ବିଜେପି ନେତାଙ୍କୁ କୁରାଢ଼ିରେ ହାଣିଲେ

ଆଉ କେତେ ମୁଣ୍ଡ ନେବ ପ୍ରଫେଟ୍ ବିରୋଧୀ ସେହି ଗୋଟିଏ ମନ୍ତବ୍ୟ?
ବେଙ୍ଗାଲୁରୁ (ଏଜେନ୍ସି): ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ବିଜେପିର ନିଲମ୍ବିତ ପ୍ରବକ୍ତା ନୂପୁର ଶର୍ମାଙ୍କ ବିବାଦୀୟ ବୟାନ୍ କାରଣରୁ ଏବେ ଆଉ ଏକ ମୁଣ୍ଡ ଗଡ଼ିଛି । କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ବିଜେପି ନେତା ପ୍ରବୀଣ ନେଟ୍ଟାରଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ କୁରାଢ଼ୀରେ ହାଣି ଅତ୍ୟନ୍ତ ନିର୍ମର୍ମ ଭାବେ ହତ୍ୟା କରାଯାଇଛି । ପ୍ରବୀଣ ସ୍ଥାନୀୟ ଅଞ୍ଚଳର ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ଥିଲେ । ପ୍ରବୀଣ ବେଲାର ଅଞ୍ଚଳ ନିକଟରେ ଏକ କୁକୁଡ଼ା ଦୋକାନ ଚଳାଉଥିଲେ । ତେବେ ସବୁଦିନ ପରି ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ତାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି । ବାଇକ୍ରେ ଦୁର୍ବୃତ୍ତମାନେ ପ୍ରଥମେ ପ୍ରବୀଣଙ୍କୁ କିଛି ବାଟ ଅନୁସରଣ କରିଥିଲେ ଏବଂ ପରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପ୍ରବୀଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା ।
ପ୍ରକାଶ, ନୂପୁର ଶର୍ମାଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ନିଜର ଏକ ମନ୍ତବ୍ୟ ପୋଷ୍ଟ କରିବା ଯୋଗୁ ଗତ ଜୁନ୍ ୨୯ରେ ରାଜସ୍ଥାନରେ କହ୍ନେୟାଲାଲ ନାମକ ଜଣେ ଟେଲରଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା, ଯାହାକୁ କେନ୍ଦ୍ର ସରକାର ଦେଶବ୍ୟାପୀ ତୀବ୍ର ଅସନ୍ତୋଷ ତଥା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ତେବେ କହ୍ନ୍ୟୋଲାଲଙ୍କ ହତ୍ୟାକୁ ବିରୋଧ କରି ପ୍ରବୀଣ ନେଟ୍ଟାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଏକ ଫଟୋ ମଧ୍ୟ ସେୟାର କରିଥିଲେ । ପ୍ରବୀଣ ନିଜ ପୋଷ୍ଟରେ ଲେଖିଥିଲେ, ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ସମର୍ଥନ କରିବା ପାଇଁ ଜଣେ ଦର୍ଜିଙ୍କ ଗଳା କାଟି ହତ୍ୟା କରାଯାଇଛି ଏବଂ ଏହାର ଭିଡିଓ ମଧ୍ୟ ରେକର୍ଡ କରାଯାଇଛି । ଏହା ଅତ୍ୟନ୍ତ ବର୍ବୋରୋଚିତ । ଯାହାଫଳରେ ପ୍ରବୀଣଙ୍କୁ ଦୀର୍ଘ ଦିନ ଧରି ହତ୍ୟା ଧମକ ମିଳିଆସୁଥିଲା । ତେବେ ଆଜି ତାଙ୍କୁ ହତ୍ୟା କରାଯିବା ଘଟଣା ପଛରେ ଏହି କାରଣ ରହିଥିବା ପୁଲିସ୍ ଅନୁମାନ କରୁଛି । ସେହିପରି ରିପୋର୍ଟ ଲେଖାହେବା ସୁଦ୍ଧା ପୁଲିସ୍ ଏହି ଘଟଣାରେ ୧ଠ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ତେବେ ରାଜ୍ୟରେ ଏପ୍ରକାର ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ଉଗ୍ରରୂପ ଧାରଣ କରିବା ଆରମ୍ଭ କରିଥିବା ବେଳେ ରାଜ୍ୟ ଗୃହମନ୍ତ୍ରୀ ଅରଗା ଜନେନ୍ଦ୍ରା ଆଜି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ସାକ୍ଷାତ କରିଛନ୍ତି ।
ଅନ୍ୟପକ୍ଷେ ପ୍ରବୀଣଙ୍କ ହତ୍ୟାକୁ ନେଇ ରାଜ୍ୟ ବିଜେପି ଏବେ ପ୍ରତିକ୍ରିୟାଶୀଳ ହୋଇପଡିଛି । ବିଜେପି କର୍ମକର୍ତ୍ତାମାନେ ପୁତ୍ତୁର ଅଞ୍ଚଳରେ ଗତକାଲି ଠାରୁ ପ୍ରଦର୍ଶନ ଜାରି ରଖିଛନ୍ତି । ବୁଧବାର ଦିନ ମଧ୍ୟ ଦକ୍ଷିଣ କନ୍ନଡ଼ର ଅଧିକାଂଶ ପ୍ରାନ୍ତରେ ଯୁବ ବିଜେପି ମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସମଗ୍ର ଜିଲ୍ଲାରେ ଧାରା ୧୪୪ ଲାଗୁ କରିଦିଆଯାଇଛି । ସ୍ଥାନୀୟ ଲୋକେ ଏତେମାତ୍ରାରେ ଉତ୍ତ୍ୟକ୍ତ ହୋଇପଡିଥିଲେ ଯେ, ଘଟଣାସ୍ଥଳକୁ ଆସିଥିବା ବିଜେପି ସାଂସଦ ନଳିନୀକୁମାର କାତିଲଙ୍କ କାର୍କୁ ମଧ୍ୟ ଠେଲାପେଲା କରିଥିଲେ । ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଜନତା ସାଂସଦଙ୍କ କାରକୁ ମଧ୍ୟ ଓଲଟାଇବାକୁ ଚେଷ୍ଟା କରିଥିଲେ । ସେହିପରି କେତେକ ଅଞ୍ଚଳରେ ଉତ୍ତ୍ୟକ୍ତ ଜନତା ସରକାରୀ ବସ୍ ଉପରେ ପଥରମାଡ଼ କରିବା ଦେଖିବାକୁ ମିଳିଛି । ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସ୍କୁ ଲାଠିଚାର୍ଜ ମଧ୍ୟ କରିବାକୁ ପଡ଼ିଛି । ପୁଲିସ୍ ଏହି ଘଟଣାରେ ତଦନ୍ତ ପାଇଁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ଜାଣିବାକୁ ମିଳିଛି । ଦକ୍ଷିଣ କନ୍ନଡ ଜିଲ୍ଲା କେରଳ ସୀମାକୁ ଲାଗିଥିବାରୁ ତଦନ୍ତ ପ୍ରକ୍ରିୟାରେ କର୍ଣ୍ଣାଟକ ପୁଲିସ, କେରଳ ପୁଲିସ୍ ତଥା ପ୍ରଶାସନର ସହଯୋଗ ନେଉଛି । ମୁଖ୍ୟମନ୍ତ୍ରୀ ବୋମାଇ, ସମସ୍ତ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡବିଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏସବୁ ମଧ୍ୟରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ନିଜ ବିଧାୟକ ପଦରୁ ଇସ୍ତଫା ଦେବି ବୋଲି ଧମକ ଦେଇଛନ୍ତି ଏମପି ରେଣୁକାଚାର୍ଯ୍ୟ । ନିଜ ସରକାରକୁ ଆହ୍ୱାନ କରି ସେ କହିଛନ୍ତି ଯେ, ଏପ୍ରକାର ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟସରକାର ତତ୍ପରତା ଦେଖାଇବା ଉଚିତ୍ । ନିଜ କର୍ମକର୍ତ୍ତାଙ୍କୁ ସୁରକ୍ଷା ଦେଇନପାରିଲେ କ୍ଷମତାରେ ରହି କୌଣସି ଲାଭ ନାହିଁ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *