ଆଚିଭର୍ସ ଶ୍ରେଣୀରେ ଓଡ଼ିଶା

ବିଆର୍ଏପି-୨ଠ୨ଠ ଆକଳନ ରିପୋର୍ଟ
ଭୁବନେଶ୍ୱର (ବୁ୍ୟରୋ): କେନ୍ଦ୍ର ସରକାରଙ୍କ ଡିପିଆଇଆଇଟି ବିଭାଗ ପକ୍ଷରୁ ବିଜିନେସ୍ ରିଫର୍ମସ ଆକ୍ସନ୍ ପ୍ଲାନ୍ (ବିଆର୍ଏପି) ୨ଠ୨ଠ ଆକଳନ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଓଡ଼ିଶା ଇଜ୍ ଅଫ୍ ଡୁଇଂ ବିଜିନେସ୍ (ବ୍ୟବସାୟ ଅନୁକୂଳ ବାତାବରଣ) ର୍ୟାଙ୍କ୍ରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବା ଉଲ୍ଲେଖ ରହିଛି ।
ରିପୋର୍ଟ ଅନୁସାରେ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଭଳି ଶିଳ୍ପ ବିକଶିତ ରାଜ୍ୟ ସହିତ ଓଡ଼ିଶା ୬ ‘ଆଚିଭର’ ରାଜ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ୟୁଜର-ଫିଡ୍ବ୍ୟାକ୍ରେ ୮ଠ ପ୍ରତିଶତରୁ ଅଧିକ ସ୍କୋର ସହ ଓଡ଼ିଶାକୁ ଏହି ସଫଳତା ମିଳିଛି । ଗତଥର ବିଆରଏପି ଆକଳନରେ ଓଡ଼ିଶା ୨୯ ନମ୍ବରରେ ଥିଲା । ଏବେ ଦେଶର ଆଚିଭର ରାଜ୍ୟ ମଧ୍ୟରେ ସାମିଲ୍ ହୋଇଛି । ଡିପିଆଇଆଇଟି ଦ୍ୱାରା ପ୍ରସ୍ତାବିତ ୩ଠ୧ଟି ସଂସ୍କାରକୁ କାର୍ଯ୍ୟକାରୀ କରି ଚଳିତଥର ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି । ୮ଠ ପ୍ରତିଶତରୁ ଅଧିକ ସକାରାତ୍ମକ ମତାମତ ହାସଲ କରିଛି । ନୂଆ ଇ-ଶ୍ରମ ପୋର୍ଟାଲ, ଶ୍ରମ ଏବଂ ଇଏସ୍ଆଇ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସେବା ପାଇଁ ଏକ ୱାନ୍ ଷ୍ଟପ୍ ସପ୍ ଏବଂ ଏହାକୁ ଗୋ-ସ୍ୱିଫ୍ଟ ପୋର୍ଟାଲ ସହ ସମନ୍ୱିତ କରିବା, ଭୂମି ରେକର୍ଡର ଡିଜିଟାଇଜେନ୍, ଡ୍ରଗ୍ ଲାଇସେନ୍ସ, ପରିବେଶ ମଞ୍ଜୁରୀ ପାଇଁ ଅନ୍ଲାଇନ୍ ବ୍ୟବସ୍ଥା, ଅବକାରୀ ସେବାର ଡିଜିଟାଇଜେସନ ଭଳି ପ୍ରମୁଖ ସଂସ୍କାର ରାଜ୍ୟ ଆପଣାଇଛି । ବିଭିନ୍ନ ସଂସ୍କାର ଅଣାଯିବା ଯୋଗୁ ୨୯ଠଠରୁ ଅଧିକ ବୃହତ୍ ଏବଂ ଏମ୍ଏସ୍ଏମ୍ଇ ପ୍ରସ୍ତାବ ଗୋ-ସ୍ୱିଫ୍ଟକୁ ଆସିଛି । ପ୍ରାୟ ୯ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା ସୃଷ୍ଟି ହୋଇଛି । ଗୋ-ସ୍ୱିଫ୍ଟରେ ୧୫ ବିଭାଗର ୩୪ଟି ସେବା ସାମିଲ୍ ଥିବାବେଳେ ଏହାକୁ ୧୮ ବିଭାଗର ୫୪ ସେବାକୁ ବୃଦ୍ଧି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *