ବିଶ୍ୱବିଦ୍ୟାଳୟ କୁଳାଧିପତି ହେବେ ମମତା!

ଚାନ୍ସେଲର୍ ବିଲ୍ ପାସ୍, ରାଜ୍ୟପାଳଙ୍କ ମଞ୍ଜୁରିକୁ ଅପେକ୍ଷା
କୋଲକାତା (ଏଜେନ୍ସି): ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିିକର କୁଳଧିପତି ଏଣିକି ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ରହିବେ । ପଶ୍ଚିମବଙ୍ଗ ସରକାରଙ୍କ ଏପ୍ରକାର ନିଷ୍ପତ୍ତି ଉପରେ ସୋମବାର ବିଧାନସଭାରେ ବିଧେୟକ ପାରିତ ହୋଇଥିବା ସୂଚନା ମିଳିଛି । ସମ୍ପ୍ରତି ପଶ୍ଚିମବଙ୍ଗ ରାଜ୍ୟପାଳ ଥିବା ଜଗଦୀପ ଧନଖଡ଼ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଥିବା ତିକ୍ତତା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏପ୍ରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘଦିନରୁ ଏହାକୁ ନେଇ ପଶ୍ଚିମବଙ୍ଗରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ରାଜନୈତିକ ପ୍ରସଙ୍ଗର ମଧ୍ୟ ରୂପ ନେଇଥିଲା । ତେବେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ଏସମ୍ପର୍କୀତ ଆଗତ ଏକ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି ।
ଏହି ନିୟମ ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଣିକି ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦ ସ୍ୱତଃ ଅଳଙ୍କୃତ କରିବେ । ରାଜ୍ୟପାଳ ଧନଖଡ଼ଙ୍କ ସହ ମମତାଙ୍କ ମତଭେଦ କାରଣରୁ ମମତା ଉଦେ୍ଦଶ୍ୟମୂଳକ ଭାବେ ଏପରି କରୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଅପରପକ୍ଷେ ରାଜ୍ୟ ସହାୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଯିବାରେ କୌଣସି ସମସ୍ୟା ନଥିବା ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି) ପକ୍ଷରୁ ଯୁକ୍ତି ବଢ଼ାଯାଇଛି । ଅନ୍ୟପକ୍ଷେ ରାଜ୍ୟ ବିଧାନସଭାରେ ସୋମବାର ଏପ୍ରକାର ବିଧେୟକ ପାରିତ ହେବା ପରେ ବର୍ତ୍ତମାନ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଗଭୀର ହୋଇଯାଇଛି । ସାମ୍ବିଧାନିକ ନିୟମ ଅନୁସାରେ ବିଧାନସଭାରେ ପାରିତ ହେଉଥିବା କୌଣସି ପ୍ରସ୍ତାବ ବା ବିଧେୟକ ରାଜ୍ୟପାଳଙ୍କ ଚୂଡାନ୍ତ ଅନୁମୋଦନ ନପାଇବା ଯାଏ ଆଇନ୍ରେ ପରିଣତ ହୋଇପାରିବ ନାହିଁ । ସୁତରାଂ ସୋମବାର ବିଧାନସଭାରେ ପାରିତ ହୋଇଥିବା ଏହି ବିଧେୟକ ସମ୍ପର୍କରେ ଏବେ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ପ୍ରକାଶ, ରାଜ୍ୟପାଳ ଧନଖଡ ଯଦି ଏହି ବିଧେୟକକୁ ଅନୁମୋଦନ କରୁଛନ୍ତି ତେବେ ରାଜ୍ୟ ସଞ୍ଚାଳିତ ବିଶ୍ୱ ବିଦ୍ୟାଳୟଗୁଡିକରେ ଏଣିକି ଆଉ ରାଜ୍ୟପାଳଙ୍କ କୌଣସି ହସ୍ତକ୍ଷେପ ରହିବ ନାହିଁ । ସବୁକିଛି ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣକୁ ଚାଲିଯିବ । ପ୍ରକାଶ ମେ ୨୬ରେ ରାଜ୍ୟ କ୍ୟାବିନେଟ୍ ଏ ସଂପର୍କିତ ପ୍ରସ୍ତାବ ଉପରେ ମୋହର ମାରିଥିଲା । ଏପରିକି ଏଥିରେ ରାଜ୍ୟପାଳଙ୍କୁ ଘରୋଇ ବିଶ୍ୱ ବିଦ୍ୟାଳୟରେ ଭିଜିଟର ପଦରୁ ହଟାଇବାର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲା । ସୋମବାର ରାଜ୍ୟର ଶିକ୍ଷା ମନ୍ତ୍ରୀ ବ୍ରତ୍ୟ ବସୁ ବିଧାନସଭାରେ ବିଶ୍ୱ ବିଦ୍ୟାଳୟ ଆଇନ୍ (ସଂଶୋଧିତ) ବିଧେୟକ ୨ଠ୨୨ ଉପସ୍ଥାପନ କରିଥିଲେ । ୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ୧୮୨ ବିଧାୟକ ବିଧେୟକ ସପକ୍ଷରେ ମତଦାନ କରିଥିବା ବେଳେ ୪ଠ ସଦସ୍ୟ ଏହା ବିରୋଧରେ ମତଦାନ କରିଛନ୍ତି । ବିରୋଧୀ ବିଜେପି କହିଛି, ମୁଖ୍ୟମନ୍ତ୍ରୀଙ୍କୁ କୁଳାଧିପତି ଭାବେ ନିଯୁକ୍ତି କରିବାର ଅର୍ଥ ବର୍ତ୍ତମାନ ଶିକ୍ଷା ପ୍ରଣାଳୀରେ ସିଧାସଳଖ ରାଜନୈତିକ ହସ୍ତକ୍ଷେପ ରହିବ । ଏପ୍ରକାର ନିୟମ ଆଣି ରାଜ୍ୟ ସରକାର ସବୁ କିଛି ନିୟନ୍ତ୍ରଣ କରିବାକୁ ଚାହୁଁଥିବାର ପ୍ରମାଣ ଦେଇଛନ୍ତି ବୋଲି ବିଜେପି ବିଧାୟକ ଅଗ୍ନିମିତ୍ର ପଲ୍ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *