ସର୍ଭେ ଆଳରେ ଅନୁପ୍ରବେଶ

ଜିଲ୍ଲା ପରିଷଦ ସଭ୍ୟାଙ୍କ ବିରୋଧ ପରେ ପଳାଇଲେ ଆନ୍ଧ୍ର ଅଧିକାରୀ
କୋରାପୁଟ, ୧୧ା୬(ଆପ୍ର): ପଟାଙ୍ଗି ବ୍ଲକ କୋଟିଆରେ ଅନୁପ୍ରବେଶ ଓ ପଞ୍ଚାୟତ ନିର୍ବାଚନ ଭଣ୍ଡୁର ଉଦ୍ୟମ ବିଫଳ ହେବା ପରେ ସଂପ୍ରତି ଏହା ସଂଲଗ୍ନ ନୂଆଗାଁ ଗ୍ରାମପଞ୍ଚାୟତରେ ଆନ୍ଧ୍ର ଅଧିକାରୀମାନେ ସର୍ଭେ କରିଛନ୍ତି । କିନ୍ତୁ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟାଙ୍କ ଦୃଢ଼ ବିରୋଧ ଯୋଗୁ ସେମାନେ ଯନ୍ତ୍ରପାତି ଛାଡ଼ି ପଳାଇଛନ୍ତି ।
କିଛିଦିନର ନୀରବତା ପରେ ଶନିବାର ଅପରାହ୍ଣରେ ଆନ୍ଧ୍ର ପ୍ରଦେଶ ଟିମ୍ ମାନ୍ୟମ ଜିଲ୍ଲା ପାର୍ବତୀପୁରମ୍ ମଣ୍ଡଳର କର୍ମଚାରୀଙ୍କ ସମେତ ଆନ୍ଧ୍ର ଖଣିବିଭାଗର ଏକ ୫ ଜଣିଆ ଟିମ୍ ନୂଆଗାଁ ପଞ୍ଚାୟତ ଗାଲିଗାବଡର ଜଳପ୍ରପାତଠାରେ ମୃତ୍ତିକା ଓ ପଥର ସର୍ଭେ କରିଥିଲେ । ଖବର ପାଇ ପଟ୍ଟାଙ୍ଗି ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ ସମର୍ଥକଙ୍କ ସହିତ ଉକ୍ତ ଗାଁରେ ପହଞ୍ଚି ଆନ୍ଧ୍ର ଅଧିକାରୀଙ୍କୁ ତୁରନ୍ତ ଗାଁ ଛାଡ଼ି ପଳାଇବାକୁ କହିଥିଲେ । କିନ୍ତୁ ଆନ୍ଧ୍ର ଅଧିକାରୀମାନେ ନ ଶୁଣିବାରୁ ଟିକାଇ ବିରୋଧ କରିଥିଲେ ଓ ଉଭୟ ପକ୍ଷ ମଧ୍ୟରେ ବହୁ ସମୟ ଯୁକ୍ତିତର୍କ ହୋଇଥିଲା । ପରିସ୍ଥିତି ଜଟିଳ ହେଉଥିବା ଦେଖି ଆନ୍ଧ୍ର ଅଧିକାରୀମାନେ ପଳାଇଥିଲେ । ଗାଡ଼ିରେ ଖଣି ବିଭାଗ ଅଧୀନସ୍ଥ ଏନ୍ଆଇଆରଏମ୍ ଫଳକ ଲାଗିଥିଲା ଓ କର୍ଣ୍ଣାଟକ ରେଜିଷ୍ଟ୍ରେସନ୍ ନମ୍ବର ଥିଲା ।
କୋଟିଆ ପଞ୍ଚାୟତବାସୀଙ୍କୁ ପ୍ରଲୋଭନ ଦେଖାଇ ହାତକୁ ଆଣି ନପାରି ଆନ୍ଧ୍ର ଅଫିସରମାନେ ଚୁପ୍ ରହିଥିଲେ । ପୁଣି ନିକଟସ୍ଥ ନୂଆଗାଁ ଗ୍ରାମପଞ୍ଚାୟତରେ ଅନୁପ୍ରବେଶ ପାଇଁ ଉଦ୍ୟମ ଆରମ୍ଭ କରିଛି ଆନ୍ଧ୍ର । ଲୋକଙ୍କୁ ପ୍ରଲୋଭନ ଦେଖାଇବା ଆରମ୍ଭ କରିଛନ୍ତି ଆନ୍ଧ୍ର ଅଧିକାରୀ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସଜାଗ ରହିବାକୁ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଗେମେଲ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *