ବୈତରଣୀରେ ୨ ବ୍ୟାରେଜ୍
୩୩ ପ୍ରସ୍ତାବରେ କ୍ୟାବିନେଟ ମୋହର
ଭୁବନେଶ୍ୱର, ୨୨ା୯ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୬ ବିଭାଗର ୩୩ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଆୟୋଜିତ ଏହି ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ବିଭିନ୍ନ ଜିଲ୍ଲାରେ ମୋଟ ୪୦ ଉଠା ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ୧୪ ମେଗା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଁ ୫୧୧କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ଜିଲ୍ଲାର ୧୭ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବା ସହ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ମଧ୍ୟ ସମ୍ଭବପର ହେବ ।
ସେହିପରି କଟକ ଓ ଅନୁଗୋଳ ଜିଲ୍ଲାରେ ୪୩୧କୋଟି ଟଙ୍କାର ୯ ମେଗା ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ୧୪,୩୩୦ ହେକ୍ଟର ଜମିକୁ ଜଳସେଚନ ସୁବିଧା, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୬୬କୋଟି ଟଙ୍କାର ୯ ମେଗା ଉଠାଜଳସେଚନ ପ୍ରକଳ୍ପରେ ୧୨୯୧୪ ହେକ୍ଟର ଜମିକୁ ଜଳସେଚନ, ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପର ୧୮ନମ୍ବର କ୍ଲଷ୍ଟର ଅନ୍ତର୍ଗତ କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଓ ଗଜପତି ଜିଲ୍ଲାରେ ୧୩୫୪୭ ହେକ୍ଟର ଜମିକୁ ଜଳସେଚନ ସୁବିଧା ନିମନ୍ତେ ୪୩୦କୋଟି ଟଙ୍କା ବ୍ୟୟରେ ଉଠାଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ବଲାଙ୍ଗିର ଲୋଏର ସୁକତେଲ ବାମ କେନାଲରେ ଅଣ୍ଡରଗ୍ରାଉଣ୍ଡ ପାଇପ୍ ମାଧ୍ୟମରେ ୧୩ହଜାର ହେକ୍ଟର ଜମିକୁ ଜଳସେଚନ ନିମନ୍ତେ ୬୩୪କୋଟି ଟଙ୍କାର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହାସହ ଯାଜପୁର ଜିଲ୍ଲାର କୋଚଳୀ ନଦୀ ଓ ବୈତରଣୀ ନଦୀରେ ୨ ବ୍ୟାରେଜ୍ ନିର୍ମାଣ ପାଇଁ ୨୦୦କୋଟି ଟଙ୍କାର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାଫଳରେ ଧାମନଗର ଓ ଦଶରଥପୁର ବ୍ଲକରେ ବନ୍ୟା ସମସ୍ୟା ଓ ଜଳ ସମସ୍ୟା ଦୂର କରାଯାଇପାରିବ ।
ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତିକରଣ ନିମନ୍ତେ ୮୭କୋଟି ଟଙ୍କାର ଟେଣ୍ଡର ଆଶୀର୍ବାଦ କନଷ୍ଟ୍ରକସନକୁ ପ୍ରଦାନ ନିମନ୍ତେ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ସରିତା ସୁପକାର ଓ ଶରତ କୁମାର ମହାନ୍ତିଙ୍କ ନିଯୁକ୍ତିକୁ ପିଛିଲା ଭାବେ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାସହ ଓଡ଼ିଶା ସମବାୟ ସେବା କ୍ୟାଡ଼ର, ଓଡ଼ିଶା ପର୍ଯ୍ୟଟନ ସେବା କ୍ୟାଡ଼ରର ପୁର୍ନଗଠନ, ନୂତନ ଭାବେ ଓଡ଼ିଶା ସମବାୟ ଅଡିଟ୍ ସର୍ଭିସ କ୍ୟାଡ଼ର ସୃଷ୍ଟି, ଜିଲ୍ଲା ପୁଲିସ ମିନିଷ୍ଟ୍ରିଆଲ ସର୍ଭିସ ରୁଲସର ସଂଶୋଧନ, ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ରୁଲରେ ସଂଶୋଧନ, ଓଡ଼ିଶା ଲିଗାଲ ମେଟ୍ରୋଲୋଜି ସର୍ଭିସ ରୁଲସ, ଓଡ଼ିଶା ଜୁଡିସିଆଲ ସେବା ରୁଲସ, ଓଡ଼ିଶା ଜିଲ୍ଲା ଓ ସବଅର୍ଡିନେଟ କୋର୍ଟ ନନଜୁଡିସିଆଲ ଷ୍ଟାଫ ସର୍ଭିସ ଓ ଗ୍ରୁପ୍ ଡି କର୍ମ·ରୀ ରୁଲ୍ ଆଦିରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।
ସେହିପରି ଅବକାରୀ ନିଦେ୍ର୍ଦଶାଳୟ ଓ କ୍ଷେତ୍ର ପ୍ରତିଷ୍ଠାନକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ପାଇଁ ନୂତନ ଅବକାରୀ ଥାନା, ନୂତନ ଅବକାରୀ ରେଞ୍ଜ କାର୍ଯ୍ୟାଳୟ, ନୂତନ ଇଆଇ ଏବଂ ଇବି ସାଟେଲାଇଟ୍ ୟୁନିଟ୍ ପ୍ରତିଷ୍ଠାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ତଦନୁଯାୟୀ ଗୋପାଳପୁର, ଖପରାଖୋଲ, ମୋହନା, ଦାରିଙ୍ଗିବାଡି, ଯୋଡା, ହାଟଡିହ, ମୁନିଗୁଡା, କୋଇଡା ଏବଂ ସୁକୁରୁଲି ଠାରେ ୯ ଗୋଟି ଅବାକରୀ ଥାନା ପ୍ରତିଷ୍ଠା ହେବ । ସେହିଭଳି ୧୩ ନୂତନ ରେଞ୍ଜ କାର୍ଯ୍ୟାଳୟ ଜଳେଶ୍ୱର, ବାସୁଦେବପୁର, ସାଲେପୁର, କାମାକ୍ଷାନଗର, ଆର.ଉଦୟଗିରି, ଭଞ୍ଜନଗର, ପାରାଦୀପ୍, ଯାଜପୁର ରୋଡ, ଭୁବନେଶ୍ୱର-୨, ନନ୍ଦପୁର, ନିମାପଡା, ରେଢାଖୋଲ ଏବଂ ବଡଗାଁରେ ହେବ । କଟକ, ବ୍ରହ୍ମପୁର ଏବଂ ସମ୍ବଲପୁରରେ ଅବସ୍ଥିତ ଇଆଇ ଏବଂ ଇ.ବି ୟୁନିଟ୍ ଅଧିନରେ ତିନିଟି ନୂତନ ସାଟେଲାଇଟ୍ ୟୁନିଟ୍ ଯଥାକ୍ରମେ ବାଲେଶ୍ୱର, ଜୟପୁର ଏବଂ ରାଉରକେଲା ଠାରେ ପ୍ରତିଷ୍ଠା ହେବ ବୋଲି ପ୍ରକାଶ ପାଇଛି ।
ସେପଟେ ସରକାରୀ ଚାକିରିରେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ ପାଇଁ ଦୀର୍ଘଦିନ ଧରି ଦାବି କରି ଆସୁଥିବା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିରାଶ ହେବାକୁ ପଡ଼ିଛି । ରାଜ୍ୟ ସରକାର ୧୫ଦିନ ମଧ୍ୟରେ ସେମାନଙ୍କର ଦାବି ଉପରେ ବିଚାର କରିବେ ବୋଲି ଗତ ୧୨ତାରିଖରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କ୍ୟାବିନେଟ ବୈଠକରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମସ୍ୟା ପ୍ରସଙ୍ଗରେ କୌଣସି ପ୍ରସ୍ତାବ ଆସି ନାହିଁ କିମ୍ବା ସରକାର ଏଥିପ୍ରତି ସାମାନ୍ୟତମ ଧ୍ୟାନ ଦେଇନଥିବା ଜଣାପଡ଼ିଛି ।