କ୍ୱାର୍ଟରରେ ସିନ୍ଧୁ, ସାଇନା ଓ ପ୍ରଣୟ

ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ
ସିଙ୍ଗାପୁର, ୧୪ା୭ (ଏଜେନ୍ସି): ଲଣ୍ଡନ ଅଲିମ୍ପିକ୍ସ କାସ୍ୟ ପଦକ ବିଜୟିନୀ ସାଇନା ନେହୱାଲ୍ ଗୁରୁବାର ବିଶ୍ୱର ନବମ ଖେଳାଳି ହି’ ବିଙ୍ଗ୍ ଜିଆଓଙ୍କ ବିପକ୍ଷରେ ଜୋର୍୍ଦାର ବିଜୟ ହାସଲ କରିଛନ୍ତି । ଏଥିସହିତ ସେ ନିଜ ଦେଶର ଦୁଇ ଥର ଅଲିମ୍ପିକ୍ ପଦକଧାରିଣୀ ପିଭି ସିନ୍ଧୁ ଓ ଥୋମାସ୍ କପ୍ ବିଜୟର ଅନ୍ୟତମ ହିରୋ ଏଚ୍ଏସ୍ ପ୍ରଣୟଙ୍କ ସହ ନିଜ ନିଜ ବର୍ଗରେ ଏକକ କ୍ୱାର୍ଟର୍-ଫାଇନାଲ୍ରେ ସ୍ଥାନ ପାଇଛନ୍ତି ।
ମହିଳା ଏକକ ପ୍ରି-କ୍ୱାର୍ଟରରେ ସାଇନା ପଞ୍ଚମ ସିଡ୍ ଚୀନା ଖେଳାଳିଙ୍କୁ ୨୧-୧୯, ୧୧-୨୧, ୨୧-୧୭ରେ ମାତ୍ ଦେଇଥିଲେ । ଅଢ଼େଇ ବର୍ଷରୁ ଊଦ୍ଧ୍ୱର୍ କାଳ ପରେ ସାଇନା କୌଣସି ସୁପର୍ ୫୦୦ ଇଭେଣ୍ଟର ଅନ୍ତିମ-୮ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି ।
ହାଇଦ୍ରାବାଦର ଏହି ୩୨ବର୍ଷୀୟା ଖେଳାଳି ଆଘାତ ଓ ଫର୍ମକୁ ନେଇ ଦୀର୍ଘ ଦିନ ହେଲା ସଂଘର୍ଷ କରୁଛନ୍ତି । ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଚୟନ ଟ୍ରାଏଲ୍ରେ ଭାଗ ନେଇ ନ ଥିଲେ । ଶେଷ ତିନି ବର୍ଷ ମଧ୍ୟରେ ସାଇନାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ଗତବର୍ଷ ଓର୍ଲିନ୍ସ ମାଷ୍ଟର୍ସ ସୁପର୍ ୧୦୦ରେ ସେମିଫାଇନାଲ୍ ପ୍ରବେଶ । ଏହାଛଡ଼ା ସେ ୨୦୨୦ରେ ମାଲେସିଆ ମାଷ୍ଟର୍ସ ଓ ବାର୍ସିଲୋନା ସ୍ପେନ୍ ମାଷ୍ଟର୍ସର କ୍ୱାର୍ଟର୍-ଫାଇନାଲ୍ରେ ସ୍ଥାନ ପାଇଥିଲେ ।
ତୃତୀୟ ସିଡ୍ ସିନ୍ଧୁ ବିଶ୍ୱର ୫୯ତମ ଖେଳାଳି ଭିଏତନାମର ଥୁଏ ଲିନ୍ ନୁୟେନ୍ଙ୍କୁ ୧୯-୨୧, ୨୧-୧୯, ୨୧-୧୮ରେ ହରାଇଥିଲେ । ପ୍ରଥମ ଗେମ୍ ହାରିବା ପରେ ସେ ଦମ୍ଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ଗେମ୍ ଜିତିଥିଲେ । ସେ ପରବର୍ତ୍ତୀ ରାଉଣ୍ଡରେ ଚୀନ୍ର ହାନ୍ ୟୁଇଙ୍କୁ ଭେଟିବେ ।
ପୁରୁଷ ଏକକରେ ବିଶ୍ୱର ୧୯ତମ ଖେଳାଳି ପ୍ରଣୟ ଚାଇନୀଜ୍ ତାଇପେର ତୃତୀୟ ସିଡ୍ ଚୋଉ ତିଏନ୍ ଚେନ୍ଙ୍କୁ ୧୪-୨୧, ୨୨-୨୦, ୨୧-୧୮ରେ ହରାଇ ବଡ଼ ସଫଳତା ହାସଲ କରିଥିଲେ । ଏହି ମ୍ୟାଚ୍ ଏକ ଘଣ୍ଟା ୯ ମିନିଟ୍ ଧରି ଚାଲିଥିଲା । ଏହି ୨୯ବର୍ଷୀୟ ଭାରତୀୟ କ୍ୱାର୍ଟରରେ ଜାପାନ୍ର କୋଡ଼ାଇ ନାରାଓକାଙ୍କୁ ଭେଟିବେ । ସେ ପାଞ୍ଚ ବର୍ଷ ହେଲା ମୁକୁଟ ପ୍ରତୀକ୍ଷାରେ ଅଛନ୍ତି ।
ପୁରୁଷ ଯୁଗଳରେ ଏମ୍ଆର୍ ଅର୍ଜୁନ ଓ ଧ୍ରୁବ କପିଳା ମଧ୍ୟ କ୍ୱାର୍ଟରରେ ସ୍ଥାନ ପାଇଥିଲେ । ସେମାନେ ଷଷ୍ଠ ସିଡ୍ ମାଲେସୀୟ ଯୋଡ଼ି ଗୋହ ସେ ଫେଇ ଓ ନୁର୍ ଇଜୁଦ୍ଦିନଙ୍କୁ ୧୮-୨୧, ୨୪-୨୨, ୨୧-୧୮ରେ ପରାସ୍ତ କରିଥିଲେ । କିନ୍ତୁ ମହିଳା ଯୁଗଳରେ ପୂଜା ଧଣ୍ଡୁ ଓ ଆରତୀ ସାରା ସୁନୀଲଙ୍କ ଆହ୍ୱାନ ଶେଷ ହୋଇଛି ।
ଅନ୍ୟପଟେ, ବୁଧବାର ନିଜ ଦେଶର କିଦାମ୍ବୀ ଶ୍ରୀକାନ୍ତଙ୍କୁ ହରାଇଥିବା ମିଥୁନ ମଞ୍ଜୁନାଥଙ୍କ ଅଭିଯାନ ଶେଷ ହୋଇଛି । ସେ ଆୟରଲାଣ୍ଡର ନହତ ନୁୟେନ୍ଙ୍କ ଠାରୁ ୧୦-୨୧, ୨୧-୧୮, ୧୬-୨୧ରେ ହାରିଯାଇଥିଲେ । ସେହିପରି ମହିଳା ଏକକରେ ବୁଧବାର ଥାଇଲାଣ୍ଡର ବୁସାନନ୍ ଓଙ୍ଗବାମରୁଙ୍ଗଫାନ୍ଙ୍କୁ ହରାଇଥିବା ଅଶ୍ମିତା ଚଲିହା ଆଉ ଆଗକୁ ବଢ଼ିପାରି ନ ଥିଲେ । ସେ ଚୀନ୍ର ହାନ୍ ୟୁଏଙ୍କ ଠାରୁ ୯-୨୧, ୧୩-୨୧ରେ ପରାଜିତ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *