ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ଉ
ଛାତ୍ରଛାତ୍ରୀଙ୍କ ଅର୍ଥ ହଡ଼ପ ଅଭିଯୋଗ
ଛତ୍ରପୁର (ଆପ୍ର): ଛତ୍ରପୁରରେ ଥିବା ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟାଳୟ ଉପରେ ବୁଧବାର ଭିଜିଲାନ୍ସ ଟିମ୍ ଚଢ଼ଉ କରି ତନାଘନା ଆରମ୍ଭ କରିଛନ୍ତି । ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ନିଦେ୍ର୍ଦଶ କ୍ରମେ ଇନିସପେକ୍ଟର ବୈଦେହୀ ବେହେରାଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ସ୍ଥାନୀୟ ବ୍ଲକ୍ କଲୋନୀ ସ୍ଥିତ ସମର୍ଥ ବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟାଳୟ ପରିସରରେ ଏହି ଟିମ୍ ଚଢ଼ଉ ଜାରି ରଖିଛି । ବିଦ୍ୟାଳୟର ସମ୍ପାଦକ କେ. ଆନନ୍ଦ ରାଓଙ୍କୁ ବିଭିନ୍ନ ବିଷୟରେ ପଚରା ଉଚରା କରିବା ସହିତ ବିଭିନ୍ନ ନଥିପତ୍ର ଗୁଡ଼ିକ ଯାଞ୍ଚ କରିଛନ୍ତି । ଗତ ୪ ତାରିଖରେ ସମର୍ଥ ବିଦ୍ୟାଳୟର ସମ୍ପାଦକ କେ.ଆନନ୍ଦ ରାଓଙ୍କ ବିରୋଧରେ ଶାରୀରିକ ନିର୍ଯ୍ୟାତନା ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା । ଅଭିଯୋଗକାରୀମାନେ ଜିଲ୍ଲାପାଳ, ଗଞ୍ଜାମ ଏସ୍ପି ଏବଂ ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରିଥିଲେ ।
ସମର୍ଥ ବିଦ୍ୟାଳୟର ସମ୍ପାଦକ କେ. ଆନନ୍ଦ ରାଓଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ଦିନକୁ ଦିନ ଲମ୍ବିବାରେ ଲାଗିଛି । ପୁଲିସ ଓ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର କମିଟି ଶାରୀରିକ ନିର୍ଯାତନା ସମେତ ବିଭିନ୍ନ ସଙ୍ଗିନ ଅଭିଯୋଗର ଖୋଳତାଡ଼ ଜାରି ରହିଥିବା ବେଳେ ବୁଧବାର ବ୍ରହ୍ମପୁର ୫ଜଣିଆ ଟିମ୍ ତନାଘନା ଆରମ୍ଭ କରିଛନ୍ତି । ବୁଧବାର ଅଭିଯୋଗକାରୀମାନେ ବିଭିନ୍ନ ବିଷୟ ନେଇ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଅଶୋକ କୁମାର ପାତ୍ରଙ୍କୁ ଭେଟି ବିଦ୍ୟାଳୟର ସମ୍ପାଦକ ରାଓଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ବିଦ୍ୟାଳୟର ଜଣେ ପୂର୍ବତନ ଶିକ୍ଷକଙ୍କ ପ୍ରରୋଚନାରେ ସମର୍ଥ ଶିକ୍ଷାନୁଷ୍ଠାନକୁ ବଦ୍ନାମ କରିବା ପାଇଁ ହୀନ ଚକ୍ରାନ୍ତ କରାଯାଇଛି । ଏହି ବିଦ୍ୟାଳୟ ବନ୍ଦ ହୋଇଗଲେ ତାଙ୍କ ସମ୍ପର୍କୀୟଙ୍କ ନାମରେ ଏକ ଆବାସିକ ବିଦ୍ୟାଳୟରେ ଏହି ପିଲାଙ୍କୁ ଥଇଥାନ କରିବା ପାଇଁ ଯୋଜନା କରି ମୋ ବିରୋଧରେ ମିଥ୍ୟା ଅଭିଯୋଗ ଲଦିଚାଲୁଥିବା ନେଇ ସମ୍ପାଦକ ଶ୍ରୀ ରାଓ କହିଛନ୍ତି । ଏ ସଂକ୍ରାନ୍ତରେ ସେ ଗତ ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।