ଋଣ ସୁଝିବାକୁ ନେଇ ମାର୍ପିଟ୍: ଥାନାରେ ମାମଲା
ଛେଣ୍ଡିପଦା (ଆପ୍ର): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମ ପଞ୍ଚାୟତରେ ଗ୍ରୁପ୍ ଋଣ ପରିଶୋଧକୁ ନେଇ ମାରପିଟ୍ ହେଇଥିବା ବେଳେ ଗ୍ରୁପ୍ ସଭାନେତ୍ରୀ ଗୁରୁତର ଆହତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମହିଳା ଜଣକ ହେଲେ ବାଲିପଟା ଗ୍ରାମର ଶୁକଦେବ ନାଏକଙ୍କ ସ୍ତ୍ରୀ ରିନା ନାଏକ । ଘଟଣାରୁ ପ୍ରକାଶ, ବାଲିପଟା ମହିଳା ଗ୍ରୁପ୍ର ସଭାନେତ୍ରୀ ରିନା ନାଏକ ୩ଟି ବେସରକାରୀ ସଂସ୍ଥାରୁ ୮୦ହଜାର ଟଙ୍କା ଋଣ ଆଣିଥିଲେ । ସେଥିରୁ ଯୁଗଳ ନାଏକଙ୍କ ସ୍ତ୍ରୀ ପିଙ୍କି ନାଏକ ସେହି ଗ୍ରୁପ୍ ମାଧ୍ୟମରେ ଋଣ ନେଇଥିଲେ ।
କିନ୍ତୁ ଉକ୍ତ ଋଣ ଟଙ୍କା ପରିଶୋଧ ନକରି ମହିଳା ଗ୍ରୁପ୍କୁ ପିଙ୍କି ଅବମାନନା କରି ବାହାରେ ଲୁଚି ରହିଥିଲେ । ଫଳରେ କିସ୍ତି ବାବଦରେ ରିନା ନାଏକ ତାଙ୍କ ବ୍ୟକ୍ତିଗତ ଟଙ୍କାରୁ ୭ ହଜାର ୪ଶହ ଟଙ୍କା ପିଙ୍କି ନେଇଥିବା ଋଣ ଟଙ୍କାର କିସ୍ତି ଭରଣା କରିଥିଲେ । କିନ୍ତୁ ଦୀର୍ଘଦିନ ଧରି ପିଙ୍କିଙ୍କ ପରିବାରର ଗ୍ରାମରେ ଦେଖା ମିଳୁନଥିବା ବେଳେ ତାଙ୍କ ସ୍ୱାମୀ ଯୁଗଳ ନାଏକ ମଙ୍ଗଳବାର ଘରକୁ ଆସିଥିବାରୁ ଗ୍ରୁପ୍ ସଭାନେତ୍ରୀ ରିନା ନାଏକ ଓ ଗ୍ରୁପ୍ର ଅନ୍ୟ ଜଣେ ସଦସ୍ୟା ମିଶି କିସ୍ତି ଟଙ୍କା ମାଗିବାକୁ ରିନାଙ୍କ ଘରକୁ ଯାଇଥିଲେ । ସେଠାରେ ପିଙ୍କିଙ୍କ ଭେଟ ନମିଳିବାରୁ ଯୁଗଳଙ୍କୁ ଗ୍ରୁପ୍ ଋଣ ପରିଶୋଧ କଥା କହିଥିଲେ । ଉକ୍ତ ଋଣ ପରିଶୋଧ ଟଙ୍କାକୁ ନେଇ ରୀନା ଏବଂ ଯୁଗଳଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଯୁଗଳ ଏବଂ ତାଙ୍କ ମାଆ ସୀତା ରିନାଙ୍କୁ ନିସ୍ତୁକ ମାଡ଼ ମାରି ବେହୋସ୍ କରି ପକାଇ ଦେଇଥିଲେ । ଖବର ପାଇ ରିନାଙ୍କ ସ୍ୱାମୀ ଶୁକଦେବ ନାୟକ ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେଠାରେ ରିନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ସ୍ଥାନାନ୍ତର କରାଯାଇଛି । ଏନେଇ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ପୁୂଲିସ ଘଟଣାର ତଦନ୍ତ କରୁଛି ।