ସମସ୍ୟାରେ ଫକୀରାବାଦ ଅଙ୍ଗନୱାଡି କେନ୍ଦ୍ର
ଡ଼େରାବିଶ (ଆପ୍ର): ସରକାର ପାନୀୟଜଳ ଉପରେ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି । ସେଥିପାଇଁ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମସ୍ତଙ୍କ ଘରକୁ ସ୍ୱଚ୍ଛ ପାନୀୟଜଳ ଯୋଗାଇଦେବାକୁ ପାଇପ ବିଛା ଚାଲିଛି । ମାତ୍ର ଅଙ୍ଗନୱାଡି କେନ୍ଦ୍ରରେ କୁନି କୁନି ପିଲା ଅଧ୍ୟୟନ କରୁଥିବା ବେଳେ ଏହି କେନ୍ଦ୍ର ପ୍ରତି ସତେ ଯେପରି କାହାରି ନିଘାନାହିଁ । ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଡେରାବିଶ ବ୍ଲକ୍ ଚାଟରାଚକଡା ପଞ୍ଚାୟତରେ ।
ଏହି ପଞ୍ଚାୟତ ଅନ୍ତର୍ଗତ ଫକିରାବାଦ ଅଙ୍ଗନୱାଡିକେନ୍ଦ୍ର ନିକଟରେ ଏକ ଗଭୀର ନଳକୂପ ଥିଲା । ମାତ୍ର ଦୁଇ ବର୍ଷ ହେବ ଏହି ନଳକୂପଟି ଅଚଳ ହୋଇପଡିଥିବା ବେଳେ କେନ୍ଦ୍ରରେ ଅଧ୍ୟୟନ କରୁଥିବା କୁନି କୁନି ପିଲେ ପିଇବା ପାଣି ପାଇପାରୁ ନାହାଁନ୍ତି । ପାନୀୟଜଳ ସଂଗ୍ରହ କରିବାକୁ ହେଲେ ଗୋଟିଏ କି.ମି ଯିବାକୁ ପଡୁଥିବା ପ୍ରକାଶ କରିଛନ୍ତି ଏହି କେନ୍ଦ୍ରର ସହାୟିକା ଖୁଲଣା ଦାସ । ଏ ସମ୍ପର୍କରେ ବହୁବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଶିଶୁବିକାଶ ଯୋଜନା ଅଧିକାରିଣୀଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ଯାଞ୍ଚ କମିଟି ସଭ୍ୟ । ସରକାରଙ୍କ ଏତେସବୁ ଯୋଜନା ସତ୍ୱେ ଯଦି କୁନି କୁନି ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳର ସୁବିଧା ହୋଇପାରୁନାହିଁ ତେବେ ଏହା ଦୁଃଖ ଓ ପରିତାପର ବିଷୟ ବୋଲି ଯାଞ୍ଚ କମିଟି ସଭାପତି ଭଗବାନ ସାହୁ ଓ ବାସୁଦେବ ଷଣ୍ଢ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୁଦତ ଦାସଙ୍କୁ ପଚାରିବାରୁ ଖୁବଶିଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।