ଫାନିଠାରୁ ୱାଟର୍ ଏଟିଏମ୍ ଅଚଳ
କଣାସ (ଆପ୍ର): ପୁରୀ ଜିଲ୍ଲା କଣାସ ବ୍ଲକ ଦୋକନ୍ଦା ପଞ୍ଚାୟତ ସବଳଙ୍ଗ ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ହଜାର ହଜାର ଟଙ୍କା ଖର୍ଚ୍ଚକରି ଚାରି ବର୍ଷ ପୂର୍ବେ ଏକ ୱାଟର ଏଟିଏମ୍ ନିର୍ମାଣ କରାଯାଇଥିଲା । ଗ୍ରାମବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ଆଧୁନିକ ଜ୍ଞାନକୌଶଳରେ ୱାଟର୍ ଏଟିଏମ୍ ନିର୍ମାଣ କରାଯାଇଥିଲା । ଲକ୍ଷ୍ୟଥିଲା ଲୋକମାନେ ବର୍ଷକ ବାରମାସ ବିଶୁଦ୍ଧ ଜଳ ପାଇବେ ଓ ପାନୀୟ ଜଳ ସମସ୍ୟା ଦୂରହେବ ଏବଂ ଲୋକମାନେ ବିଭିନ୍ନ ରୋଗ ଦାଉରୁ ମୁକ୍ତି ପାଇବେ । ଉକ୍ତ ସଂସ୍ଥା ପକ୍ଷରୁ ଏକ ଗୃହ ନିର୍ମାଣ କରାଯାଇ ମୋଟର ସାହାଯ୍ୟରେ ଭୂତଳ ଜଳ ସଂଗ୍ରହ କରି ଟାଙ୍କିରେ ରଖାଯାଇ ଫିଲଟରିଂ କରି ୱାଟର୍ ଏଟିଏମ ସାହାଯ୍ୟରେ ଲୋକମାନଙ୍କୁ ପାଣି ଯୋଗାଇ ଦିଆଗଲା । ଯାହା ଦ୍ୱାରା ପାଣିର ଅପବ୍ୟବହାର ହେବ ନାହିଁ । ଲୋକମାନଙ୍କର ଯେତିକି ପାଣି ଦରକାର ସେତିକି ପାଣି ନେଇ ବ୍ୟବହାର କରିବେ । ଏଭଳି ବିଶୁଦ୍ଧ ପାଣି ପାଇବା ଦ୍ୱାରା ଗ୍ରାମବାସୀ ଖୁସି ଅନୁଭବ କରିବା ସହ ଅନ୍ୟ ଆଖପାଖ ଗ୍ରାମର ଲୋକମାନେ ପିଇବା ପାଇଁ ପାଣି ମଧ୍ୟ ନେଉଥିଲେ ।
ଏହି ୱାଟର ଏଟିଏମ୍ ପୁରୀ ଜିଲ୍ଲାରେ ସର୍ବପ୍ରଥମେ ଆରମ୍ଭ ହୋଇଥିବାରୁ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । କିଛିଦିନ ପର୍ଯ୍ୟନ୍ତ ୱାଟର ଏଟିଏମ୍ ଠିକ୍ଠାକ୍ ଚାଲିଥିଲା ଓ ପରେ ପରେ ରକ୍ଷଣାବେକ୍ଷଣ ଅଭାବ ଓ ଫାନି ବାତ୍ୟା ପରଠାରୁ ଆଜିପର୍ଯ୍ୟନ୍ତ ୱାଟର୍ ଏଟିଏମଟି ସମ୍ପୂର୍ଣ୍ଣ ଭାବେ ଅଚଳ ଅବସ୍ଥାରେ ପଡ଼ିରହିଛି । ଯାହାଦ୍ୱାରା ଲୋକେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ପ୍ରତ୍ୟେକ ଗ୍ରାମକୁ ପାଇପ୍ ସାହାଯ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ବ୍ୟବସ୍ଥା ଥିବାବେଳେ କଣାସ ଅଞ୍ଚଳରେ ଏବେବି ଅନେକ ଗ୍ରାମରେ ପାନୀୟଜଳ ସାତସପନ ପାଲଟିଛି । ଦୟାନଦୀ ଜଳ ଏବେ ସମ୍ପୂର୍ଣ୍ଣ ଭାବେ ଜହର ପାଲଟିଛି ସେହି ଜଳକୁ ବିଭାଗୀୟ ଅଧିକାରୀ ବିଶୁଦ୍ଧ ନ କରି ଅନେକ ଗାଁକୁ ଜଳ ଯୋଗାଣ କରୁଛନ୍ତି । ଗାଁ ଗାଁରେ ଏବେ ଜ୍ୱର, ଝାଡ଼ା, ବାନ୍ତି ଓ ବିଭିନ୍ନ ଚର୍ମ ରୋଗର ଲୋକମାନେ ଶିକାର ହେଉଛନ୍ତି । ଏତିପ୍ରତି ପୁରୀ ଜିଲ୍ଲାପାଳ ଓ ରାଜ୍ୟ ସରକାର ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି ।