ଗାଁରେ ପଶିଲା ସମୁଦ୍ର ପାଣି
୭ ପଞ୍ଚାୟତବାସୀ ଆତଙ୍କିତ, ବିପଦପୂର୍ଣ୍ଣ ଅବସ୍ଥାରେ ଭିୟୁ ଟାୱାର
ଏରସମା(ଆପ୍ର): ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ସମୁଦ୍ରକୂଳିଆ ୭ ଗାଁରେ ଆତଙ୍କ । ଅଶାନ୍ତ ସମୁଦ୍ର ଢେଉରେ ଗଡହରିଶପୁର, ହାୱାଖାନା କଦମନାସୀ ସମେତ ୪ ସ୍ଥାନରେ ବାଲିବନ୍ଧ ଭାଙ୍ଗି ଲଣି ପାଣି ଜନବସତିକୁ ପଶିଛି । ଶିଆଳିରେ ଥିବା ଓଟିଡିସି ସଭାଗୃହ ଓ ଭିୟୁ ଟାୱାର ବିପଦସଂକୁଳ ଅବସ୍ଥାରେ ରହିଛି । ଗଡହରିଶପୁରରୁ ରାମତରା ପର୍ଯ୍ୟନ୍ତ ୪ କିମି ଲୁଣାଜଙ୍ଗଲ ସମୁଦ୍ର ଗର୍ଭରେ ଲୀନ ହେବା ଆଶଙ୍କା ପ୍ରକାଶ ପାଇଛି ।
ଗଡହରିଶପୁର, ପଦ୍ମପୁର ଓ ଆମ୍ବିକି ପଞ୍ଚାୟତର ସାତଟି ଗାଁର ଲୋକେ ୪ଦିନ ହେଲା ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଜୁଆର ମାଡ଼ରେ ଜନବସତିକୁ ସୁରକ୍ଷା ଦେଉଥିବା ବାଲିବନ୍ଧ ନିଶ୍ଚିହ୍ନ ହୋଇଯାଇଛି । ବାଡିବଗିଚା ଓ ଚାଷଜମିରେ ଲୁଣିପାଣି ମାଡ଼ି ବହୁ କ୍ଷତି ଘଟାଇଛି । ଗଡହରିଶପୁର ପଞ୍ଚାୟତ ହାୱାଖାନା କଦମନାସୀରେ ୨ଶହ ମିଟର ଓସାର ବନ୍ଧ ଭାଙ୍ଗିଛି । ରାତିରେ ଲୋକେ ବାତ୍ୟା ଆଶ୍ରୟସ୍ଥଳିରେ ରହିବା ସହିତ ପାଳି କରି ପହରା ଦେଉଥିବା ଜଣାପଡ଼ିଛି ।
ଗଡହରିଶପୁର ହାୱାଖାନାଠାରୁ ରାମତରା ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ ନିମିତ୍ତ ବର୍ଷ ବର୍ଷ ଧରି ଦାବି କରାଯାଇ ଆସୁଛି । କିନ୍ତୁ ଅଳ୍ପ କିଛି ବନ୍ଧ ନିର୍ମାଣ କରି ପ୍ରଶାସନ ଚୁପ ବସିଛି । ସେହିପରି କଳାବେଦୀ ଠାରେ ବାଲିବନ୍ଧ ଭାଙ୍ଗି ଲୁଣିପାଣି ଜନବସତିକୁ ମାଡି ଆସିଛି ।