୪ ଦୁର୍ବୃତ୍ତ ଗଲେ ଜେଲ୍
ବଟି ଆଦାୟ ମହଙ୍ଗା ପଡ଼ିଲା
ପୁରୀ (ବୁ୍ୟରୋ): ପର୍ଯ୍ୟଟକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ସଦର ଥାନା ପୁଲିସ ୩ ପେଷାଧାରୀ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ତାଳବଣିଆ ଥାନା ଅନ୍ତର୍ଗତ ଟିକରପଡ଼ାର ରାକେଶ ସେଠୀ, ସନ୍ତୋଷ କୁମାର ବେହେରା ଓ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ତଳମାଳି ସାହିର ଗୁଡୁ ମହାନ୍ତି । ଏମାନଙ୍କ ଠାରୁ ପୁଲିସ ଏକ ଛୁରି ଓ ୭୫୦ ଟଙ୍କା ଜବତ କରିଛି ।
ସୂଚନାଯୋଗ୍ୟ ଶୁକ୍ରବାର ପୂର୍ବାହ୍ନରେ ଏକ ବିଶେଷ ସୂତ୍ରରୁ ଖବର ଆସିଥିଲା ଯେ, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ମଙ୍ଗରାଜପୁର ଛକଠାରେ ରହି ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଅଟକାଇ ସେମାନଙ୍କ ଠାରୁ ବଟି ଆଦାୟ କରୁଥିଲେ । ଯେଉଁମାନେ ଦେବାକୁ ମନା କରୁଥିଲେ ସେମାନଙ୍କୁ ଛୁରି ଦେଖାଇ ଭୟଭୀତ କରାଉଥିଲେ । ଏନେଇ ପୁଲିସ ନିକଟରେ ଖବର ପହଞ୍ଚିଲା ପରେ ଥାନାଧିକାରୀ ସୁଶାନ୍ତ କୁମାର ବେହେରାଙ୍କ ନିଦେ୍ର୍ଦଶକ୍ରମେ ଏକ ଟିମ୍ ଚଢ଼ଉ କରି ୩ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲେ । ଏନେଇ ପୁଲିସ ନିଜଆଡୁ ୨୧୨/୨୨ରେ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେହିପରି ଜଣେ ମହିଳା ବ୍ୟବସାୟୀଙ୍କଠୁ ବଟି ଆଦାୟ ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ସେ ହେଲା ଉକ୍ତ ଥାନା ଅନ୍ତର୍ଗତ ବଳିଆପଣ୍ଡା ବସ୍ତିର ଯୋଗୀ ବେହେରା । ତା’ଠାରୁ ପୁଲିସ ଛୁରି ଓ ୭୦୦ ଟଙ୍କା ଜବତ କରିଛି । ଲାଇଟ୍ହାଉସ ଛକଠାରେ ମିନତୀ ଦାସ ନାମକ ଜଣେ ମହିଳା ଚା’ ଦୋକାନ କରିଛନ୍ତି । ଯୋଗୀ ତାଙ୍କ ଦୋକାନକୁ ଗରୁବାର ରାତି ୯ଟାରେ ଯାଇ ବଟି ମାଗିଥିଲା । କିନ୍ତୁ ମିନତୀ ଦେବାକୁ ରାଜି ନ ହେବାରୁ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଛୁରି ଦେଖାଇ ସେଠାରେ ଆତଙ୍କ ସୃଷ୍ଟି କରିଥିଲା । ଏନେଇ ମିନତୀ ଥାନାରେ ଅଭିଯୋଗ କରିବା ପରେ ୯୨/୨୨ରେ ମାମଲା ରୁଜୁ କରି ଶୁକ୍ରବାର ଦୁର୍ବୃତ୍ତ ଯୋଗୀକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ ।