ଚଢ଼ିଗଲା ଡମ୍ପର, ୬ କାଉଡ଼ିଆ ମୃତ

ହାଥରସ୍ (ଏଜେନ୍ସି): ଶ୍ରାବଣ ଜଳାଭିଷେକ ନିମନ୍ତେ ଗଙ୍ଗାନଦୀରୁ ପବିତ୍ର ପାଣି ଉଠାଇ ଯାଉଥିବା କାଉଡିଆଙ୍କ ଉପରେ ଡମ୍ପର ମାଡ଼ିଯିବା ଏବଂ ଏଥିରେ ୬ଜଣଙ୍କ ମୃତୁ୍ୟ ହେବା ଭଳି ଅଘଟଣ ସମ୍ପର୍କରେ ସୂଚନା ମିଳିଛି ।ଶନିବାର ଭୋର ପ୍ରାୟ ସାଢେ ଗୋଟେ ରାତିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ପ୍ରାଣ ହରାଇଥିବା ସମସ୍ତ ମୃତକ କାଉଡିଆ ଗ୍ୱାଲିୟରରୁ ଆସିଥିବା ଜଣାପଡିଛି । ସାଦାବାଦ ମାର୍ଗର ସେଣ୍ଟ ଫ୍ରାନସିସ୍ ସ୍କୁଲ ନିକଟରେ ଏହି ଦୁର୍ଘଟଣା ହୋଇଛି ।
ଆଗ୍ରା ଏଡିଜି ରାଜୀବ କୃଷ୍ଣ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୭ କାଉଡିଆ ହରିଦ୍ୱାରରୁ ଗଙ୍ଗାଜଳ ଆଣି ଗ୍ୱାଲିଅର ଫେରୁଥିଲେ । ରାତି ଅନ୍ଧକାରରେ ଡମ୍ପର ଡ୍ରାଇଭର ଏମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ୫ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ସମସ୍ତ ମୃତକଙ୍କ ବୟସ ୨୮ରୁ ୪୫ ବର୍ଷ ମଧ୍ୟରେ ହେବ । ସମସ୍ତ କାଉଡିଆଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଏସମ୍ପର୍କରେ ସୂଚୀତ କରାଯିବା ସହ ପୋଷ୍ଟମର୍ଟମ ପରେ ଶବଗୁଡ଼ିକୁ ହସ୍ତାନ୍ତର କରାଯାଇଛି । ତେବେ ଡମ୍ପରର ମାଲିକଙ୍କୁ ଚିହ୍ନଟ କରାଯାଇଛି, ଖୁବ୍ଶୀଘ୍ର ଚାଳକକୁ ଗିରଫ କରାଯିବ ବୋଲି ଏଡିଜି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷେ ମୃତ କାଉଡିଆଙ୍କ ପରିବାର ଲୋକେ ଶବକୁ ଧରି ଧାରଣାରେ ବସିଛନ୍ତି । ଉଭୟ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ସରକାର ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ସେହିପରି ଶନିବାର ରାଜସ୍ଥାନ-ହରିୟାଣା ବର୍ଡର ଦିଲ୍ଲୀ-ଜୟପୁର ନ୍ୟାସନାଲ ହାଇୱେ-୪୮ରେ ଘଟିଥିବା ଅନ୍ୟ ଏକ ଦୁର୍ଘଟଣାରେ ୫ଜଣ କାଉଡିଆଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିବା ଏବଂ ଏଥିରେ ଜଣେ କାଉଡିଆଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଏହି କାଉଡିଆମାନେ ମଧ୍ୟ ଉତ୍ତରାଖଣ୍ଡର ହରିଦ୍ୱାରରୁ ଜଳାଭାର ନେଇ ଆସୁଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *