କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓ, ତହସିଲଦାର ଓ ସିଡିପିଓଙ୍କୁ ଦାବିପତ୍ର
ଛତୁଆରୁ ବାହାରୁଛି ଅଖାଦ୍ୟ
ଶେରଗଡ଼ (ଆପ୍ର): ଶେରଗଡ଼ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ଅଧୀନ ୮୭ ଟି ଅଙ୍ଗନୱାଡି କେନ୍ଦ୍ର ପାଇଁ ମହାମାୟୀ ସ୍ୱୟଂ ସହାୟକ ଗୋଷ୍ଠୀ କୁମାରପାଣି ପକ୍ଷରୁ ଶିଶୁ ଓ ଗର୍ଭବତୀଙ୍କ ପାଇଁ ଛତୁଆ, ସୁଜି ଓ ବାଦାମ ଲଡୁ ପ୍ରତି ମାସ ୧ ତାରିଖରେ ପ୍ରଦାନ କରାଯାଉଛି । ପ୍ରାକ୍ ବିଦ୍ୟାଳୟ ପିଲାଙ୍କୁ ଏକ ପ୍ୟାକେଟ୍ ବାଦାମ ଲଡୁ,୨ ପ୍ୟାକେଟ୍ ଛତୁଆ ପ୍ରଦାନ କରାଯାଉଛି । ମୋଟ ୮୭ ଟି କେନ୍ଦ୍ର ପାଇଁ ୭୬ କ୍ୱିଣ୍ଟାଲ ୧୨ କେଜି ଛତୁଆ ଯୋଗାଇ ଦିଆଯାଉଛି । ଛତୁଆ ଓ ବାଦାମ ଲଡୁ ତିଆରିରେ ଅନିୟମିତତା ହେଉଥିବା କୁମାରପାଣି ଗ୍ରାମର ପ୍ରାକ୍ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଗର୍ଭବତୀ ମହିଳା ଅଭିଯୋଗ କରିଛନ୍ତି । ଛତୁଆର ଗୁଣବତ୍ତା ପରୀକ୍ଷା ପରେ ତାହା ବଣ୍ଟନ କରିବା ପାଇଁ ନିୟମ ଥିଲେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଟେକ୍ନିସିଆନଙ୍କ ମିଲି ଭଗତରେ ନିମ୍ନମାନର ଖାଦ୍ୟକୁ ଗୁଣବତ୍ତାପୂର୍ଣ୍ଣ ମାନ୍ୟତା ଦେଇ ବିତରଣ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଛତୁଆରେ ପଲିସ କୁଣ୍ଡା, ଖୁଦଗଡ଼ି, ଚାଉଳ ଚୁନା ଓ କୁଟା ବାହାରୁଥିବାର ଅଭିଯୋଗ ହେଉଛି । ଯାହାକି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ପ୍ୟାକେଟରେ ୪ କେଜି ୪ ଶହୠ୍ରାମ ଛତୁଆ ରହିବାକୁ ନିୟମ ଥିଲେ ମଧ୍ୟ ମାତ୍ର ୪ କେଜିରୁ କମ ରହୁଥିବା ଅଭିଯୋଗ ହୋଇଛି । ବହୁବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଅଙ୍ଗନୱାଡି କେନ୍ଦ୍ରରେ ଏହିଭଳି ନିମ୍ନମାନର ଖାଦ୍ୟକୁ ଉଚ୍ଚମାନର କହି କୌଣସି ପ୍ରକାରେ ବାଣ୍ଟିଦେଇ ନିଜର କର୍ତ୍ତବ୍ୟ ସାରି ଦେଉଛନ୍ତି ।
ଗତ ଦୁଇ ଦିନ ତଳେ କୁମାରପାଣିରେ ଥିବା ୨ ଅଙ୍ଗନୱାଡି କେନ୍ଦ୍ରରେ ବଣ୍ଟାଯାଉଥିବା ଛତୁଆକୁ ଚାଲୁଣିରେ ଚଲାଇ ସେଥିରେ ମିଶି ଥିବା ପଲିସ କୁଣ୍ଡା, ଖୁଦ ଓ କୁଟାକୁ ବାହାର କରିବା ପରେ ଅଙ୍ଗନୱାଡି କେନ୍ଦ୍ରରେ ଅସନ୍ତୋଷ ଦେଖାଦେଇଥିଲା । ଶୁକ୍ରବାର ବିଭାଗୀୟ ସୁପରଭାଇଜରମାନେ କୁମାରପାଣିର ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ଛତୁଆ ବଣ୍ଟନ କରୁଥିବାବେଳେ ଗ୍ରାମବାସୀଙ୍କ ରୋସର ଶିକାର ହୋଇଥିଲେ । ବିଶେଷଜ୍ଞଙ୍କ ଦ୍ୱାରା ଗୁଣବତ୍ତା ଯାଞ୍ଚ ହେଲା ପରେ ଛତୁଆ ବଣ୍ଟନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଶାନ୍ତ ପଡ଼ିଥିଲେ । କୁମାରପାଣି ଗ୍ରାମବାସୀ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି । ନିମ୍ନମାନର ଛତୁଆ ପ୍ରଦାନ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ କଳା ତାଲିକାଭୁକ୍ତ କରି ନୂତନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେଇ ଗର୍ଭବତୀ ଓ ଶିଶୁଙ୍କୁ ପୁଷ୍ଟିକର, ସ୍ୱାଦିଷ୍ଟ ଏବଂ ଉନ୍ନତମାନର ଛତୁଆ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏହାର ଏକକ ନକଲ ଉପଜିଲ୍ଲାପାଳ ଭଞ୍ଜନଗର, ତହସିଲଦାର ଶେରଗଡ଼ ଓ ଶିଶୁ ବିକାଶ ବିଭାଗର ଅଧିକାରୀ ଶେରଗଡ଼ଙ୍କୁ ପ୍ରଦାନ କରାଯାଇଛି ।