ରାସ୍ତା ଘେରିବାକୁ ଗାଁ ଲୋକଙ୍କ ଚେତାବନୀ

ପ୍ରତିଶ୍ରୁତି ପାଳନ କଲାନି ପ୍ରଶାସନ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମହୁଲପୁଞ୍ଜି ଗାଁ ଲୋକେ ବର୍ତ୍ତମାନ ଏକ କଡା ପଦକ୍ଷେପ ନେବେବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଦୀର୍ଘ ୩ ମାସ ଅପେକ୍ଷା କରିବାପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଦେଇଥିବା ପ୍ରତିଶୃତି ପାଳନ ନକରିଥିବାରୁ ଗାଁଲୋକେ ଏକଜୁଟ୍ ହୋଇ ରାଜରାସ୍ତା ଘେରିବାକୁ ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉ ଯେ ମହୁଲପୁଞ୍ଜି ଗାଁରେ ଥିବା ଏକ ସୃଷ୍ଟି ଆଗ୍ରୋ ଫାର୍ମ ଗଢ଼ି ଉଠିଛି । ଉକ୍ତ ଫାର୍ମକୁ ଗାଁ ପରିବେଶକୁ ଦୂରକୁ ହଟାଇବା ପାଇଁ ବାରମ୍ବାର ଦୌଡି ନିରାଶ ହେବାପରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଗାଁଲୋକେ ମିଳିତଭାବେ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ଭୋଟ ଦିନ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅଧିକାରୀମାନେ ଯାଇ ଗାଁ ଲୋକଙ୍କୁ ବୁଝାସୁଝା କରିବାପରେ ଦୀର୍ଘ ୨ ଘଣ୍ଟା ପରେ ଭୋଟ୍ ଦେବାକୁ ଗାଁଲୋକେ ନିଷ୍ପତ୍ତି ନେଇଥିଲେ । ଉକ୍ତ କୁକୁଡା ଫାର୍ମକୁ ହଟାଇବା ପାଇଁ ପ୍ରଶାସନ ଉକ୍ତ ସମୟରେ ପ୍ରତିଶ୍ରୁତି ଦେଇଥିଲା । ନିର୍ବାଚନ ସରିବାର ଦୀର୍ଘ ୩ ମାସ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ନ ନେଇଥିବାରୁ ଚଳିତ ମାସ ଗତ ୯ ତାରିଖ ଦିନ ଗାଁ ଲୋକେ ଏକାଠି ହୋଇ ସଭା କରିଥିଲେ । ଉକ୍ତ ସଭାରେ ସୃଷ୍ଟି ଆଗ୍ରୋ କୁକୁଡା ଫାର୍ମକୁ ଗାଁ ଠାରୁ ୫ କିଲୋମିଟର ଦୂରକୁ ହଟାଇବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।
ବର୍ତ୍ତମାନ ବର୍ଷା ଦିନ ଆସିଥିବାରୁ କୁକୁଡା ଫାର୍ମ ଯୋଗୁଁ ପରିବେଶ ଅତି ପ୍ରଦୁ୍ୟଷିତ ହେଉଥିବା ନେଇ ଗାଁଲୋକେ ଅଭିଯୋଗ ଉଠାଇଛନ୍ତି । ବୁଧବାର ଗାଁର ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏହା ବିରୁଦ୍ଧରେ ପୁନର୍ବାର ଦାବିପତ୍ର ଦେଇଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏହା ଉପରେ ଯଦି କୌଣସି ବନେ୍ଦାବସ୍ତ କରାନଯାଏ ତେବେ ଗ୍ରାମବାସୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳ ସରୋଜ କୁମାର ସେଠୀ କୁହନ୍ତି ଯେ ଗୁରୁବାର ଏକ ଟିମ୍ ଗାଁକୁ ଯାଇ ଅନୁଧ୍ୟାନ କଲାପରେ କୁକୁଡା ଫାର୍ମର ମାଲିକ ଓ ଗାଁର କିଛି କମିଟିକୁ ଡକାଯାଇ ଉଭୟଙ୍କୁ ନେଇ ବୈଠକ କଲାପରେ ନିଷ୍ପତ୍ତି ନିଆଯିବବୋଲି ପ୍ରକାଶ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *