠଠ ଟଙ୍କିଆ ଜାଲ୍ ନୋଟ୍ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *