ପିଲାଏ ପଢ଼ୁଛନ୍ତି ଶୋଇକି, ଶିକ୍ଷୟିତ୍ରୀ ଜଗୁଆଳି

ବଡ଼ଚଣା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ
ବଡ଼ଚଣା (ଆପ୍ର): ‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ସର୍ବଶିକ୍ଷା ଅଭିଯାନର ଏହି ସ୍ଲୋଗାନ ଏବେ କେବଳ ସ୍ଲୋଗାନ୍ରେ ରହିଯାଇଥିବା ଭଳି ଲାଗୁଛି । ପିଲାଙ୍କୁ ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସରକାର ନାନା ଯୋଜନା କରୁଛନ୍ତି, ହେଲେ କିଛି ବିଦ୍ୟାଳୟର ଭିତ୍ତିଭୂମି ତଥା ଦୁର୍ବଳ ପାଠପଢ଼ାକୁ ନେଇ ଶିକ୍ଷା ଅଧୀନ ନାନା ଯୋଜନା ଏବେ ଫେଲ୍ ମାରିବାକୁ ବସିଛି । ବଡ଼ଚଣା ଶିକ୍ଷାମଣ୍ଡଳୀ ଅଧୀନ ଚଣ୍ଡୀଖୋଲ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଏହାର ସଦ୍ୟତମ ଉଦାହରଣ ।
ଏଠାରେ ନା ଠିକ୍ରେ ପଢ଼ା ହେଉଛି ନା ସଠିକ ଢଙ୍ଗରେ ମଧ୍ୟାହ୍ନ ଭୋଜନ ପିଲାଙ୍କୁ ମିଳୁଛି । ୨୦୦୯ରେ ଏହି ସ୍କୁଲ୍ରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇଥିଲା । କିନ୍ତୁ ଅଞ୍ଚଳରେ ଶିକ୍ଷାବୃଦ୍ଧି ଲକ୍ଷ୍ୟ ନେଇ ଯେଉଁ ପ୍ରୟାସ କରାଯାଇଛି ତାହା ଏଠାରେ ଏକ ପ୍ରକାର ଫେଲ୍ ମାରିଛି । ଶ୍ରେଣୀଗୃହର ଚଟାଣଗୁଡ଼ିକୁ ମାର୍ବଲ ପକାଇ ଚକାଚକ୍ କରି ଦିଆଯାଇଛି ସିନା ପରିସରର ଦୁର୍ଗନ୍ଧରେ ଫାଟି ପଡ଼ୁଛି । ୫ ଶ୍ରେଣୀର ପିଲା ଗୋଟିଏ ଶ୍ରେଣୀଗୃହରେ ଗଦା ହୋଇ ପଢ଼ୁଥିବା ବେଳେ ପଢ଼ା ପ୍ରତି ଖାତିର ନାହିଁ । ଶିକ୍ଷୟିତ୍ରୀ ତାଙ୍କ ବାଟରେ ପଢ଼ାଉଥିବା ବେଳେ ପିଲାଏ କିଏ ଶୋଇକି ପଢ଼ୁଛି ତ ଆଉ କିଏ ଗପସପରେ ମଜ୍ଜି ଯାଇଛି । ସ୍କୁଲ୍ର ଉପସ୍ଥାନ ୩୪ ହୋଇଥିବା ବେଳେ ହାତ ଗଣତି ୫/୬ ଜଣ କେବଳ ସ୍କୁଲ୍କୁ ଆସୁଛନ୍ତି । ଶିକ୍ଷୟିତ୍ରୀଙ୍କୁ ମଧ୍ୟାହ୍ଣ ଭୋଜନ ବିଷୟରେ ପଚାରିବାରୁ ସେ ସଙ୍ଗେ ସଙ୍ଗେ ନିଜର ଜଣେ କର୍ମଚାରୀଙ୍କୁ ଟଙ୍କା ଦେଇ ଖାଇବା କିଣିଆଣିବାକୁ କହିଥିଲେ । ସ୍ଥାନୀୟଲୋକ କହୁଛନ୍ତି ଏଠାରେ ମଧ୍ୟାହ୍ନ ଭୋଜନ ରନ୍ଧା ହୁଏ ନାହିଁ । ବେଳେ ବେଳେ ପାଖରେ ଥିବା ଆହାର କେନ୍ଦ୍ରରୁ ୫ ଟଙ୍କିଆ ମିଲ୍ ଆଣି ପିଲାମାନଙ୍କୁ ବାଣ୍ଟି ଦିଆଯାଏ, ଆଉ କେତେବେଳେ ପିଲାଏ ଘରେ ଯାଇ ଖାଆନ୍ତି । ପିଲା ୫କୁ ଷ୍ଟାଫ୍ ସଂଖ୍ୟା ବି ୫ । ପିଲାଙ୍କ ପୋଷାକ ବିଷୟରେ ପ୍ରଧାନଶିକ୍ଷୟତ୍ରିଙ୍କୁ ପଚାରିବାରୁ ଆମେ ୩୪ ପିଲାଙ୍କୁ ଡ୍ରେସ ଦେଇସାରିଛୁ, କିନ୍ତୁ ସେମାନେ ପିନ୍ଧି ଆସୁନଥିବା କହିଛନ୍ତି । ଏଭଳି ସ୍ଥିତିରେ ଯଦି ସ୍କୁଲ୍ ଚାଲେ ତେବେ ଶିକ୍ଷା ବ୍ୟବସ୍ଥାର ଦିଗ କେଉଁଆଡ଼େ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ସରକାର କେବଳ ଅର୍ଥ ଖର୍ଚ୍ଚ କରିଦେଲେ ତ ହେବନି ବରଂ ଏହାର ତଦାରଖ କରିବା ଜରୁରୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *