ରାସ୍ତା ନାହିଁ: ଷ୍ଟ୍ରେଚରରେ ବୁହା ହେଲେ ରୋଗୀ
ଆମ ଗାଁ ଆମ ବିକାଶ ଯୋଜନା ଫେଲ୍
ମୋହନା (ଆପ୍ର): ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ରାସ୍ତାଘାଟ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି । ମାତ୍ର ଗଜପତି ଜିଲ୍ଲା ମୋହନା ବ୍ଲକର ବହୁ ଉପାନ୍ତ ଅଞ୍ଚଳରେ ଉକ୍ତ ଯୋଜନା ଫେଲ୍ ମାରିଥିବା ନଜିର ରହିଛି । ବ୍ଲକ ପ୍ରଶାସନଙ୍କ ନିଷ୍କି୍ରୟତା ଯୋଗୁଁ ନିରୀହ ଆଦିବାସୀଙ୍କୁ ସମସ୍ୟା ଭୋଗିବାକୁ ପଡ଼ୁଛି । ଗ୍ରାମବାସୀଙ୍କୁ ମିଳିପାରୁନି ରାସ୍ତା ଓ ପାନୀୟ ଜଳ ଭଳି ମୌଳିକ ସୁବିଧ । ଗାଁକୁ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ ଜଣେ ମହିଳାଙ୍କୁ ୪ କିମି ଷ୍ଟ୍ରେଚରରେ ବୋହି ମେଡ଼ିକାଲ ନେଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଡମ୍ବଗୁଡ଼ା ପଞ୍ଚାୟତର ନିଲ୍ଡିକ୍ଲିଆ ଗ୍ରାମରେ ।
ପାହାଡ଼ିଆ ଜଙ୍ଗଲ ପଥୁରିଆ ରାସ୍ତାରେ ପୁରା ୪ କିଲୋମିଟର କାନ୍ଧରେ ବୁହା ହୋଇ ଆସିଲେ ରୋଗୀ । ନିଲ୍ଡିକ୍ଳିଆ ଗ୍ରାମର ସସ୍ମିତା ମଲ୍ଲିକଙ୍କ ଦେହ ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ବୁଡ଼ାନିଲ୍ଡି ଗ୍ରାମ ପର୍ଯ୍ୟନ୍ତ ଗ୍ରାମବାସୀ ବୋହି ଆଣିବା ପରେ ଅନ୍ୟ ଗୋଟିଏ ଗାଡ଼ି ଯୋଗେ ମେଡ଼ିକାଲରେ ପହଞ୍ଚା ଯାଇଥିଲା । ଗାଁକୁ ଭଲ ରାସ୍ତା ଦାବିରେ ଗାଁ ଲୋକ ବାରମ୍ବାର ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲା ଓ ବ୍ଲକ ପ୍ରଶାସନ । ଏଭଳି ଖବର ଗଜପତିରେ ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ କାହା ପାଇଁ ତାହାକୁ ନେଇ ଉଠିଛି ସାଧାରଣରେ ବଡ଼ ପ୍ରଶ୍ନ । ରାଜ୍ୟ ସରକାର ଏହାର ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।