୮୭ ମିମି. ବର୍ଷାରେ ଉବୁଟୁବୁ ବଡ଼ଦାଣ୍ଡ

ଅସ୍ତବ୍ୟସ୍ତ ସହରବାସୀ
ପୁରୀ (ବୁ୍ୟରୋ): ୮୭ ମିମି. ବର୍ଷାରେ ଜଳାର୍ଣ୍ଣବ ହୋଇଛି ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ୪ ଫୁଟ୍ ଉଚ୍ଚର ପାଣି ଜମି ରହିଛି । ଡ୍ରେନ୍ଗୁଡ଼ିକରେ ପାଣି ପୂର୍ଣ୍ଣହୋଇ ବଡ଼ଦାଣ୍ଡରେ ଭାସୁଛି । ହଜାର ହଜାର ଭକ୍ତ ନଳା ପାଣି ସହ ବଡ଼ଦାଣ୍ଡ ପାଣିରେ ଚାଲିକରି ଯିବା ସମୟରେ ଅସ୍ୱାସ୍ଥ୍ୟକର ଅନୁଭବ କରୁଛନ୍ତି । ବଡ଼ଦାଣ୍ଡରେ ପାଣି ଲହଡ଼ି ମାରୁଛି । କାର୍ ସାଇଲେନ୍ସରେ ପାଣି ପଶି ଅଧବାଟରେ ଅଟକି ରହିଥିଲା । ବଡ଼ଦାଣ୍ଡର ଦୁଇପାଶ୍ୱର୍ରେ ରଖାଯାଇଥିବା ବାଇକ୍ରେ ପାଣି ପଶିବା ଯୋଗୁ ଷ୍ଟାର୍ଟ ନ ହୋଇ ଗ୍ୟାରେଜ୍ରେ ଭିଡ଼ ଜମିଛି । ଡ୍ରେନ୍ରୁ ନିଷ୍କାସିତ ଅଳିଆ ଆବର୍ଜନା ଓ ବଡ଼ଦାଣ୍ଡର ଆବର୍ଜନା ଭାସି ଭାସି ମେଡିକାଲ୍ ଛକ ଜଳ ନିଷ୍କାସନ ଜାଲିରେ ଲାଗି ରହୁଛି । ଫଳରେ ଶୀଘ୍ର ବଡ଼ଦାଣ୍ଡ ପାଣି ନିଷ୍କାସିତ ନ ହୋଇ ଅଧିକ ସମୟ ବଡ଼ଦାଣ୍ଡÿରେ ଜମି ରହୁଛି ।
ଜଳ ନିଷ୍କାସନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସବୁ ବ୍ୟବସ୍ଥା ଫେଲ୍ ମାରିଛି । ବାସେଳୀସାହି, ମାର୍କଣ୍ଡେଶ୍ୱର ସାହି, ଘଣାମଲ୍ଲ ସାହି ଓ ବଡ଼ଦାଣ୍ଡର ଦୁଇପାଶ୍ୱର୍ରେ ଥିବା ସାହିଗୁଡ଼ିକରେ ବର୍ଷାଜଳ ବଡ଼ଦାଣ୍ଡକୁ ଆସିବା ଫଳରେ ପାଣିର ଉଚ୍ଚତା ବଢୁଛି । ମେଡିକାଲ୍ ଛକରେ ଥିବା ନିଷ୍କାସିତ ଜାଲିରେ ପଳିଥିନ୍ ଲାଗି ରହିବା ଯୋଗୁଁ ପାଣି ଶୀଘ୍ର ନିଷ୍କାସିତ ହୋଇପାରୁନି । ମେଡିକାଲ୍ ଛକଠାରୁ ପାଣି ବଢ଼ି ବଢ଼ି ମାର୍କେଟ ଛକ ପର୍ଯ୍ୟନ୍ତ ରହୁଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଡ୍ରେନ୍ ନିର୍ମାଣ କରାଯାଇଥିଲେ ମଧ୍ୟ ବର୍ଷା ପାଣି ଡ୍ରେନ୍ରେ ନ ଯାଇ ବଡ଼ଦାଣ୍ଡରେ ଯାଉଛି । ଅପରିଷ୍କାର ପାଣି ଭିତରେ ଯାତ୍ରୀମାନେ ଯିବା ସମୟରେ ବଡ଼ଦାଣ୍ଡରେ ଏପରି ଅବସ୍ଥା ଦେଖି ଚକିତ ହେଉଛନ୍ତି । ବଡ଼ଦାଣ୍ଡରୁ ଜଳ ନିଷ୍କାସନ ପାଇଁ ଯେତେଗୁଡ଼ିଏ ଯୋଜନା ହେଉଛି ତାହା ଫେଲ୍ ମାରୁଛି । ଫଳରେ କୋଟି କୋଟି ଟଙ୍କା ପାଣିରେ ପଡୁଛି । ଦିନତମାମ ବର୍ଷା ଲାଗି ରହିବା ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ସହରବାସୀ । ଏପରିକି ବଡ଼ଦାଣ୍ଡ ସମତେ ସହର ସମ୍ପୂର୍ଣ୍ଣ ଭାବେ ଖାଁ ଖାଁ ଦେଖିବାକୁ ମିଳିଥିଲା ।
ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଲହଡ଼ି ମାରୁଛି ବର୍ଷା ପାଣି
ଖୋଦ୍ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଆଣ୍ଠୁଏ ପାଣି ଲହଡ଼ି ମାରୁଛି । ସେହି ଅଞ୍ଚଳର ରାସ୍ତା ଖାଲୁଆ ରହିଥିବାରୁ ପାଣି ଜମି ରହୁଛି । ସେହି ପାଣି ନିଷ୍କାସିତ ପାଇଁ ବାଟ ନ ଥିବାରୁ ତାହା ରାସ୍ତା ଉପରେ ଜମି ରହୁଛି । ସୁଭାଷ ବୋଷ ଛକ ଠାରୁ ହରିହର ଛକ ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣ ହୋଇ ନ ଥିବାରୁ ବର୍ଷା ଜଳ ନିଷ୍କାସିତ ହେବାରେ ବାଧାସ୍ୃଷ୍ଟି ହେଉଛି । ଏହା ସହ ଉକ୍ତ ରାସ୍ତାଟି ଉଚ୍ଚନୀଚ୍ଚ ରହିଥିବାରୁ ବର୍ଷା ପାଣି ଆସି ପୁରୀ କ୍ଲବ୍ ପାଖରେ ଜମି ରହୁଛି । ଆଜି ପ୍ରବଳ ବର୍ଷା ଯୋଗୁଁ ସେହି ସ୍ଥାନରେ କାର୍ ଓ ବାଇକ୍ ଗୁଡ଼ିକ ଯିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ବେଳାଭୂମିରେ ଭାସିଲା ନଳାପାଣି
ପୁରୀ ହେବ ବିଶ୍ୱ ଐତିହ୍ୟନଗରୀ । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ବେଳାଭୂମିର ଭିତ୍ତିଭୂମି ସଜଡ଼ା ଯାଇ ନ ଥିବାରୁ ବର୍ଷା ଜଳ ସମେତ ଡ୍ରେନ୍ ଜଳ ଓ ସାହିରୁ ନିର୍ଗତ ବର୍ଷା ଜଳ ଏକତ୍ର ହୋଇ ବେଳାଭୂମିରେ ଧସେଇ ପଶୁଛି । ରେଣୁକା ଗଳିରୁ ଡ୍ରେନ୍ ପାଣି ଓ ସ୍ୱେରେଜ୍ ପାଣି ବେଳାଭୂମି ରାସ୍ତା ଅତିକ୍ରମ କରି ବେଳାଭୂମିରେ ପ୍ରବେଶ କରୁଛି । ବେଳାଭୂମି ରାସ୍ତାରେ ଏକ କୃତିମ ହ୍ରଦ ସୃଷ୍ଟି ହେଉଛି । ଏହା ସହ ବର୍ଷା ପାଣି କ୍ଷିପ୍ରଗତିରେଯିବାରୁ ବେଳାଭୂମିରେ ଅଦିନିଆ ମୁହାଣ ସୃଷ୍ଟି ହେଉଛି । ବାଲି ତାଡ଼ି ହୋଇଥିବା ଓ ବର୍ଷା ପାଣି ଜମି ରହିବା ଯୋଗୁଁ ପର୍ଯ୍ୟଟକମାନେ ରାସ୍ତା ଉପରେ ବୁଲିକରି ଯାଉଛନ୍ତି । ସେହି ସ୍ଥାନରେ ଥିବା ହାଇମାଷ୍ଟ ଲାଇଟ୍ର ମୂଳ ତାଡ଼ି ହୋଇଯାଇଛି । ଏହା ଭୁଶୁଡ଼ି ଯିବାର ସମ୍ଭାବନା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *