ଜିଲ୍ଲାପାଳ ଅଫିସ୍ ଘେରିଲା ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ
ଏସ୍ଟି କମିଶନ ସଦସ୍ୟଙ୍କୁ ଆକ୍ରମଣ
କେନ୍ଦୁଝର (ଆପ୍ର): କେନ୍ଦୁଝରରେ ଜାତୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକଙ୍କୁ ଆକ୍ରମଣ ପ୍ରତିବାଦରେ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ପକ୍ଷରୁ ଶନିବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏକ ରାଲିରେ ଆଦିବାସୀମାନେ କାଳିପଡ଼ିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୂର୍ବରୁ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ପକ୍ଷରୁ ଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାକୁ ପ୍ରତିବାଦ ଜଣାଇ ଦାବିପତ୍ର ଦେଇଥିଲେ । ତେବେ ୭୨ ଘଣ୍ଟା ବିତି ଯାଇଥିଲେ ହେଁ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନଯିବାରୁ ଆଜି ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବୋଲି ଆଦିବାସୀ ନେତା କୈଳାଶ ନାୟକ କହିଛନ୍ତି । ଜିଲ୍ଲା ପ୍ରଶାସନ ତାଙ୍କ ଗସ୍ତ ସମୟରେ ସୁରକ୍ଷା ନ ଦେଲେ ଆଗାମୀ ଦିନରେ ଆନେ୍ଦାଳନ ତୀବ୍ରତର କରାଯିବ ବୋଲି ମଞ୍ଚ କହିଛି ।
ଆଦିବାସୀ ଲୋକଙ୍କ ଅଭିଯୋଗ ଶୁଣାଣି କରିବା ପାଇଁ ଗସ୍ତ ସମୟରେ ରାଜନୈତିକ ଦଳ ଇଙ୍ଗିତରେ ତାଙ୍କୁ ବିରୋଧ କରାଯାଉଥିବା ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି । ଜୁଲାଇ ମାସ ୨୯ ତାରିଖରେ ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁଣ୍ଡା ଏବଂ ଅଗଷ୍ଟ ୧ ତାରିଖ ଦିନ କାଞ୍ଜିପାଣି ଠାରେ ବିରୋଧ କରି ଆକ୍ରମଣ କରାଯାଇ ଅପଦସ୍ତ କରାଯାଇଛି । ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ରାଜନୈତିକ ଉଦେ୍ଦଶ୍ୟ ରଖି ବିରୋଧ କରାଯାଉଛି । ଜିଲ୍ଲା ପ୍ରଶାସନ ତାଙ୍କୁ ସୁରକ୍ଷା ଦେବାରେ ଫେଲ ମାରିଥିବାରୁ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଘଟଣାର ୪ ଦିନ ପରେ ମଧ୍ୟ ପୁଲିସ କାହାରିକୁ ଗିରଫ କରି ନ ଥିବାରୁ ପ୍ରଶାସନର ଭୂମିକା ସନେ୍ଦହ ଘେରରେ ବୋଲି ମଞ୍ଚ ଅଭିଯୋଗ କରିଛି । କାଞ୍ଜିପାଣି ପୁଲିସ ଷ୍ଟେସନରୁ ମାତ୍ର ୧୦୦ ମିଟର ଦୂରରେ ଘଟଣା ଘଟିବା ଏବଂ ପୂର୍ବରୁ ଅନୁମତି ନ ନେଇ ଏତେ ଲୋକ ରୁଣ୍ଡ ହୋଇ ବିରୋଧ କରିବାକୁ ପୁଲିସ କିପରି ଜାଣି ପାରିଲା ନାହିଁ ତାହାକୁ ନେଇ ମଞ୍ଚ ପ୍ରଶ୍ନ ଉଠାଇଛି । ଖଣି ଯୋଗୁ ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ପ୍ରଶାସନ ଚୁପ୍ ବସିଛି ।
ବିକ୍ଷୋଭରେ କେନ୍ଦୁଝର ଜିଲ୍ଲା ଗୋଁଣ୍ଡ ସାଂସ୍କୃତିକ ସମାଜର ସଭାପତି ଜନାର୍ଦ୍ଦନ ନାୟକ, ପ୍ରଭାକର ସିଂ, ଗୋବିନ୍ଦ ନାୟକ, ଦୟାନିଧି ଖଣ୍ଡା, ଦିଗାମ୍ବର ଦଣ୍ଡପାଟ, ବଲ୍ଲଭ ନାୟକ, ଭୂୟାଁ ସମାଜର ଆନନ୍ଦ ଦେହୁରୀ, ତମାଳ ପ୍ରଧାନ, ଜୁଆଙ୍ଗ ସମାଜ ପକ୍ଷରୁ ଅଧିକାରୀ ଜୁଆଙ୍ଗ, ଶ୍ରୀଧର ଜୁଆଙ୍ଗ ନେତୃତ୍ୱ ନେଇଥିବାବେଳେ ମିଳିତ ଆଦିବାସୀ ମଞ୍ଚର ବହୁ ପୁରୁଷ ଓ ମହିଳା ଏଥିରେ ସାମିଲ ଥିଲେ ।