୨୨ କୋଟିର ଚେକ୍ ବାଉନ୍ସ
ଶ୍ରୀରାମ ମନ୍ଦିର ପାଇଁ ଦାନ
ଅଯୋଧ୍ୟା, ୧୪ା୬: ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ରଙ୍କ ପାଇଁ ମନ୍ଦିର ନିର୍ମାଣ ଲାଗି ଦେଶବ୍ୟାପୀ ନିଧି ସମର୍ପଣ ଯୋଜନାରେ ଭକ୍ତମାନେ ଖୁବ୍ ଦାମ କରିଥିଲେ । ଅନେକ ଭକ୍ତ କୋଟି ସଂଖ୍ୟକ ଟଙ୍କା ମଧ୍ୟ ଦାନ କରିଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ ଏମିତି ଅନେକ ଭକ୍ତ ଅଛନ୍ତି ଯେଉଁମାନଙ୍କ ଚେକ୍ ବାଉନ୍ସ ହୋଇଛି । ଏଭଳି ଭକ୍ତଜନଙ୍କ ସଂଖ୍ୟା ୧୫ ହଜାରରୁ ଅଧିକ । ବାଉନ୍ସ ହୋଇଥିବା ଚେକ୍ଗୁଡ଼ିକର ମୂଲ୍ୟ ୨୨ କୋଟି ଟଙ୍କାରୁ ଅଧିକ ।
ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପ୍ରତି ରାଜ୍ୟର ସବୁ ଜିଲ୍ଲା ଏବେ ନିଧି ସମର୍ପଣ ଯୋଜନା ଅନୁଯାୟୀ ଦାନ ସଂଗ୍ରହ କରାଯାଇଥିଲା । ପରିଷଦର ଜିଲ୍ଲା ଶାଖାଗୁଡ଼ିକ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୩୪ଠଠ କୋଟିରୁ ଅଧିକ ଟଙ୍କା ଦାନ ସୂତ୍ରରେ ମିଳିଛି । ୨୨ କୋଟିରୁ ଅଧିକ ଟଙ୍କାର ଚେକ୍ ବାଉନ୍ସ ହୋଇଛି । ତେବେ କେଉଁ କାରଣରୁ ଚେକ୍ ବାଉନ୍ସ ହେଲା ପ୍ରକାଶ କରାଯାଇ ନାହିଁ । ବାଉନ୍ସ ଚେକ୍ଗୁଡ଼ିକୁ ଅଲଗା ରଖି ପରିଷଦ ପକ୍ଷରୁ ଆଉ ଏକ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ରିପୋର୍ଟ ପ୍ରସ୍ତୁତ ହେଲା ପରେ କେଉଁ କାରଣରୁ ଏସବୁ ଚେକ୍ ବାଉନ୍ସ ହେଲା ଜଣାପଡ଼ିବ । ହୁଏତ ବୈଷୟିକ କାରଣରୁ ଚେକ୍ ବାଉନ୍ସ ହୋଇଥାଇ ପାରେ । ସେ କ୍ଷେତ୍ରରେ ବ୍ୟାଙ୍କମାନଙ୍କ ସହ ଆଲୋଚନା ପରେ ଦ୍ୱିତୀୟ ବାର ଚେକ୍ ଜମା କରାଯାଇଥାଏ । ଉଲ୍ଲେଖନୀୟ ବିଷୟଟି ହେଲା ବାଉନ୍ସ ହୋଇଥିବା ଅଧିକାଂଶ ଚେକ୍ ଅଯୋଧ୍ୟା ଜିଲ୍ଲାରୁ ମିଳିଥିଲା । ଏଗୁଡ଼ିକର ସଂଖ୍ୟା ୨ ହଜାରରୁ ଅଧିକ ।
ବିଭିନ୍ନ ରାଜ୍ୟରୁ ମିଳିଥିବା ହଜାର ହଜାର ଚେକ୍ ମଧ୍ୟରୁ ୧୫ ହଜାରରୁ ଅଧିକ ଲୋକଙ୍କ ସେମାନଙ୍କ ଚେକ୍ ଫେରାଇ ଦିଆଯାଇଛି । ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଅର୍ଥ ନ ଥିବା ଏହାର ପ୍ରମୁଖ କାରଣ ।
ଶ୍ରୀରାମ ମନ୍ଦିର ପାଇଁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୧୬୬୩ । ୫ ଲକ୍ଷରୁ ୧ଠ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ କରିଥିବା ଲୋକଙ୍କ ସଂଖ୍ୟା ୧୪୨୮ । ୯୫ଠ ଜଣ ବ୍ୟକ୍ତି ଜଣ ପିଛା ୧ଠ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ କରିଛନ୍ତି । ୨୫ ଲକ୍ଷରୁ ୫ଠ ଲକ୍ଷ ଟଙ୍କା ଦାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୧୨୩ । ୧୨୭ ଶ୍ରଦ୍ଧାଳୁ ଜଣ ପିଛା ୫ଠ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଦାନ କରିଛନ୍ତି । ୧ କୋଟିରୁ ଅଧିକ ଟଙ୍କା ଦେଇଥିବା ଦାତାଙ୍କ ସଂଖ୍ୟା ୭୪ ।