ସନାତନ ଧର୍ମ ପ୍ରତି ବଢ଼ୁଛି ଆସ୍ଥା

ଭୋପାଳ (ଏଜେନ୍ସି): ମଧ୍ୟପ୍ରଦେଶରୁ ଗତ ୧୫ଦିନ ମଧ୍ୟରେ ମୁସଲିମ୍ ଧର୍ମରୁ ହିନ୍ଦୁ ଧର୍ମକୁ ଧର୍ମାନ୍ତରୀକରଣ ହେବାର ୨ୟ ଘଟଣା ସାମ୍ନାକୁ ଆସିଛି । ଏଥର ରତଲାମ୍ର ଅମ୍ବା ଅଞ୍ଚଳର ଏକ ମୁସଲିମ୍ ପରିବାରର ୧୮ଜଣ ସଦସ୍ୟ ସାମୂହିକ ଭାବେ ଇସଲାମ୍ ଧର୍ମ ପରିତ୍ୟାଗ କରିବା ସହ ହିନ୍ଦୁ ଧର୍ମକୁ ଗ୍ରହଣ କରିଛନ୍ତି । ପରିବାରର ମୁଖ୍ୟ ମହମ୍ମଦ ଶାହା ଏବେ ରାମ ସିଂହ ଭାବେ ନିଜ ନାମ ପରିବର୍ତ୍ତନ କରିନେଇଛନ୍ତି । ସେହିପରି ତାଙ୍କ ପରିବାର ତଥା ସମ୍ପର୍କୀୟମାନେ ମଧ୍ୟ ସେମାନଙ୍କ ମୁସଲିମ୍ ଧର୍ମାନୁସାରେ ଥିବା ନାମକୁ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଅନ୍ତର୍ଗତ ନିଜ ନାମକରଣ କରାଇଛନ୍ତି । ଏଠାରେ ଥିବା ଭୀମନାଥ ମନ୍ଦିରରେ ମହା ଶିବପୁରାଣର ପୂର୍ଣ୍ଣାହୂତି ଉପରାନ୍ତେ ଗୁରୁବାର ଦିନ ସ୍ୱାମୀ ଆନନ୍ଦଗିରି ମହାରାଜଙ୍କ ସାନିଧ୍ୟରେ ଏହି ମୁସଲିମ୍ ପରିବାରର ସମସ୍ତ ସଦସ୍ୟ ଗୋବର ଏବଂ ଗୋମୂତ୍ରରେ ସ୍ନାନ କରିବା ସହ ହିନ୍ଦୁ ଦୀକ୍ଷା ଗ୍ରହଣ କରିଛନ୍ତି ।
ମନ୍ଦିର ପରିସରରେ ଥିବା ପବିତ୍ର ବୁଡ଼ କୁଣ୍ଡରେ ପୁରା ପରିବାରକୁ ଗୋବର ଏବଂ ଗୋମୂତ୍ରରେ ସ୍ନାନ କରିବାକୁ ପଡିଥିଲା । ସନାତନ ଧର୍ମ ଗ୍ରହଣ କରିବା ପରେ ପୁରା ପରିବାର ଗେରୁଆ ବସ୍ତ୍ର ପରିଧାନ କରିଥିଲେ ଏବଂ ଜୟଶ୍ରୀ ରାମ, ଜୟ ମହାକାଳ ସାମୂହିକ ଉଚ୍ଚାରଣ କରିଥିଲେ । ପରେ ସନାଧର୍ମର ମଧ୍ୟ ସେମାନେ ଜୟଗାନ କରିଥିଲେ । ଏହା ପୂର୍ବରୁ ପରିବାରର ମୁଖ୍ୟ ମହମ୍ମଦ ଶାହା (ରାମ ସିଂହ) ସ୍ୱାମୀ ଆନନ୍ଦଗିରିଙ୍କ ମହାରାଜଙ୍କ ପାଖକୁ ଯାଇ ଧର୍ମ ପରିବର୍ତ୍ତନ କରିବାକୁ ନିଜର ତଥା ନିଜ ପରିବାର ସଦସ୍ୟ ଇଚ୍ଛା ସମ୍ପର୍କରେ କହିଥିଲେ । ମହମ୍ମଦ ଶାହା (ରାମ ସିଂହ) ଏବଂ ତାଙ୍କ ପରିବାର ସଦସ୍ୟମାନେ ଏବେ ନ୍ୟାୟାଳୟରେ ଏନେଇ ଶପଥପାଠ ଦାଖଲ କରିବା ସହ ହିନ୍ଦୁ ଧର୍ମ ମୁତାବିକ ଗ୍ରହଣ କରିଥିବା ନାମକରଣ ଅନୁସାରେ ନିଜ ସମସ୍ତ ପରିଚୟପତ୍ର ପ୍ରସ୍ତୁତ କରିବେ ବୋଲି କହିଛନ୍ତି । ସନାତନ ଧର୍ମ ଗ୍ରହଣ କରିବା ପରେ ରାମ ସିଂହ କହିଛନ୍ତି, ତାଙ୍କର ୩ ପୀଢ଼ି (ବଂଶଜ) ଇସଲାମ୍ ଧର୍ମ ଅନୁଗାମୀ ଥିଲେ । କିନ୍ତୁ ସେମାନଙ୍କ ପୂର୍ବଜ ବାସ୍ତବରେ ରାଜପୁତ୍ ଥିଲେ । ପରେ ସେମାନେ ପେଟପାଟଣା ପାଇଁ ଜଡିବୁଟି ପ୍ରସ୍ତୁତ କରିବା ସହ ତାବିଜ୍ (ଡେଉଁରିଆ) ଆଦି ପ୍ରସ୍ତୁତ କରିବା ଏବଂ ବୁଲି ବୁଲି ବିକ୍ରି କରିବା ଆରମ୍ଭ କରିଦେଇଥିଲେ । ଇସଲାମ୍ ଧର୍ମରେ ତାବିଜ୍ର ଚାହିଦା ଅଧିକ ରହୁଥିବାରୁ ସେତେବେଳେ ତାଙ୍କ ପୂର୍ବଜମାନେ ଇସଲାମ୍ ଧର୍ମ ଗ୍ରହଣ କରିନେଇଥିଲେ । ପ୍ରକାଶ, ୧୩ ଦିନ ପୂର୍ବେ ମନ୍ଦସୌର ଅଞ୍ଚଳରେ ଶେଖ୍ ଜାଫର ଶେଖ୍ ଏବଂ ତାଙ୍କ ବାପା ଗୁଲାମ ମୋଇନୁଦ୍ଦିନ୍ ଶେଖ୍ ମଧ୍ୟ ଇସଲାମ୍ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମକୁ ଆପଣାଇଥିଲେ । ଶେଖ୍ ଜାଫର ଏବେ ଚେତନ ସିଂହ ରାଜପୁତ୍ ନାମରେ ପରିଚିତ ହେଉଛନ୍ତି । ତାଙ୍କ ପତ୍ନୀ ପୂର୍ବରୁ ହିନ୍ଦୁ ଧର୍ମର ରହିଥିବା ବେଳେ ତାଙ୍କ ପୁରା ପରିବାର ଏବେ ହିନ୍ଦୁ ଧର୍ମ ଅର୍ଥାତ୍ ସନାତନ ଧର୍ମ ଗ୍ରହଣ କରିଛନ୍ତି । ଉଭୟ ବାପା-ପୁଅ ଭଗବାନ ପଶୁପତିନାଥ ମନ୍ଦିର ପ୍ରାଙ୍ଗଣରେ ଧର୍ମ ପରିବର୍ତ୍ତନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *