୨-୩ ଦିନରେ ମୌସୁମୀ
୪ଠଂ ଉପରେ ୧୩ ସହର
ଭୁବନେଶ୍ୱର,୧୪ା୬: ଆସନ୍ତା ୨-୩ ଦିନରେ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତର ସୀମା ଏବେ ଜଲଗାଁଓ, ବିଦର, ତିରୁପତି ଓ ପୁଡୁଚେରୀ ଉପରେ ରହିଛି । ଆସନ୍ତା ୨-୩ ଦିନରେ ଏହା ଗୁଜୁରାଟର ଆଉ କିଛି ଅଂଶ, ମଧ୍ୟପ୍ରଦେଶର କିଛି ଅଂଶ, ମଧ୍ୟ ମହାରାଷ୍ଟ୍ରର ସଂପୂର୍ଣ୍ଣ ଅଞ୍ଚଳ, ମରାଠୱାଡ଼ା, ତାମିଲନାଡୁ ଓ କର୍ଣ୍ଣାଟକ, ତେଲେଙ୍ଗାନାର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶର ଆଉ କିଛି ଅଂଶ, ଓଡ଼ିଶାର କିଛି ଅଂଶ, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡକୁ ଛୁଇଁବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାର କେତେକ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସମୟରେ ଦକ୍ଷିଣ, ପଶ୍ଚିମ, ମଧ୍ୟ ଓ ଉପକୂଳ ଓଡ଼ିଶାର ମୋଟ ୨୦ଟି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ରାଜ୍ୟରେ ୧୩ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅସହ୍ୟ ଗରମ ଯୋଗୁ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଲେଟିନ୍ ଅନୁସାରେ ବାଲେଶ୍ୱରରେ ୩୬.୦ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୩୭.୮ଂ, କଟକରେ ୩୮.୪ଂ, ପାରାଦୀପରେ ୩୩.୯ଂ, ଭୁବନେଶ୍ୱରରେ ୩୮ଂ, ଗୋପାଳପୁରରେ ୩୪.୮ଂ, ପୁରୀରେ ୩୪ଂ, ଅନୁଗୋଳରେ ୪୩ଂ, ବାରିପଦାରେ ୪୦.୬ଂ, ଝାରସୁଗୁଡ଼ାରେ ୪୩.୫ଂ ଓ କେନ୍ଦୁଝରର ତାପମାତ୍ର ୩୮.୪ଂ ରେକର୍ଡ କରାଯାଇଛି । ସେହିପରି ସମ୍ୱଲପୁରରେ ୪୩.୪ଂ, ସୁନ୍ଦରଗଡ଼ରେ ୪୨.୫ଂ,ହୀରାକୁଦରେ ୪୩ଂ, ଭବାନୀପାଟଣାରେ ୩୯ଂ, ବଲାଙ୍ଗିରରେ ୪୩.୬ଂ, କୋରାପୁଟରେ ୩୪.୫ଂ, ଫୁଲବାଣୀରେ ୩୬.୭ଂ, ଟିଟିଲାଗଡ଼ରେ ୪୨.୪ଂ, ଛତ୍ରପୁରରେ ୩୫ଂ, ରାୟଗଡ଼ାରେ ୩୭.୯ଂ, ଭଦ୍ରକରେ ୩୯ଂ, ଯାଜପୁରରେ ୩୯ଂ, ଢେଙ୍କାନାଳରେ ୩୬ଂ, ଦେବଗଡ଼ରେ ୩୮.୮ଂ, ବରଗଡ଼ରେ ୪୧.୬ଂ, ନବରଙ୍ଗପୁରରେ ୩୬ଂ, ଖୋର୍ଦ୍ଧାରେ ୩୭.୫ଂ, ଜଗତସିଂହପୁରରେ ୩୮ଂ, ସୋନପୁରରେ ୪୪.୨ଂ, ବୌଦ୍ଧରେ ୪୦.୫ଂ, ନୟାଗଡ଼ରେ ୪୦ଂ, ଦାରିଙ୍ଗବାଡ଼ିରେ ୩୩ଂ, ପାରଳାଖେମୁଣ୍ଡିରେ ୩୭.୫ଂ ଓ ମାଲକାନଗିରିରେ ତାପମାତ୍ରା ୪୦ଂ ରେକର୍ଡ କରାଯାଇଛି ।