ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ୱର, ୨୨ା୭ (ବୁ୍ୟରୋ): କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ମୋକିମଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ୨ ସପ୍ତାହ ଭିତରେ ଜବାବ ଦେବାକୁ କୁହାଯାଇଛି । କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକ କହିଛନ୍ତି, ବିଗତ ଦିନରେ କଟକ ବାରବାଟୀ ବିଧାୟକ ମୋକିମଙ୍କ କିଛି କାର୍ଯ୍ୟକଳାପ ପାର୍ଟିର ଅନୁଶାସନ ବିରୋଧୀ ବୋଲି ପ୍ରତୀୟମାନ ହେଉଛି । ତାହାର ଯଥେଷ୍ଟ ତଥ୍ୟ ପ୍ରମାଣ ବି ରହିଛି । ଏହି ତଥ୍ୟ ପ୍ରମାଣ ଆଧାରରେ ପିସିସି ସଭାପତି ଶରତ ପଟ୍ଟନାୟକ ବିଧାୟକ ମୋକିମଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରିଛନ୍ତି । ସୂଚନା ମୂତାବକ, ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ମୋକିମ୍ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ହେଲେ କଂଗ୍ରେସ ଦଳର କେନ୍ଦ୍ରୀୟ ନେତୃତ୍ୱ ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିଷ୍ପତି ନେଇଥିଲା । ଏ ସମ୍ପର୍କରେ ଆଲୋଚନା ହେବା ପରେ କଂଗ୍ରେସ ବିଧାୟକଙ୍କୁ ଅବଗତ କରାଯାଇଥିଲା । ସମସ୍ତେ କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତି ସହ ଅବଗତ ଥିଲେ । ହେଲେ ବିଧାୟକ ମୋକିମ ନିଜେ ଗଣମାଧ୍ୟମରେ ସେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବାରୁ ତାଙ୍କ ପ୍ରତି ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସ୍ପଷ୍ଟ ଅନୁମେୟ ହେଉଛି । ବିଧାୟକ ମୋକିମ୍ କହିଛନ୍ତି, ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ନୁହେଁ ମୁଁ ଓଡ଼ିଶା ଝିଅ ହିସାବରେ ଭୋଟ ଦେଇଥିଲି । ଆଉ ଖୁସି ଯେ, ସେ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ଓଡିଶାରୁ ପ୍ରଥମ ଓ ଆଦିବାସୀ ମହିଳା ଭାବରେ ରାଇସିନା ହିଲରେ ବସିବା ଆମ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।ମତେ ଏଯାବତ୍ କିଛି ଲିଖିତ ନିଦେ୍ର୍ଦଶ ମିଳିନାହିଁ । ମତେ କାରଣ ଦର୍ଶାଅ ନୋଟିସ୍ ହୋଇଥିବା କିଛି ଗଣମାଧ୍ୟମରୁ ଜାଣିବାକୁ ପାଇଛି । ଦଳର ହାଇକମାଣ୍ଡ ମତେ ଯେଉଁ ପ୍ରଶ୍ନ କରିବେ ତାହାର ସଠିକ ଉତ୍ତର ମୁଁ ଦଳୀୟ ଫୋରମ ହିସାବରେ ଦେବି ବୋଲି ବିଧାୟକ ମୋକିମ୍ କହିଛନ୍ତି ।