ଅବ୍ୟବସ୍ଥାରେ ସଡ଼ଙ୍ଗବାହାଳି ଅଙ୍ଗନୱାଡ଼ି କେନ୍ଦ୍ର: କ୍ଲବ୍ ଘରେ ପାଠପଢ଼ା
କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତର ସଡ଼ଙ୍ଗବାହାଳି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଉକ୍ତ ଅଙ୍ଗନୱାଡ଼ି ଗୃହ ଛାତରୁ ପାଣି ଗଳିବା ଫଳରେ କୁନି କୁନି ପିଲାମାନେ ନିକଟରେ ଥିବା ଏକ କ୍ଲବ୍ ଘର ଅଗଣାରେ ଖରା ବର୍ଷାରେ ବସି ପାଠ ପଢୁଛନ୍ତି । ଏହି ଅଙ୍ଗନୱାଡ଼ି କେନ୍ଦ୍ରଟି ଅସୁରକ୍ଷିତ ଅବସ୍ଥାରେ ରହିଛି । ୩୩ ଜଣ ଶିଶୁ ଏଥିରେ ନାମ ଲେଖାଇ ଥିବାବେଳେ ୧୪ଜଣ ଆସୁଛନ୍ତି । କିନ୍ତୁ ଅଙ୍ଗନୱାଡ଼ି କେନ୍ଦ୍ରରେ ନାନାଦି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଶିଶୁ ପାଇଁ ଶୌଚାଳୟର ସୁବିଧା ନ ଥିବା ବେଳେ ନଳକୂପ ଥିଲେ ମଧ୍ୟ ତାହା ଅଚଳ ହୋଇ ପଡ଼ି ରହିଛି ।
ପ୍ରଶାସନ ତରଫରୁ ବର୍ଷେ ତଳେ ଅଙ୍ଗନୱାଡ଼ି ଗୃହ ମରାମତି କରାଯାଇଥିଲା । ମରାମତି କାମ ନିମ୍ନମାନର ହୋଇଥିବା ଯୋଗୁ ତାହା ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ । ଯାହା ଫଳରେ କୋମଳମତି ଶିଶୁମ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ସରକାରଙ୍କ ନିୟମ ଅନୁଯାୟୀ ଗର୍ଭଗତୀ ମହିଳା ଏବଂ ପ୍ରସୂତୀ କୋମଳିମତି ଶିଶୁଙ୍କୁ ନେଇ ଅଙ୍ଗନୱାଡି କେନ୍ଦ୍ରକୁ ଆସି ସ୍ୱାସ୍ଥ୍ୟଗତ ସମସ୍ୟାର ପରୀକ୍ଷଣ କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ଗର୍ଭବତୀ ମହିଳା ଏବଂ ପ୍ରସୂତୀ ବର୍ଷା ଦିନରେ ଅଙ୍ଗନୱାଡି କେନ୍ଦ୍ରରେ ଆଶ୍ରୟ ନେଇପାରୁ ନାହାନ୍ତି ।
ଅଙ୍ଗନୱାଡି କେନ୍ଦ୍ରଟି ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ଲୋକଙ୍କ ସୁରକ୍ଷା ପାଇଁ ବାଧ୍ୟ ହୋଇ ତାହା ସବୁବେଳେ ଚାବି ପକାଇ ରଖାଯାଉଛି । ସରକାର ଶିଶୁ ଏବଂ ମହିଳାଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ହେଲେ ସଡ଼ଙ୍ଗବାହାଳି ଅଙ୍ଗନୱାଡି କେନ୍ଦ୍ର ଏ ସମସ୍ତ ସୁବିଧାରୁ ବଞ୍ଚିତ ହୋଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସଡ଼ଙ୍ଗ ଗ୍ରାମବାସୀ ଦାବି କରିଛନ୍ତି ।