କ୍ୱାର୍ଟରରେ ସିନ୍ଧୁ, ପ୍ରଣୟ

କୁଆଲାଲମ୍ପୁର, ୩୦ା୬ (ଏଜେନ୍ସି): ଦୁଇ ଥର ଅଲିମ୍ପିକ୍ ପଦକଧାରୀ ପିଭି ସିନ୍ଧୁ ଓ ଥୋମାସ୍ କପ୍ ଷ୍ଟାର୍ ଏଚ୍ଏସ୍ ପ୍ରଣୟ ଗୁରୁବାର ନିଜ ନିଜ ମ୍ୟାଚ୍ ଜିତି ମାଲେସିଆ ଓପନ୍ ସୁପର୍ ୭୫୦ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର୍-ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ଭାରତର ଐତିହାସିକ ଥୋମାସ୍ କପ୍ ବିଜୟରେ ସମସ୍ତ ମ୍ୟାଚ୍ ଜିତିଥିବା ଅନ୍ସିଡ୍ ପ୍ରଣୟ ଦିନର ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଥିଲେ । ସେ ବିଶ୍ୱର ଚାରି ନମ୍ବର ଖେଳାଳି ଚାଇନୀଜ୍ ତାଇପେର ଚୋଉ ତିଏନ୍ ଚେନ୍ଙ୍କୁ ୨୧-୧୫, ୨୧-୭ରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ୩୦ ମିନିଟ୍ରୁ ଟିକେ ଅଧିକ ସମୟ ଧରି ଚାଲିଥିଲା ।
ଗତ ସପ୍ତାହରେ ଇଣ୍ଡୋନେସିଆ ଓପନ୍ରେ ସେମିଫାଇନାଲ୍ ଫିନିଶ୍ କରିଥିବା ୨୯ବର୍ଷୀୟ ପ୍ରଣୟ ଉଭୟ ଗେମ୍ରେ ଧୀମା ଆରମ୍ଭ କରିଥିଲେ । କିନ୍ତୁ ସେ ଥରେ ସେଟ୍ ହୋଇଯିବା ପରେ ଆଉ ତାଙ୍କୁ ଅଟକାଇବା ସମ୍ଭବପର ହୋଇ ନ ଥିଲା । ପ୍ରଥମ ଗେମ୍ରେ ତାଙ୍କୁ ଆହ୍ୱାନ ମିଳିଥିଲା, ହେଲେ ଦ୍ୱିତୀୟ ଗେମ୍କୁ ସେ ସହଜରେ ହାତେଇଥିଲେ ।
ବିଶ୍ୱର ୨୧ତମ ଭାରତୀୟ ପରବର୍ତ୍ତୀ ରାଉଣ୍ଡରେ ସପ୍ତମ ସିଡ୍ ଇଣ୍ଡୋନେସିଆର ଜୋନାତନ ଖ୍ରୀଷ୍ଟୀଙ୍କୁ ଭେଟିବେ, ଯାହାଙ୍କ ବିପକ୍ଷରେ ତାଙ୍କ ଜୟ-ପରାଜୟ ରେକର୍ଡ ୩-୫ ରହିଛି ।
ପୂର୍ବତନ ବିଶ୍ୱ ବିଜୟିନୀ ସିନ୍ଧୁ ଥାଇଲାଣ୍ଡର ଯୁବ ଖେଳାଳି ଫିତ୍ତାୟାପୋର୍ନ ଚାଇୱାନଙ୍କୁ ୧୯-୨୧, ୨୧-୯, ୨୧-୧୪ରେ ପରାସ୍ତ କରିଥିଲେ । ଭାରତୀୟ ଖେଳାଳି ଅଳ୍ପରେ ପ୍ରଥମ ଗେମ୍ ହାରିଥିଲେହେଁ ଏହାପରେ ଜୋର୍ଦାର ପ୍ରତ୍ୟାବର୍ତ୍ତନ କରି ସହଜରେ ଦ୍ୱିତୀୟ ଗେମ୍କୁ ଜିତିଥିଲେ । ନିର୍ଣ୍ଣାୟକ ଗେମ୍ରେ ବି ସିନ୍ଧୁଙ୍କ ଅଭିଜ୍ଞତା ଆଗରେ ଚାଇୱାନ୍ ହାର୍ ମାନିଥିଲେ ।
ଏହି ମ୍ୟାଚ୍ ୫୭ ମିନିଟ୍ ଧରି ଚାଲିଥିଲା । ସପ୍ତମ ସିଡ୍ ପରବର୍ତ୍ତୀ ରାଉଣ୍ଡରେ ଚାଇନୀଜ୍ ତାଇପେର ତାଇ ଜୁ ୟିଙ୍ଗ୍ଙ୍କୁ ଭେଟିବେ । ୟିଙ୍ଗ୍ଙ୍କ ବିପକ୍ଷରେ ସିନ୍ଧୁଙ୍କ ୫-୧୫ ଜୟ-ପରାଜୟ ରେକର୍ଡ ରହିଛି, ଯେଉଁଥିରେ କ୍ରମାଗତ ପାଞ୍ଚ ପରାଜୟ ରହିଛି ।
କଶ୍ୟପ ବିଦା; ସାତ୍ତ୍ୱିକ-ଚିରାଗ ବିଦା
ଅନ୍ୟପଟେ, ପାରୁପଲ୍ଲୀ କାଶ୍ୟପ ପୁରୁଷ ଏକକର ଅନ୍ତିମ-୮ରେ ପହଞ୍ଚିବାରେ ବିଫଳ ହୋଇଛନ୍ତି । ସେ ଥାଇଲାଣ୍ଡର କୁନଲାଭତ ଭିତିଦସାର୍ନଙ୍କ ଠାରୁ ୧୯-୨୧, ୧୦-୨୧ରେ ହାରିଯାଇଥିଲେ । କଶ୍ୟପ ପ୍ରଥମ ଗେମ୍ରେ କଡ଼ା ସଂଘର୍ଷ କରିଥିଲେହେଁ ଗେମ୍ ବଞ୍ଚାଇ ପାରି ନ ଥିଲେ । ଦ୍ୱିତୀୟ ଗେମ୍ରେ ବିଶ୍ୱର ୧୮ତମ ଖେଳାଳି କୁନଲାଭତଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ମ୍ୟାଚ୍ ୪୪ ମିନିଟ୍ ଧରି ଚାଲିଥିଲା ।
ଇତ୍ୟବସରେ ପୁରୁଷ ଯୁଗଳରେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ସାତ୍ତ୍ୱିକ ମାଂସପେଶୀ ଜନିତ ଯନ୍ତ୍ରଣା ଭୋଗୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *