ଶୃଙ୍ଖଳାକୁ ଫେରିଲା ଟିମ୍ ଇଣ୍ଡିଆ
ତୃତୀୟ ଟି-୨୦: ୪୮ ରନ୍ରେ ହାରିଲା ଦକ୍ଷିଣ ଆଫ୍ରିକା
ବିଶାଖାପାଟଣା, ୧୪ା୬ (ଏଜେନ୍ସି): କର ବା ମର ସ୍ଥିତିରେ ଥିଲା ଟିମ୍ ଇଣ୍ଡିଆ । ଆଉ ଗୋଟିଏ ମ୍ୟାଚ୍ ହାରିଥିଲେ, ଶୃଙ୍ଖଳା ହାତଛଡ଼ା ହୋଇଥା’ନ୍ତା । କିନ୍ତୁ ମଙ୍ଗଳବାର ତୃତୀୟ ଟି-୨୦ରେ ଆୟୋଜକ ଟିମ୍ ଓପନର୍ଙ୍କ ଧୂଆଁଦାର ବ୍ୟାଟିଂ ଏବଂ ହର୍ଷଲ ପଟେଲ୍ ଓ ଯୁଜବେନ୍ଦ୍ର ଚହଲଙ୍କ ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକାକୁ ୪୮ ରନ୍ରେ ହରାଇ ଦମ୍ଦାର ଢଙ୍ଗରେ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛି । ଏଥି ସହ ପାଞ୍ଚ ମ୍ୟାଚ୍ର ଶୃଙ୍ଖଳା ୧-୨ ସ୍ଥିତିରେ ପହଞ୍ଚିଛି । କ୍ରିକେଟ୍ର ତିନିଟି ଫର୍ମାଟ୍କୁ ମିଶାଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଲଗାତାର ସାତ ମ୍ୟାଚ୍ ପରାଜୟ ପରେ ପ୍ରଥମ ବିଜୟ ।
ତେବେ ଟିମ୍ ଇଣ୍ଡିଆର ଆହ୍ୱାନ ଏବେ ଶେଷ ହୋଇ ନାହିଁ । ଶୃଙ୍ଖଳା ଜିତିବାକୁ ହେଲେ ଟିମ୍କୁ ୧୭ ଓ ୧୯ରେ ହେବାକୁ ଥିବା ପରବର୍ତ୍ତୀ ଦୁଇଟି ମ୍ୟାଚ୍ ମଧ୍ୟ ଜିତିବାକୁ ହେବ । ତୃତୀୟ ମ୍ୟାଚ୍ରେ ୩ ୱିକେଟ୍ ନେବା ସହ ୨ କ୍ୟାଚ୍ ନେଇଥିବା ଚହଲ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
୧୮୦ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଦକ୍ଷିଣ ଆଫ୍ରିକା ଟିମ୍ ପୂରା ଓଭର୍ ବି ଖେଳିପାରି ନ ଥିଲା ଏବଂ ୧୯.୧ ଓଭର୍ରେ ମାତ୍ର ୧୩୧ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା । ଟିମ୍ ପକ୍ଷରୁ ପୂର୍ବ ମ୍ୟାଚ୍ର ହିରୋ ହେନରିକ୍ କ୍ଲାସେନ୍ ସର୍ବାଧିକ ୨୯ ରନ୍ କରିଥିଲେ । ଭାରତ ପକ୍ଷରୁ ହର୍ଷଲ ୨୫ ରନ୍ ଦେଇ ୪ଟି, ଚହଲ ୨୦ ରନ୍ ଦେଇ ୩ଟି ଏବଂ ଭୁବନେଶ୍ୱର କୁମାର ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ନିୟମିତ ବ୍ୟବଧାନରେ ୱିକେଟ୍ ପତନ ଓ ଧୀମା ରନ୍ରେଟ୍ ଟିମ୍ର ପିଛା ଛାଡ଼ି ନ ଥିଲା । ୭୧ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ଅଧିନାୟକ ତେମ୍ବା ବାଭୁମା (୮) ଓ ରୀଜା ହେନଡ୍ରିକ୍ସ (୨୩) ଯଥାକ୍ରମେ ଅକ୍ଷର ଓ ହର୍ଷଲଙ୍କ ବଲ୍ରେ; ରାସି ଭାନ୍ ଡର୍ ଡୁସେନ୍ (୧) ଓ ଡ୍ୱେନ୍ ପ୍ରିଟୋରିଅସ୍ (୨୦) ଚହଲଙ୍କ ବଲ୍ରେ ଏବଂ ଡେଭିଡ୍ ମିଲର୍ (୩) ହର୍ଷଲଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ବି ସଙ୍କଟ ଜାରି ରହିଥିଲା । କ୍ଲାସେନ୍ (୨୯) ଚହଲଙ୍କ ତୃତୀୟ ଶିକାର ହୋଇଥିବା ବେଳେ କାଗିସୋ ରାବାଡ଼ା (୯)ଙ୍କୁ ହର୍ଷଲ, କେଶବ ମହାରାଜ (୧୧)ଙ୍କୁ ଭୁବନେଶ୍ୱରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏନରିକ୍ ନୋର୍ତଜେ (୦) ରନ୍ଆଉଟ୍ ହୋଇଯାଇଥିଲେ । ତାବରେଜ୍ ଶାମସୀ (୦) ଶେଷ ବ୍ୟାଟର୍ ଭାବେ ହର୍ଷଲଙ୍କ ଶିକାର ହୋଇଥିଲେ । ୱେନୀ ପର୍ନେଲ୍ ୨୨ ରନ୍ କରି ଅପରାଜିତ ଥିଲେ ।
ଦକ୍ଷିଣ ଆଫ୍ରିକାର ଅଧିନାୟକ ବାଭୁମା ଲଗାତାର ତୃତୀୟ ଥର ଟସ୍ ଜିତି ବୋଲିଂ ନେଇଥିଲେ । ଉଭୟ ଟିମ୍ ଅପରିବର୍ତ୍ତିତ ରହିଥିଲା । ଏଥର ବି ଉମରାନ ମଲିକଙ୍କୁ ସୁଯୋଗ ମିଳି ନ ଥିଲା ।
ଋତୁରାଜ ଗାଏକୱାଡ଼ ଓ ଈଶାନ କିଶନଙ୍କ ଯୋଡ଼ି ଜୋର୍ଦାର ଆରମ୍ଭ କରିଥିଲେ । ପୂର୍ବ ଦୁଇ ମ୍ୟାଚ୍ରେ ଆଶାଜନକ ପ୍ରଦର୍ଶନ କରିପାରି ନ ଥିବା ଋତୁରାଜ ଏଥର ଧୂଆଁଦାର ବ୍ୟାଟିଂ କରିଥିଲେ । ପଞ୍ଚମ ଓଭର୍ରେ ଏନରିକ୍ ନୋର୍ତଜେଙ୍କ ବଲ୍ରେ ସେ ଲଗାତାର ପାଞ୍ଚ ଚୌକା ଲଗାଇଥିଲେ । ପାୱାରପ୍ଲେ ସୁଦ୍ଧା ସ୍କୋର୍ ହୋଇଥିଲା ୫୭/୦ ।
ଋତୁରାଜ ୩୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଆନ୍ତର୍ଜାତିକ କ୍ରିକେଟ୍ରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ । ଓପନିଂ ୱିକେଟ୍ ପାଇଁ ୬୦ ବଲ୍ରୁ ୯୭ ରନ୍ର ଭାଗୀଦାରୀ ହୋଇଥିଲା । ଋତୁରାଜଙ୍କୁ ଆଉଟ୍ କରି କେଶବ ମହାରାଜ ଏହି ଯୋଡ଼ି ଭାଙ୍ଗିଥିଲେ । ଏହି ଓପନିଂ ବ୍ୟାଟର୍ ୩୫ ବଲ୍ରୁ ୭ ଚୌକା ଓ ୨ ଛକା ସହାୟତାରେ ୫୭ ରନ୍ର ଇନିଂସ୍ ଖେଳିଥିଲେ ।
ଏହାପରେ ଈଶାନ ଦ୍ରୁତ ବ୍ୟାଟିଂ କରି ୩୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଶୃଙ୍ଖଳାରେ ଏହା ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ଥିଲା । ତେବେ ଏହାପରେ ସେ ଆଉ ବେଶୀ ବାଟ ଯାଇପାରି ନ ଥିଲେ ଏବଂ ବ୍ୟକ୍ତିଗତ ୫୪ (୩୫ ବଲ୍ରୁ ୫ ଚୌକା ଓ ୨ ଛକା ସହାୟତାରେ) ରନ୍ରେ ଡ୍ୱେନ୍ ପ୍ରିଟୋରିଅସ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଅଧିନାୟକ ରିଷଭ ପନ୍ତ (୬) ପୁଣି ଥରେ ନିରାଶ କରିଥିଲେ । ତାଙ୍କ ୱିକେଟ୍ ପ୍ରିଟୋରିଅସ୍ଙ୍କ ଖାତାକୁ ଯାଇଥିଲା । ଦିନେଶ କାର୍ତ୍ତକ (୬) ବି ବିଫଳ ହୋଇଥିଲେ ଏବଂ ରାବାଡ଼ାଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରୟାସ ବଳରେ ଇନିଂସ୍ ଆଉ କିଛି ବାଟ ଆଗେଇ ପାରିଥିଲା । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲ । ହାର୍ଦ୍ଦିକ ୨୧ ବଲ୍ରୁ ୩୧ ଓ ଅକ୍ଷର ୫ ରନ୍ କରି ଅପରାଜିତ ଥିଲେ ।