ବାଲି ଛିଞ୍ଚô ବିଲ୍ କରିବାକୁ ମସୁଧା
କାକତିଆ-ବାଙ୍କିମୁଣ୍ଡାଇ କେନାଲ ବନ୍ଧରେ ଘାସ
ଡେରାବିଶ (ଆପ୍ର): ଗ୍ରାମାଞ୍ଚଳ ରାସ୍ତାଘାଟର ଉନ୍ନତିକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାଜ୍ୟର ଏପରି ବିଭିନ୍ନ ଅଞ୍ଚଳ ଅଛି ଯେଉଁଠାରେ ଏହାର ସୁଫଳ ଦେଖିବାକୁ ମିଳୁନାହିଁ । ଡେରାବିଶ ବ୍ଲକ୍ ଚାନେ୍ଦାଳ ପଞ୍ଚାୟତ କଟକ-ଚାନ୍ଦବାଲୀ ରାସ୍ତାର କାକତିଆ ଛକ ଠାରୁ ବାଙ୍କିମୁଣ୍ଡାଇ ପର୍ଯ୍ୟନ୍ତ ୨ କିମିରୁ ଊଦ୍ଧ୍ୱର୍ କେନାଲ ବନ୍ଧ ରାସ୍ତା ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲେ ମଧ୍ୟ ୧୫ ଦିନରେ ରାସ୍ତା ଅବସ୍ଥା ବିଗିଡ଼ି ଯାଇଛି । ଠିକାଦାର କେନାଲ ବନ୍ଧରୁ ମାଟି ତାଡ଼ି ରାସ୍ତା କଡରେ ପକାଇବା ସହ ମୋରମ ଉପରେ ବାଲି ଛିଞ୍ଚି ବସି ଯାଇଛି । ରାସ୍ତା ମରାମତିକୁ ମାତ୍ର ୧୫ ଦିନ ହୋଇଥିବା ବେଳେ ଏବେ ରାସ୍ତାର ବିଭିନ୍ନ ସ୍ଥାନରେ ଘାସ କଅଁଳିଲାଣି । ଅନେକ ସ୍ଥାନରେ ମୋରମ ଓ ବାଲି ଧସି କେନାଲକୁ ପଶୁଥିବା ଦେଖିବାକୁ ମିଳିଛି । ନିର୍ମାଣକାମ ବେଳେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁ ରାସ୍ତା କାମ ନିମ୍ନମାନର ହୋଇଥିବା ଦୃଢ଼ ଅଭିଯୋଗ ହେଉଛି ।
ଏହି ରାସ୍ତାରେ ଭଣଗାଁ ସମେତ ନରଣପଡା, ଚାନେ୍ଦାଳ, ଓରଗଳା, ପଥରପଡା, କୋହ୍ଲା ଓ ବାଙ୍କିମୁଣ୍ଡାଇ ସମେତ ବହୁ ଗାଁର ଜନସାଧାରଣ ନିର୍ଭରଶୀଳ ଥିବା ବେଳେ ରାସ୍ତାର ଏପରି ଅବସ୍ଥା ପାଇଁ ନାନା ଦହଗଞ୍ଜ ହେଉଛନ୍ତି । ତେବେ ପ୍ରତିବର୍ଷ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ରାସ୍ତା କାମ କରାଯାଉଥିଲେ ବି ରାସ୍ତା ସୁଧୁରିବା ପରିବର୍ତ୍ତେ ବେଳକୁ ବେଳ ବିଗିଡ଼ିବାରେ ଲାଗିଛି । ଜଳସମ୍ପଦ ବିଭାଗର ମନମାନୀ ଯୋଗୁ ଜନସାଧାରଣ ହିନସ୍ତା ଭୋଗିବା ଘଟଣାକୁ ନେଇ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ସରକାରୀ ଅନୁମୋଦିତ ଢଙ୍ଗରେ ରାସ୍ତା କାମ ଯଦି କରାନଯାଏ ତେବେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।