ଦୋଛକିରେ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ
ବନ୍ଦରାଞ୍ଚଳ ସ୍କୁଲ୍ ପିଲାଙ୍କୁ ବସ୍ ଉଠାଉନି
ପାରାଦୀପ (ଆପ୍ର): ପାରାଦୀପ ବନ୍ଦର ଭିତରେ ଥିବା ସ୍କୁଲ୍ ଗୁଡିକୁ ସ୍କୁଲ୍ ବସ୍ ନ ନେବା କାରଣରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରାଦୀପ ଦୋଛକିରେ ରାଜରାସ୍ତା ଅବରୋଧ କରାଯାଇଛି । ଫଳରେ ଘଣ୍ଟା ଘଣ୍ଟା ଧରି ବନ୍ଦରର ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପାରାଦୀପ ବନ୍ଦରାଞ୍ଚଳ ମଧ୍ୟରେ ରହିଥିବା ବିଭିନ୍ନ ସ୍କୁଲ୍କୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ବସ ଯୋଗେ ଯାତାୟତ କରିବାକୁ ନେଇ ପାରାଦୀପ ୪ ନମ୍ବର ୱାର୍ଡ ଉଦୟବଟର ସ୍କୁଲ ଛାତ୍ରଛାତ୍ରୀଙ୍କୁ ବସ ନ ନେବା କାରଣରୁ ଛାତ୍ରଛାତ୍ରୀ ରାସ୍ତାରେ ବସ ଅଟକାଇ ବସିରହି ଥିଲେ ।
ପାରାଦୀପରେ ରହିଥିବା ବିଭିନ୍ନ ବିଦ୍ୟାଳୟ ଗୁଡିକୁ ପିଲାମାନଙ୍କୁ ନେବାପାଇଁ ନିୟୋଜିତ ବସ୍ ପାଇଁ ବର୍ଷକୁ ଏକ ଦେୟ ଧାର୍ଯ୍ୟ ବନ୍ଦର ପକ୍ଷରୁ ସ୍ଥିର କରାଯାଇଛି । ତେବେ ଦୁଇବର୍ଷ ଧରି କରୋନା ଯୋଗୁ ସ୍କୁଲ ସବୁ ବନ୍ଦ ରହିଥିବା ବେଳେ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ବସ ଯୋଗେ ପିଲାମାନଙ୍କ ଯାତାୟାତ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଓ ବନ୍ଦର ପ୍ରଶାସନ ପକ୍ଷରୁ ନିର୍ଦ୍ଧିଷ୍ଟ ସମୟରେ ବର୍ଷକର ଦେୟ ପୈଠ ପାଇଁ ନିର୍ଦେଶ ରହିଥିଲା । କିନ୍ତୁ କିଛି ବସ୍ତି ଅଞ୍ଚଳର ଅଭିଭାବକ ଅର୍ଥ ପୈଠରେ ବିଳମ୍ବ କରିଥିଲେ ଓ କିଛି ଅଭିଭାବକ ଅର୍ଥ ପୈଠ କରିଥିଲେ । ତେବେ ବିଳମ୍ବରେ ହେଉ ପଛେ ବକେୟା ଅର୍ଥ ପୈଠ କରିବାକୁ ଅଭିଭାବକମାନେ ଯାଇଥିଲେ ମଧ୍ୟ ଏହାକୁ ସ୍କୁଲ୍ କର୍ତ୍ତୃପକ୍ଷ ଗ୍ରହଣ କରିନଥିଲେ । ଫଳରେ ପିଲାଙ୍କ ଯାତାୟାତ ଲାଗି ବସ୍ ରଖିବାକୁ ଦାବି କରି ଉଦୟବଟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ରାସ୍ତା ଅବରୋଧ କରିଥିଲେ ।
