ଦିଗହରା ହେଉଛି ଏସ୍ସିବିରେ ଲିଭର୍ ପ୍ରତିରୋପଣ

କଟକ (ବୁ୍ୟରୋ): ରାଜ୍ୟ ସରକାର ଏସସିବି ମେଡ଼ିକାଲକୁ ଏମ୍ସ ପ୍ଲସର ମାନ୍ୟତା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଏସ୍ସିବିରେ ଆଜି ପର୍ଯ୍ୟନ୍ତ ଲିଭର ପ୍ରତିରୋପଣ ବ୍ୟବସ୍ଥା ହୋଇପାରୁ ନାହିଁ । ରାଜ୍ୟରେ ଜଟିଳ ଲିଭର ସମସ୍ୟା ଜନିତ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ଏହି ଚିକିତ୍ସା ସୁବିଧା ରାଜ୍ୟରେ ଉପଲବ୍ଧ ନଥିବାରୁ ଅକାଳରେ ଅନେକ ଗରିବ ରୋଗୀ ଆଖି ବୁଜୁଛନ୍ତି । ଏସ୍ସିବି ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଲିଭର ପ୍ରତିରୋପଣ (ଟ୍ରାନ୍ସପ୍ଲାଣ୍ଟେସନ୍) ଚିକିତ୍ସା କରାଯିବା ଲାଗି ୨୦୧୩ ମସିହାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ପରଠାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକାଧିକ ବାର ସମୀକ୍ଷା ବୈଠକ ବସିଛି । ଏସ୍ସିବି ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ବିଶେଷଜ୍ଞ, ମେଡିକାଲ କଲେଜ ଅଧ୍ୟକ୍ଷ, ଡାକ୍ତରଖାନା ଅଧୀକ୍ଷକ, ସ୍ୱାସ୍ଥ୍ୟ ସଚିବ, ବିଭାଗୀୟ ମନ୍ତ୍ରୀ ଓ ଡିଏମ୍ଇଟିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଉପରିସ୍ଥ ଅଧିକାରୀଙ୍କ ମଧ୍ୟରେ ଅନେକ ସମନ୍ୱୟ ଓ ସମୀକ୍ଷା ବୈଠକ ବସି ଲିଭର ପ୍ରତିରୋପଣ ଚିକିତ୍ସା ଆରମ୍ଭ ହେବା ସମ୍ପର୍କରେ ଯୋଜନା ପ୍ରସ୍ତୁତ ହୋଇଛି । ପ୍ରଶାସନିକ ସ୍ତରରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ଲିଭର ପ୍ରତିରୋପଣ ପାଇଁ କୋଟିକୋଟି ଟଙ୍କା ବ୍ୟୟରେ ଯନ୍ତ୍ରପାତି ଓ ସରଞ୍ଜାମ ଆଦି କିଣା ଯାଇଥିଲା । ମାତ୍ର ସମନ୍ୱୟ ଅଭାବରୁ ଏସ୍ସିବିରେ ଲିଭର ପ୍ରତିରୋପଣ ଚିକିତ୍ସା ଏବେ ଆଗେଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି । ଲିଭର ପ୍ରତିରୋପଣ ଚିକିତ୍ସା କ’ଣ ପାଇଁ ଏସ୍ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଆରମ୍ଭ ହୋଇପାରୁନାହିଁ କେଉଁଠି ଅସୁବିଧା ରହିଛି ।
ଏ ସମ୍ପର୍କରେ ଜାଣିବା ପାଇଁ ସଚିବାଳୟରେ ଅନେକ ସମୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମାତ୍ର ଅଦ୍ୟାବଧି କୌଣସି ଫଳ ମିଳିପାରିନାହିଁ । ଲିଭର ପ୍ରତିରୋପଣ ଚିକିତ୍ସା ପାଇଁ ପ୍ରାୟ ୨୨ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଅନୁମୋଦନ ଲାଭ କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ ସରକାର ପ୍ରାୟ ୭ କୋଟିରୁ ଅଧିକ ଟଙ୍କା ବ୍ୟୟ କରି ଲିଭର ପ୍ରତିରୋପଣ ଲାଗି ଆବଶ୍ୟକ ସରଞ୍ଜାମ ଯୋଗାଇ ଦେଇଥିଲେ । ଅନ୍ୟପକ୍ଷରେ ପ୍ରଥମ ଥର ହେବା ପାଇଁ ଏସ୍ସିବିରେ ହେବାକୁ ଥିବାରୁ ରାଜ୍ୟ ସରକାରଙ୍କ ଅର୍ଥରେ ନୂଆଦିଲ୍ଲୀସ୍ଥିତ ସାର୍ ଗଙ୍ଗାଧର ରାମ ହସ୍ପିଟାଲ ଆଦି କେତେକ ପ୍ରମୁଖ ଡାକ୍ତରଖାନା ବୁଲି ଲିଭର ପ୍ରତିରୋପଣ ସମ୍ପର୍କରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗର ଡାକ୍ତର ଓ ଅନ୍ୟ କେତେକ ବିଭାଗର ଡାକ୍ତରଙ୍କ ସମେତ ପାରାମେଡିକାଲ୍ କର୍ମଚାରୀମାନେ ପରିଦର୍ଶନ କରି ଅପରେସନ୍ ଓ ଚିକିତ୍ସାର ତରିକା ଆଦି ସମ୍ପର୍କରେ ଟ୍ରେନିଂ ନେଇଥିଲେ । ସେହିପରି ଖାତାନାମା ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ ବିଶେଷଜ୍ଞ ଡାକ୍ତର ଚେରିୟନଙ୍କ ସମେତ ବହୁ ଅଭିଜ୍ଞ ବିଶେଷଜ୍ଞ ମଧ୍ୟ ଏସ୍ସିବି ଡାକ୍ତରଖାନା ଆସି ଲିଭର୍ ପ୍ରତିରୋପଣ ସମ୍ପର୍କରେ ଆଲୋଚନା କରିଥିଲେ । ଲିଭର୍ ପ୍ରତିରୋପଣ ଚିକିତ୍ସା ରାଜ୍ୟ ବାହାରେ ବିଭିନ୍ନ ଘରୋଇ ହସ୍ପିଟାଲରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ ଏସ୍ସିବିରେ ଏହି ଚିକିତ୍ସା ୬ଲକ୍ଷ ଟଙ୍କାରୁ ୭ ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ ହେବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା । ଗରିବ ରୋଗୀଙ୍କ ଏହି ଚିକିତ୍ସା କ୍ଷେତ୍ରରେ ଓଏସ୍ଟିଏଫ୍ ଅନୁଦାନରୁ ସହୟତା ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ । ମାତ୍ର ସବୁ ନିଷ୍ପତ୍ତି ଏବେ କାଗଜପତ୍ରରେ ସୀମିତ ରହିଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *