ବରାବର ସ୍ଥିତିରେ ଶୃଙ୍ଖଳା

ଚତୁର୍ଥ ଟି-୨୦ରେ ଭାରତର ଦମ୍ଦାର ବିଜୟ
ରାଜକୋଟ୍, ୧୭ା୬ (ଏଜେନ୍ସି): ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମ୍ଦାର ବ୍ୟାଟିଂ ପରେ ଅଭେଶ ଖାଁଙ୍କ ନେତୃତ୍ୱରେ ବୋଲର୍ଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ଚତୁର୍ଥ ଟି-୨୦ ଆନ୍ତର୍ଜାତିକରେ ଦକ୍ଷିଣ ଆଫ୍ରିକାକୁ ୮୨ ରନ୍ରେ ପରାସ୍ତ କରିଛି । ଏଥିସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୨-୨ ବରାବର ସ୍ଥିତିରେ ପହଞ୍ଚିଛି । କାର୍ତ୍ତକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ଟି-୨୦ ଆନ୍ତର୍ଜାତିକରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ଭାରତର ସବୁଠାରୁ ବଡ଼ ବିଜୟ । ଏହାଛଡ଼ା ଭାରତର ଏହା ଓଭରାଲ୍ ପଞ୍ଚମ ସର୍ବବୃହତ୍ ବିଜୟ । ରାଜକୋଟ୍ରେ ମଧ୍ୟ ଆୟୋଜକ ଟିମ୍ ତା’ର ଅପରାଜେୟ ରେକର୍ଡ ବଜାୟ ରଖିିଛି ।
୧୭୦ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଦକ୍ଷିଣ ଆଫ୍ରିକା ଟିମ୍ ୧୬.୫ ଓଭର୍ରେ ମାତ୍ର ୮୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ରାସି ଭାନ୍ ଡର୍ ଡୁସେନ୍ ସର୍ବାଧିକ ୨୦ ରନ୍ କରିଥିବା ବେଳେ କୁଇଣ୍ଟନ୍ ଡି’ କକ୍ ୧୪ ଓ ମାର୍କୋ ଜାନ୍ସେନ୍ ୧୨ ରନ୍ର ଇନିଂସ୍ ଖେଳିଥିଲେ । ସେମାନଙ୍କ ଛଡ଼ା ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଅଧିନାୟକ ତେମ୍ବା ବାଭୁମା ମାତ୍ର ୮ ରନ୍ କରିଥିବା ବେଳେ ଆହତ ହୋଇ ପାଭିଲିଅନ୍ ଫେରିଥିଲେ । ଡେଭିଡ୍ ମିଲର୍ ୯ ଓ ହେନରିକ୍ କ୍ଲାସେନ୍ ୮ ରନ୍ କରିଥିବା ବେଳେ ଡ୍ୱେନ୍ ପ୍ରିଟୋରିଅସ୍ ଖାତା ଖୋଲି ପାରି ନ ଥିଲେ ।
ଭାରତ ପକ୍ଷରୁ ଅଭେଶ ୧୮ ରନ୍ ଦେଇ ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଯୁଜବେନ୍ଦ୍ର ଚହଲ ୨ଟି ଏବଂ ହର୍ଷଲ ପଟେଲ୍ ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଏହା ପୂର୍ବରୁ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡରେ ଭାରତୀୟ ଅଧିନାୟକ ରିଷଭ ପନ୍ତ କ୍ରମାଗତ ଚତୁର୍ଥ ଥର ଟସ୍ ହାରିଥିଲେ । ପୁଣି ଥରେ ଟିମ୍ର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଥିଲା । କୁଇଣ୍ଟନ ଡି’ କକ୍ ସୁସ୍ଥ ହୋଇ ଦକ୍ଷିଣ ଆଫ୍ରିକା ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୦ ରନ୍ରେ ୩ ୱିକେଟ୍ ହରାଇଥିଲା । ଓପନିଂ ଯୋଡ଼ି ମାତ୍ର ୧୩ ରନ୍ରେ ଭାଙ୍ଗିଥିଲା । ପୂର୍ବ ମ୍ୟାଚ୍ରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ଋତୁରାଜ ଗାଏକୱାଡ଼ ଏହି ମ୍ୟାଚ୍ରେ ଫ୍ଲପ୍ ହୋଇଥିଲେ । ସେ ୫ ରନ୍ କରି ଲୁଙ୍ଗି ଏନ୍ଗିଡ଼ିଙ୍କ ବଲ୍ରେ ୱିକେଟ୍ ପଛରେ ଡି କକ୍ଙ୍କୁ କ୍ୟାଚ୍ ଦେଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଶ୍ରେୟାସ ଆୟର (୪) ପୁଣି ଥରେ ନିରାଶ କରିଥିଲେ । ସେ ମାର୍କୋ ଜାନ୍ସେନ୍ଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ଶୃଙ୍ଖଳାରେ ଏ ଯାବତ୍ ଉତ୍ତମ ପ୍ରଦର୍ଶନ କରିଆସୁଥିବା ଅନ୍ୟତମ ଓପନର୍ ଈଶାନ କିଶନ ପ୍ରଥମରୁ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ଇନିଂସ୍ ଖେଳିପାରି ନ ଥିଲେ । ସେ ବ୍ୟକ୍ତିଗତ ୨୭ (୨୬ ବଲ୍ରୁ) ରନ୍ କରି ଏନରିକ୍ ନୋର୍ତଜେଙ୍କ ଶିକାର ହୋଇଥିଲେ ।
ଏହାପରେ ଅଧିନାୟକ ରିଷଭ ପନ୍ତ ଓ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ । ଉଭୟ ଚତୁର୍ଥ ୱିକେଟ୍ ପାଇଁ ୪୧ ରନ୍ ଯୋଗ କରିଥିଲେ । ତେବେ ପନ୍ତ ପୁଣି ଥରେ ବିଫଳ ହୋଇଥିଲେ ଏବଂ ୨୩ ବଲ୍ରୁ ୧୭ ରନ୍ କରି କେଶବ ମହାରାଜଙ୍କ ବଲ୍ରେ ଡ୍ୱେନ୍ ପ୍ରିଟୋରିୟସ୍ଙ୍କୁ କ୍ୟାଚ୍ ଦେଇଥିଲେ । ଏହାପରେ ହାର୍ଦ୍ଦିକଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ଦିନେଶ କାର୍ତ୍ତିକ । ଉଭୟ ଦମ୍ଦାର ପ୍ରଦର୍ଶନ କରି ଇନିଂସ୍କୁ ୧୦୦ ଅତିକ୍ରମ କରାଇଥିଲେ । ପଞ୍ଚମ ୱିକେଟ୍ ପାଇଁ ୬୫ (୩୩ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା । ୧୯ତମ ଓଭରରେ ହାର୍ଦ୍ଦିକ (୪୬)ଙ୍କୁ ମାତ୍ର ୪ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ କରିଥିଲେ ଏନ୍ଗିଡ଼ି । ହାର୍ଦ୍ଦିକ ୩୧ ବଲ୍ ଖେଳି ୩ ଚୌକା ଓ ୩ ଛକା ଲଗାଇଥିଲେ ।
ଅନ୍ୟପଟେ ଧୂଆଁଦାର ବ୍ୟାଟିଂ କରୁଥିବା କାର୍ତ୍ତିକ ମାତ୍ର ୨୬ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଶୃଙ୍ଖଳାରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ । ଶେଷ ଓଭର୍ରେ କାର୍ତ୍ତିକ ବ୍ୟକ୍ତିଗତ ୫୫ ରନ୍ରେ ପ୍ରିଟୋରିଅସ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ସେ ୨୭ ବଲ୍ ଖେଳି ୯ ଚୌକା ଓ ୨ ଛକା ମାରିଥିଲେ । ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା । ଅକ୍ଷର ପଟେଲ ୮ ଓ ହର୍ଷଲ ପଟେଲ୍ ୧ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *