ବିକଟାଳ ଶବ୍ଦ ଯୋଗୁଁ ବଢ଼ୁଛି ମାନସିକ ଅବସାଦ ଗ୍ରସ୍ତ
ଶବ୍ଦ ପ୍ରଦୂଷଣ ପାଇଁ ବିପଦରେ ପରିବେଶ
କଟକ (ବୁ୍ୟରୋ): ଯାନବାହନର କାନଫଟା ହର୍ଣ୍ଣ ସାଙ୍ଗକୁ, ବିବାହ, ପର୍ବପର୍ବାଣି ଓ ଅପେରା ଦଳମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଡିଜେ ଓ କ୍ରୀଡ଼ା ମହୋତ୍ସବରେ ଫୁଟାଯାଉଥିବା ଉଚ୍ଚ ଶବ୍ଦ ସମ୍ପନ୍ନ ବାଣ ଲୋକମାନଙ୍କୁ ଅନେକ କଷ୍ଟ ଦେଇଥାଏ । ବୟସ୍କ, ଶିଶୁ ତଥା ରୋଗାକ୍ରାନ୍ତ ବ୍ୟକ୍ତି ବିଶେଷଙ୍କୁ କେବଳ ବିଚଳିତ କରେ ନାହିଁ ବରଂ ସେମାନଙ୍କ ଜୀବନହାନିର କାରଣ ମଧ୍ୟ ସାଜିଥାଏ । ବିକଟାଳ ଶବ୍ଦ ଯୋଗୁ ବହୁ ଲୋକ ମାନସିକ ଅବସାଦ ଗ୍ରସ୍ତ ହେବା ସହ ବିଭିନ୍ନ ପ୍ରାଣଘାତି ରୋଗ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ଓ ଏହା ନୀରବ ଘାତକ ସାଜିଛି । ଯାହାଦ୍ୱାରା ବହୁ ଲୋକ ଶ୍ରବଣ ଶକ୍ତି ହରାଉଛନ୍ତି । ଗତ କିଛି ବର୍ଷ ହେବ ବହୁ ଉଦ୍ଭ୍ରାନ୍ତ ଯୁବକ ବିକଟାଳ ଶବ୍ଦ ସୃଷ୍ଟିକରି ରାସ୍ତାରେ ଗାଡ଼ି ଚଳେଇବା ଦ୍ୱାରା ଲୋକମାନେ ଭୟଭୀତ ହୋଇ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ସମୟରେ ବିଭିନ୍ନ ପ୍ରକାର ଆଇନ ତିଆରି କରିଛନ୍ତି । ଆଇନକୁ କାର୍ଯ୍ୟକାରୀ କରିବା ସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ ଏହି ଆଇନ ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଡଃ ହରେକୃଷ୍ଣ ମହତାବଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଶା ବାଣ ଜନିତ ଶବ୍ଦ ପ୍ରଦୂଷଣ ଆକ୍ଟ ଓ ୧୯୬୫ ରେ ଓଡ଼ିଶା ବାଣ ଓ ଅଧିକ ଶବ୍ଦ ସମ୍ପର୍କିତ ଆଇନ ପ୍ରଣୟନ କରାଯାଇଥିଲା । ଏହି ଆଇନ ବଳରେ ସ୍ଥାନୀୟ ପୁଲିସ ଆଇନ ଉଲ୍ଲଙ୍ଗନକାରୀଙ୍କୁ ଗିରଫ କରିବା ସହ ଯନ୍ତ୍ରପାତି ଜବତ କରିବା ବ୍ୟବସ୍ଥା ରହିଛି ।
ତଦ୍ବ୍ୟତୀତ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ପାଣିପାଗ ପରିବର୍ତ୍ତନ ବିଭାଗ ୨୦୦୨ ମସିହା ବିଜ୍ଞପ୍ତି ବଳରେ ଜିଲ୍ଲାପାଳ, ଏସ୍ପି, ସବଡିଭିଜନ ଅଫିସରମାନଙ୍କୁ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ କ୍ଷମତା ଦେଇଛନ୍ତି । ମାତ୍ର ସମସ୍ତ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଆଇନଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନାହିଁ । ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟ ମଧ୍ୟ ଏ ବାବଦରେ ନିଦେ୍ର୍ଦଶ ଦେଇଛନ୍ତି । ମାତ୍ର ତାହା କାର୍ଯ୍ୟକାରୀ ହୋଇନାହିଁ । ଓଡ଼ିଶା ହାଇକୋର୍ଟ ୪ ଜଣ ଆଇନଜୀବୀ କ୍ଷିରୋଦ ରାଉତ, ଦୀପକ କୁମାର ମହାପାତ୍ର, କପିଳ ଚରଣ ନାୟକ ଓ କବିରାଜ ପ୍ରଧାନ ଓଡ଼ିଶା ମାନବିକ ଅଧିକାର କମିଶନ ନିକଟରେ ଏକ ମାମଲା ଦାଏର କରି ଏ ବାବଦରେ ସ୍କୁଲ କଲେଜ ସ୍ତରରୁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କୁ ନିଦେ୍ର୍ଦଶ ଦେବାକୁ ପ୍ରାର୍ଥନା କରିବା ସହ ଆଇନ ଭଙ୍ଗ ହେଲେ ସ୍ଥାନୀୟ ପୁଲିସକୁ ଦାୟୀ କରାଯିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିବେଦନ କରିଛନ୍ତି । ଏହି ମାମଲାରେ ରାଜ୍ୟ ମାନବିକ ଅଧିକାର ସଦସ୍ୟ ଅସିମ ଅମିତାଭ ଦାସ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ଏ ବାବଦରେ ଜବାବ ଦାଖଲ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।