ବିହାର: ବଦଳିଯିବ ସମୀକରଣ
ପାଟନା,୭ା୮: ଶନିବାର କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପୂର୍ବତନ ଜେଡିୟୁ ସାଂସଦ ଆର୍ସିପି ସିଂହଙ୍କ ଇସ୍ତଫା ପରେ ରାଜ୍ୟରେ ରାଜନୈତିକ ହଲ୍ଚଲ୍ ବଢିଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିଜେପି ମଧ୍ୟରେ ଗତ କିଛିଦିନ ହେଲା ଯେଭଳି ମୁକାବିଲାମୂଳକ ସ୍ଥିତି ଜାରି ରହିଛି, ସେଥିରୁ ଅନୁମାନ କରାଯାଉଛି ଯେ ଅଗଷ୍ଟ ୧୧ ପୂର୍ବରୁ ବିହାରରେ ରାଜନୈତିକ ସମୀକରଣ ବଦଳିଯିବ ଏବଂ ରାଜ୍ୟରେ ଆର୍ଜେଡି ସହ ମିଶି ନୀତୀଶ ପୁଣି ଥରେ ସରକାର ଗଢିବେ ।
ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ଯେ ଜେଡିୟୁ-ବିଜେପି ମଧ୍ୟରେ ସବୁକିଛି ଠିକ୍ ନାହିଁ । ଜେଡିୟୁ କେନ୍ଦ୍ର କ୍ୟାବିନେଟ୍ରେ ଦୁଇଟି ମନ୍ତ୍ରୀପଦ ଦାବି କରିଥିଲା । ଏଥିରେ ବିଜେପି ରାଜି ନହେବାରୁ ନୀତୀଶ କୁମାର କେନ୍ଦ୍ର କ୍ୟାବିନେଟ୍ରେ ଜେଡିୟୁ ସାମିଲ ହେବ ନାହିଁ ବୋଲି ନିଷ୍ପତ୍ତି ଘୋଷଣା କରିଛନ୍ତି । ଏନ୍ଡିଏ ସହ ସମ୍ପର୍କ ତୁଟାଇବା ପାଇଁ ନୀତୀଶ କୁମାର ବସ୍ତୁତଃ ଏକ ଏଗ୍ଜିଟ୍ ରୁଟ୍ ଖୋଜୁଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍ସିପି ସିଂହଙ୍କୁ ତୃତୀୟବାର ରାଜ୍ୟସଭାକୁ ନ ପଠାଇ ନୀତୀଶ ଯେଉଁ ‘ଅପରେସନ୍ ଆର୍ସିପି’ ଚଳାଇଲେ ତାହା ଏହାର ଅଂଶବିଶେଷ ।
ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଜେଡିୟୁ ସାଂସଦମାନଙ୍କ ବୈଠକ ଡାକିଛନ୍ତି । ସୋମବାର ସନ୍ଧ୍ୟାରେ ସବୁ ସାଂସଦଙ୍କୁ ପାଟନାରେ ପହଞ୍ଚôବା ପାଇଁ କୁହାଯାଇଛି । ମଙ୍ଗଳବାର ବୈଠକର ଆଲୋଚ୍ୟ ବିଷୟ ପ୍ରକାଶ କରାଯାଇ ନଥିଲେ ହେଁ ବିଜେପି ସହ ମେଣ୍ଟର ଭବିଷ୍ୟତ ନେଇ ଆଲୋଚନା ହୋଇପାରେ । ସେହିପରି ଆର୍ଜେଡି ମଧ୍ୟ ବିଧାନମଣ୍ଡଳ ଦଳ ବୈଠକ ଡାକିଛି । ତା’ପୂର୍ବରୁ ଜିତନ୍ରାମ ମାଂଝି ମଧ୍ୟ ତାଙ୍କ ବିଧାୟକ ଦଳର ବୈଠକ ସୋମବାର ଡାକିଛନ୍ତି । ଇତି ମଧ୍ୟରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ଓ ବର୍ଷକ ପରେ ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ସହ ତାଙ୍କ ଦଳ ମେଣ୍ଟ କରିବା କଥାକୁ ଏଡାଯାଇନପାରେ । କିନ୍ତୁ ଏବେ ସେ ବିଷୟରେ ଆଲୋଚନା କରିବାର କୌଣସି ଅର୍ଥ ନାହିଁ । ଯେବେ ନିର୍ବାଚନ ଆସିବ ସେବେ ଦେଖାଯିବ । ନୀତୀଶଙ୍କୁ ନେଇ ଆର୍ଜେଡି ନରମ ମନୋଭାବ ପୋଷଣ କରୁଥିବା ଲକ୍ଷ୍ୟ କରାଯାଉଛି । ଜାତି ଜନଗଣନା ନେଇ ବିଜେପିର ନିଷ୍ପତ୍ତି ବଦଳିବା ପରଠାରୁ ଆର୍ଜେଡି ନୀତୀଶଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଆସୁଛି । ଦଳ ପକ୍ଷରୁ ନୀତୀଶଙ୍କ ବିରୋଧରେ କୌଣସି ପ୍ରକାର ବିବୃତି ନଦେବା ପାଇଁ ସବୁ ପ୍ରବକ୍ତାଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟରେ ବେଶ୍ କିଛି ଦିନ ହେଲା ସୁସମ୍ପର୍କ ଗଢି ଉଠିଥିବା କାହାକୁ ଅଛପା ନାହିଁ । ମହଙ୍ଗା ପରିସ୍ଥିତି ବିରୋଧରେ ଆର୍ଜେଡି ପକ୍ଷରୁ ମହାମେଣ୍ଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ପାଟନାଠାରେ ଶନିବାର ଆୟୋଜିତ ଏହି ଶୋଭାଯାତ୍ରାରେ ଆର୍ଜେଡି ନେତା ତେଜସ୍ୱୀ ଯାଦବ ନେତୃତ୍ୱ ନେଇଥିଲେ । ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ସବୁଜ ପତାକା ଦେଖାଇ ମହଙ୍ଗା ହଟାଅ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଲାଲୁଙ୍କ ଜ୍ୟେଷ୍ଠପୁତ୍ର ତେଜପ୍ରତାପ ଯାଦବ ମଧ୍ୟ ଶୋଭାଯାତ୍ରାରେ ଭାଗ ନେଇଥିଲେ ।