୫ ଥାକିଆ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର
୨ ବର୍ଷ ପରେ ଭକ୍ତ ଗହଣରେ ସ୍ନାନଯାତ୍ରା
ପୁରୀ, ୧୩ା୬ (ବୁ୍ୟରୋ): ମଙ୍ଗଳବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ମହାମାରୀ କରୋନା କାରଣରୁ ଲଗାତାର ୨ ବର୍ଷ ଧରି ବିନାଭକ୍ତରେ ଅନୁଷ୍ଠିତ ହୋଇଥିଲା ସ୍ନାନଯାତ୍ରା । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମଧ୍ୟରେୂ ବେଶ୍ ଉତ୍ସାହ ପରିଲକ୍ଷିତ ହେବା ସହିତ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ପୁରୀକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ ।
ସ୍ନାନଯାତ୍ରାକୁ ଶୁଙ୍ଖଳିତ ଭାବେ ସମାପନ କରିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଥିଲାଗି ସୋମବାର ସ୍ଥାନୀୟ ଟାଉନହଲଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଡିଜି (ଆଇନ୍ଶୃଙ୍ଖଳା) ଆର୍କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶୃଙ୍ଖଳିତ ନୀତିକାନ୍ତି, ଦର୍ଶନ ଓ ନିରାପତ୍ତା ଉପରେ ବ୍ୟାପକ ଆଲୋଚନା କରାଯାଇଛି ।
ସ୍ନାନଯାତ୍ରାରେ ଲକ୍ଷାଧିକଙ୍କ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା ରହିଛି । ତେଣୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ନେଇ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଶୃଙ୍ଖଳିତ ଦର୍ଶନ ଲାଗି ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ୍ ପ୍ରସ୍ତୁତ କରାଯାଇଛି । ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ୱାର ଦେଇ ବାହାରିବେ । ସ୍ନାନ ପୂର୍ଣ୍ଣିମା ପହଣ୍ଡି ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟିକେଟ୍ ବ୍ୟବସ୍ଥା କରାଯାଇଛି । ଟିକେଟଧାରୀମାନେ ଦକ୍ଷିଣଦ୍ୱାର ଓ ଭିଭିଆଇପିମାନେ ପଶ୍ଚିିମଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ଆଇନ ଶୃଙ୍ଖଳା ରକ୍ଷା ନିମିତ୍ତ ପୁରୀ ସହରରେ ୫୨ ପ୍ଲାଟୁନ୍ ଫୋର୍ସ ସହ ବହୁ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ଶ୍ରୀମନ୍ଦିର ସମେତ ପୂରା ସହରକୁ ୫ ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ନିରାପତ୍ତା ବ୍ୟବସ୍ଥାରେ ଯେପରି ତ୍ରୁଟି ନ ଘଟେ ସେଥିପ୍ରତି ସଜାଗ ରହିବାକୁ କଡ଼ା ନିଦେ୍ର୍ଦଶ ଦିଆଯାଇଛି । ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏସ୍ପି କନୱାର ବିଶାଲସିଂହଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।