୭ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି ବିଜୁ ସେତୁ

ବଡ଼ଚଣା (ଆପ୍ର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ମାନ ପାଇଁ ତାଙ୍କ ନାଁରେ ରାଜ୍ୟ ସରକାର ନାନା ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଗୁଡିକ ସଠିକ ଭାବେ ତଦାରଖ ହେଉ ନ ଥିବାରୁ ବିଭିନ୍ନ ଅଞ୍ଚଳରେ ତାହା ସବୁ ଅଧପନ୍ତରିଆ ହୋଇ ପଡ଼ିରହିଛି । ଏଭଳି ଏକ ଅବହେଳିତ କାମ ଦେଖିବାକୁ ମିଳିଛି ଜାରକା ଗ୍ରାମ ଉନ୍ନୟନ ବିଭାଗ ଯାଜପୁର-୨ରେ ନିର୍ମାଣାଧୀନ ବିଜୁସେତୁରେ । ଦୀର୍ଘ ୭ ବର୍ଷ ହେଲା ସେତୁ ନିର୍ମାଣ ଚାଲିଛି ଯେ, ତାହା ଆଜି ପର୍ଯ୍ୟନ୍ତ ଶେଷ ହୋଇପାରୁନି ।
ତେବେ ଏହି ସେତୁର କାର୍ଯ୍ୟ ଶିବପ୍ରସାଦ ମଲିକ ନାମକ ଜଣେ ଠିକାଦାର ୧କୋଟି ୩ଲକ୍ଷ, ୭୮ହଜାର ଟଙ୍କାରେ କାର୍ଯ୍ୟାଦେଶ ପାଇ ୨୦୧୫, ମେ ୧୧ରୁ କାର୍ଯ୍ୟାରମ୍ଭ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ହେଲାଣି ସେତୁ କାମ ସାରିପାରୁନାହାନ୍ତି । ନୂଆ ସୁଙ୍ଗୁଡା, କ୍ଷେତ୍ରପାଳ ରାସ୍ତାର ୦.୫ କିମିରେ ରଂହାସାଳ ନାଳ ଉପରେ ଏହି ସେତୁ ନିର୍ମାଣ ହେଲେ ୪ ଖଣ୍ଡ ପଞ୍ଚାୟତ (ସୁଙ୍ଗୁଡା, କ୍ଷେତ୍ରପାଳ, କଣ୍ଟିଗଡ଼ିଆ, ରାଧାଦେଈପୁର)ର ୫ ହଜାରରୁ ଊଦ୍ଧ୍ୱର୍ ଲୋକ ଉପକୃତ ହେବେ । କିନ୍ତୁ ନିର୍ମାଣ କାର୍ଯ୍ୟରେ ମାତ୍ରାଧିକ ବିଳମ୍ବ ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଏ ସମ୍ପର୍କରେ ଜାରକା ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ତାଙ୍କ ଅଫିସରେ ଭେଟି ବହୁବାର ଅଭିଯୋଗ କରିଥିଲେ ମଧ୍ୟ ଯନ୍ତ୍ରୀ କହୁଥିଲେ ସେତୁ କାମ ଖୁବ୍ କମ ଦିନରେ ପୂର୍ଣ୍ଣାଙ୍ଗ ହେବ । କିନ୍ତୁ ଏବେ ଆଉ ଯନ୍ତ୍ରୀ ଫୋନ ଉଠାଉ ନାହାନ୍ତି କି ତାଙ୍କର ଦେଖା ମିଳୁନି ।
ସ୍ଥାନୀୟ ସୁଙ୍ଗୁଡା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରୀତମ ନାୟକ କହିଛନ୍ତି ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ସେତୁକୁ ତୁରନ୍ତ ପୂର୍ଣାଙ୍ଗ କରନ୍ତୁ ନେହେଲେ ବିଜୁବାବୁଙ୍କ ନାମକୁ ଉକ୍ତ ଯୋଜନାରୁ ହଟାଇ ଦିଅନ୍ତୁ । ସେହିପରି ଅଞ୍ଚଳର ବରିଷ୍ଠ ନାଗରିକ ମାନଗୋବିନ୍ଦ ଦାସ କହିଛନ୍ତି ଯେ, ବିଜୁ ବାବୁଙ୍କ ନାଁ ନେଇ ମାନମାନି କରାନଯାଉ । ଏହାସହ ଚଣ୍ଡିଖୋଲ ଟ୍ରକ୍ ମାଲିକ ସଙ୍ଘ ସହ ସମ୍ପାଦକ ଅଟଳ କୁମାର ଜେନା ମଧ୍ୟ ଏହା ବିଜୁବାବୁଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *