ନଈ ଭିତରେ ନଇଁଗଲା ୩୩ କେଭି ଖୁଣ୍ଟ
ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାରେ ତାଣ୍ଡବ ରଚିଛି ବନ୍ୟା । ଜିଲ୍ଲାର କଣାସ ଓ ଡେଲାଙ୍ଗ ବ୍ଲକ୍ର ଏବେ ହଜାର ହଜାର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଏପରିକି ସେମାନଙ୍କ ନିକଟରେ ପ୍ରଶାସନ ଆଜିପର୍ଯ୍ୟନ୍ତ ଆବଶ୍ୟକ ମୁତାବକ ରିଲିଫ୍ ପହଞ୍ଚାଇବାରେ ସଫଳ ହୋଇପାରିନି । ଫଳରେ ସେମାନେ ଦୀର୍ଘ ଦିନ ଧରି ଜଳବନ୍ଦୀରେ ଜୀବନ ବିତାଉଛନ୍ତି । କିଏ ଛାତ ଉପରେ ତ ଆଉ କିଏ ନିଜ ଘର ଖଟ ଉପରେ ଆଶ୍ରୟ ନେଇଛନ୍ତି । ଆଉ କିଏ ପର ଘରେ ଆଶ୍ରୟ ନେଇଛନ୍ତି । ଘରର ଦାଣ୍ଡ ଦୁଆରେ ଲହଡ଼ି ମାରୁଛି ପାଣି । ବନ୍ୟାର କାଳ ରାତିରେ ସାହା ସାଜିଥିଲା ବିଦୁ୍ୟତ୍ । ହେଲେ ଆଜିଠାରୁ ବିଦୁ୍ୟତ୍ ପାଇବାରୁ ବଞ୍ଚିତ ହୋଇଛନ୍ତି କଣାସ ଓ ଡେଲାଙ୍ଗବାସୀ । ଉକ୍ତ ଦୁଇ ବ୍ଲକ୍ର ଲକ୍ଷ ଲକ୍ଷ ଉପଭୋକ୍ତା ଏବେ ଚିନ୍ତାରେ । ବନ୍ୟା ପାଣିର ରାତି ଅଧରେ ସୁ ସୁ ଗର୍ଜନ କରୁଥିବା ବେଳେ ଏବେ ଅନ୍ଧାରରେ କାଳାତିପାତ କରିବେ ଲକ୍ଷ ଲକ୍ଷ ଲୋକେ । ଏଭଳି ସମୟରେ ବନ୍ୟା ବିପନ୍ନଙ୍କ ଦୁଇଗୁଣା ଦୁଃଖ ବଢ଼ିଗଲା । ବିଦୁ୍ୟତ୍ ମରାମତି ଲାଗି ଉଦ୍ୟମ ଜାରି ରହିଥିବା ବେଳେ ତାହା ସମ୍ଭବ ହୋଇପାରି ନ ଥିଲା । ଶେଷରେ ବିଦୁ୍ୟତ୍ ବିଭାଗ ଉପରକୁ ହାତ ଟେକିଦେଇଛି । ଏହାକୁ ନେଇ ଏବେ କଷ୍ଟରେ ଭାଙ୍ଗି ପଡ଼ିଛନ୍ତି ଦୁଇ ବ୍ଲକ୍ବାସୀ ।
ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ତିରିମଲଠାରେ ଦୟାନଦୀ ମଧ୍ୟରେ ଆସିଥିବା ୩୩ କେଭି ଖୁଣ୍ଟ ପାଣିରେ ଧସି ହୋଇ ନଇଁ ପଡ଼ିଛି । ଏପରିକି ୩୩ କେଭି ତା’ର ପାଣିକୁ ସ୍ପର୍ଶ କରିଛି । ଉକ୍ତ ଘଟଣା ଜଣାପଡିବା ପରେ ପିପିଲି-ଡେଲାଙ୍ଗର ଯୁବ ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ । ପରେ ବୋଟ ମଧ୍ୟରେ ନଦୀକୁ ଯାଇ ବିଦୁ୍ୟତ୍ କର୍ମଚାରୀମାନେ ଖୁଣ୍ଟ ନିକଟରେ ପହଞ୍ଚିଥିଲେ ସୁଦ୍ଧା କାର୍ଯ୍ୟ କରିବା ସମ୍ଭବ ହୋଇପାରି ନ ଥିଲା । ଗୋଟିଏ ପଟେ ବୋଟକୁ ପାଣି ଠେଲି ନେଉଥିବା ବେଳେ ଅନ୍ୟପଟେ ଖୁଣ୍ଟଠାରୁ ତା’ରକୁ ଅଲଗା କରିବାକୁ ଚେଷ୍ଟା କରିଥିଲେ । ଏପରିକି ଦୀର୍ଘ ସମୟ ଧରି ନଦୀ ମଧ୍ୟରେ କସରତ କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରି ନ ଥିଲା । ବିଦୁ୍ୟତ୍ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ । ଘଟଣାସ୍ଥଳରୁ ନିରାଶ ହୋଇ ଫେରିବା ଖବର ମିଳିବା ପରେ କଣାସ ଓ ଡେଲାଙ୍ଗ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ଏନେଇ ଡେଲାଙ୍ଗର ଜଣେ ବନ୍ୟା ବିପନ୍ନ କୁହନ୍ତି, ବନ୍ୟା ପାଣି ମଧ୍ୟରେ ରହୁଥିବା ବେଳେ ବିଦୁ୍ୟତ୍ ବହୁ ସାହସ ଦେଉଥିଲା । ଏପରିକି ଦିନ ଓ ରାତିରେ ଘରେ ସାପ ଓ ବିଛା ଠାରୁ ଆରମ୍ଭ କରି ସରୀସୃପ ଘରେ ପଶୁଛନ୍ତି । ବିଦୁ୍ୟତ୍ ରହିଥିବା ବେଳେ ସେମାନେ ଘରେ ପଶିବା ସମୟରେ ସହଜରେ ଜାଣି ହୋଇପାରୁଥିଲା । କିନ୍ତୁ ଏବେ ରାତିରେ ସାପଙ୍କ ଆତଙ୍କ ବେଶୀ ଦେଖାଦେବ । ଅନ୍ୟପକ୍ଷରେ କିରାସିନି ଲିଟର ୯୦ ଟଙ୍କା ହୋଇଥିବା ବେଳେ ଏହି ସମୟରେ କିଣିବା ସମ୍ଭବ ନୁହେଁ । ତେଣୁ ବିଦୁ୍ୟତ୍ ସଂଯୋଗ ନ ହେବା ପର୍ଯ୍ୟନ୍ତ ଦୁଇ ବ୍ଲକ୍ରେ ଅସ୍ଥାୟୀ ବିଦୁ୍ୟତ୍ ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି । ଏହି ସମୟରେ ବିଦୁ୍ୟତ୍ ବିଭାଗର କର୍ମଚାରୀଙ୍କ ସହ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିସଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।