୧ଠଠ ବିଧାୟକ ଆଣ, ମୁଖ୍ୟମନ୍ତ୍ରୀ କରିଦେବି

ମୌର୍ଯ୍ୟଙ୍କୁ ଅଖିଳେଶଙ୍କ ବଡ଼ ଅଫର୍
ଲକ୍ଷ୍ନୌ (ଏଜେନ୍ସି): ‘ନିଜ ଦଳ (ବିଜେପି)ରୁ ୧ଠଠ ବିଧାୟକ ଆଣି ସମାଜବାଦୀ ପାର୍ଟି (ଏସ୍ପି)ରେ ସାମିଲ କର, ମୁଁ ତୁମକୁ ମୁଖ୍ୟମନ୍ତ୍ରୀ କରିଦେବି ।’ ନିକଟରେ ଏସ୍ପି ମୁଖ୍ୟ ଅଖିଳେଶ ଏକ ଟିଭି ସାକ୍ଷାତକାର ଦେବା ଅବସରରେ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି । ମହାରାଷ୍ଟ୍ର, ଝାଡଖଣ୍ଡ, ବିହାର, ଦିଲ୍ଲୀ ଭଳି ରାଜ୍ୟରେ ବିଜେପିର ମିଶନ୍ ଲୋଟସ୍ ସମ୍ପର୍କରେ ପ୍ରତିକ୍ରିୟା ରଖି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍ପି) ନେତା ଅଖିଳେଶ ଯାଦବ ଏପରି କହିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ବରଂ ଏହାପୂର୍ବରୁ ମଧ୍ୟ ଅଖିଳେଶ ଏକାଧିକ ଥର ମୌର୍ଯ୍ୟଙ୍କୁ ଏଭଳି ପ୍ରସ୍ତାବ ବାରମ୍ବାର ଦେଇଆସୁଛନ୍ତି । ତେବେ ବିଜେପି ପକ୍ଷରୁ ଅଖିଳେଶଙ୍କ ଏପ୍ରକାର ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ଦିଆଯାଇଛି ।
ଅନ୍ୟପକ୍ଷେ ପ୍ରଦେଶ ବିଜେପି ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ଚୌଧୂରୀ ଅଖିଳେଶଙ୍କ ଉଦେ୍ଦଶ୍ୟରେ ଜବାବ ଦେଇ କହିଛନ୍ତି, ଅଖିଳେଶ ପ୍ରଥମେ ନିଜ ଦଳର ବିଧାୟକଙ୍କ କଥା ଚିନ୍ତା କରିବା ଉଚିତ୍ । ସେମାନଙ୍କୁ କିପରି ସୁରକ୍ଷିତ ରଖିପାରିବେ ଅଖିଳେଶ ସେସମ୍ପର୍କରେ ଭାବିବା ଦରକାର । କାରଣ ତାଙ୍କ ଦଳର ଅନେକ ନେତା, ବିଧାୟକ ଏବେ ବିଜେପି ସହ ସମ୍ପର୍କରେ ରହିଛନ୍ତି । ତାଙ୍କ ଦଳର ଅନେକ ବିଧାୟକ ଏବେ ବିଜେପିରେ ସାମିଲ ହେବାକୁ ଆଗ୍ରହୀ ରହିଛନ୍ତି । ଉଦ୍ଭ୍ରାନ୍ତ ପ୍ରତିଶ୍ରୁତି ଦେଇ ବିଜେପି ବିଧାୟକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାର ପ୍ରୟାସରେ କଦାପି ଅଖିଳେଶ ସଫଳ ହେବେନି । ଚୌଧୁରୀ କହିଛନ୍ତି କେବଳ ମୌର୍ଯ୍ୟ କାହିଁକି? ଦଳ (ବିଜେପି)ର କୌଣସି ନେତା, ବିଧାୟକ ଏପରିକି ଜଣେ କର୍ମୀ ମଧ୍ୟ ଦଳ ଛାଡିଯିବେ ନାହିଁ । କାରଣ ବିଜେପିର କୌଣସି ନେତା, ବିଧାୟକ, କର୍ମୀ ସ୍ୱାର୍ଥପର ନୁହଁନ୍ତି । ବିଜେପି ଏକ ପରିବାର ଯାହାକି କୌଣସି ପରିସ୍ଥିତିରେ ମଧ୍ୟ ଭାଙ୍ଗିବ ନାହିଁ ।
ପ୍ରକାଶ, ମୌର୍ଯ୍ୟ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ୨.ଠରେ ଉପମୁଖ୍ୟମନ୍ତ୍ରୀ ଭୂମିକା ନିର୍ବାହ କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *