ତାମିଲନାଡୁରୁ ଆସିଲା ୩ କ୍ୱିଣ୍ଟାଲ୍ ଚନ୍ଦନ କାଠ

ପୁରୀ (ବୁ୍ୟରୋ): ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ପାଇଁ ସୁଦୂର ତାମିଲନାଡ଼ୁରୁ ଆସିଛି ୩ କ୍ୱିଣ୍ଟାଲ ଜୟପୋଖାଲ ଚନ୍ଦନ କାଠ । ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ଟିମ୍ ତାମିଲନାଡୁ ଗସ୍ତ କରିଥିଲେ । ଏହି ଚନ୍ଦନ କାଠ ବନବିଭାଗ ଠାରୁ କଡ଼ା ସୁରକ୍ଷା ଭିତରେ ଟ୍ରେନ୍ ମାଧ୍ୟମରେ ଶ୍ରୀକ୍ଷେତ୍ରକୁ ଅଣାଯାଇଛି । ଯାହାର ଦାମ୍ ୧କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି । ପ୍ରତ୍ୟେକ ଦିନ ଶ୍ରୀଜିଉଙ୍କ ନୀତିକାନ୍ତି ସହ ଅନ୍ୟାନ୍ୟ ପର୍ବପର୍ବାଣୀରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଲାଗି ହେଉଥିବା ଚନ୍ଦନ କାଠ ଜୟପୋଖାଲ ପ୍ରଜାତିର । ପୂର୍ବରୁ ଚନ୍ଦନ କାଠ ତାମିଲନାଡୁରୁ ଅଧିକ ପରିମାଣର ଆସୁଥିଲା । କିନ୍ତୁ ଆଇନଗତ ସମସ୍ୟା ପାଇଁ ଅଟକି ରହିଥିଲା । ଏହାମଧ୍ୟରେ ୩ କ୍ୱିଣ୍ଟାଲ୍ ଚନ୍ଦନ କାଠ ଦେବାକୁ ତାମିଲନାଡୁ ବନବିଭାଗ ସହମତି ଦେବାପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ତାମିଲନାଡୁ ଗସ୍ତ କରି ଏହା ଆଣିଛନ୍ତି । ବର୍ଷକ ପାଇଁ ଦୈନନ୍ଦିନ ନୀତିକାନ୍ତିରେ ଏହି ଚନ୍ଦନ ବ୍ୟବହାର ହେବ । ଦୈନିକ ଶ୍ରୀମନ୍ଦିରରେ ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ସହ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ଚନ୍ଦନଲାଗି କରାଯାଇଥାଏ । ଏଥିପାଇଁ ଦୈନିକ ପ୍ରାୟ ୭ଶହ ଗ୍ରାମ୍ ଚନ୍ଦନ ଆବଶ୍ୟକ ପଡ଼ିଥାଏ । ଏହି ଚନ୍ଦନ ମହାପ୍ରଭୁଙ୍କ ଅଧରରେ ଲାଗି ହୁଏ । ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଅଣସର ନୀତି ବେଳେ ଏହି ଚନ୍ଦନକୁ କଢ଼ାଯାଇ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ଶରୀରରେ ଚନ୍ଦନ ଲେପ ଦିଆଯାଇଥାଏ । ଏଥିପାଇଁ ୧୬ ସେରେ ଚନ୍ଦନ ଲାଗି ହୋଇଥାଏ । ସେହିଭଳି ଚନ୍ଦନ ଯାତ୍ରା ନୀତି ବେଳେ ୭ କେଜି ଚନ୍ଦନ ଲାଗି ହୋଇଥାଏ । ଗତ ୨୦୨୧ ମସିହା ସେପ୍ଟେମ୍ବର ୨ ତାରିଖରେ ଖଲ୍ଲିକୋଟର ଜଣେ ଭକ୍ତ ସକଳେଶ୍ୱର ରଥ ଶ୍ରୀମନ୍ଦିରକୁ ୨ କ୍ୱିଣ୍ଟାଲ୍ ଓଜନର ଚନ୍ଦନ କାଠ ଦାନ କରିଥିଲେ । ନିଜ ଘରବାଡ଼ିରେ ଥିବା ଚନ୍ଦନ କାଠକୁ ଦାନ କରିବା ନିମନ୍ତେ ସେ ପ୍ରାୟ ୨ବର୍ଷ ହେବ ମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ସକଳେଶ୍ୱରଙ୍କ ସମେତ ତାଙ୍କ ପିତା ଆର୍ତ୍ତତ୍ରାଣ ରଥ ଓ ସପରିବାର ଆସି ଏହି କାଠକୁ ଦାନ କରି ଥିଲେ । ଏଥିରେ ଉକ୍ତ ଗଛର ଗଣ୍ଡି ଅଂଶର ୧୭ ଖଣ୍ଡ, ଶାଖା ୨୨, ମୂଳ ୯ଖଣ୍ଡ ଏବଂ କାଟିବା ବେଳେ ବାହାରିଥିବା ୩ କିଲୋଗ୍ରାମ ଛେଲି ବାହାରିଥିଲା । ସରକାରୀ ନିୟମ ଅନୁଯାୟୀ ଗଛ କାଟି ଆବଶ୍ୟକୀୟ ମାପଚୁପ କରାଯାଇ ଅଣାଯାଇଥିଲା । ମହାପ୍ରଭୁଙ୍କଠାରେ ଚନ୍ଦନଲାଗି ପାଇଁ ଆବଶ୍ୟକୀୟ ଚନ୍ଦନ କାଠ ମିଳିବା ସହଜ ହେଉ ନ ଥିଲା । ଉଭୟ ଆଇନଗତ ଦିଗ ଓ ଚନ୍ଦନକାଠର ଅଭାବ ସମସ୍ୟା ଦୁଇଟି ଅସୁବିଧା ରହିଛି ବୋଲି ସୂଚନା ମିଳୁଥିଲା । ଓଡ଼ିଶାରେ ଜବତ ହୋଇଥିବା ଚନ୍ଦନକାଠ ଅଣାଯିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *