ହାତୀବେଶ ପ୍ରସ୍ତୁତି ଆରମ୍ଭ
୧୪ରେ ଦେବସ୍ନାନ ପୂର୍ଣ୍ଣିମା
ପୁରୀ (ବୁ୍ୟରୋ): ମଙ୍ଗଳବାର ଜ୍ୟେଷ୍ଠ ପୂର୍ଣ୍ଣିମା । ସ୍ନାନବେଦୀରେ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ଶ୍ରୀବିଗ୍ରହଙ୍କ ପାଇଁ ହାତୀ ବେଶ ପ୍ରସ୍ତୁତି ଜାରି ରହିଛି । କେତେବେଳେ କାଳିଆ ଠାକୁର ସ୍ନାନମଣ୍ଡପକୁ ବିଜେ କରି ସେହି ବେଶ ଧାରଣ କରିବେ । ପରମ୍ପରା ଅନୁଯାୟୀ, ରାଘବଦାସ ମଠ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କ ପାଇଁ ଏବଂ ଗୋପାଳତୀର୍ଥ ମଠ ଶ୍ରୀବଳଭଦ୍ର ଏବଂ ସୁଦର୍ଶନଙ୍କ ଲାଗି ହାତୀବେଶ ଯୋଗାଇଥାନ୍ତି । ଅକ୍ଷୟ ତୃତୀୟାରେ ଏହି ଦୁଇ ମଠରେ ବେଶ ନିର୍ମାଣ ଆରମ୍ଭ ହୋଇ କାର୍ଯ୍ୟ ଜାରି ରହିଛି । ଜରି କାରିଗର ବସନ୍ତ ମହାରଣା, ସତ୍ୟବାନ ବେହେରା ଓ ସନ୍ତୋଷ ମିଶ୍ର, ଦର୍ଜି ସେବକ ଲୋକନାଥ ମହାପାତ୍ର ଓ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଚିତ୍ରକର ସେବକ ମଙ୍ଗୁ ମହାପାତ୍ର ଏହି ବେଶ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି ।
ବେଶ କାରିଗର ବସନ୍ତ କୁହନ୍ତି, ଶ୍ରୀବଳଭଦ୍ରଙ୍କ ଧଳାହାତୀ ବେଶ ହୋଇଥିବା ବେଳେ ଶ୍ରୀଜଗନ୍ନାଥଙ୍କ କଳାହାତୀ ବେଶ ହୋଇଥାନ୍ତି । ହାଣ୍ଡିଆ, ତରାସ, ଆଡକାନି, ଚନ୍ଦ୍ର ସୂର୍ଯ୍ୟ, ଦୁଇଟି କାନ, ଫୋଡ଼, ଅଧର, ଦାନ୍ତ ଦୁଇଟି, ଚିତା, ନାକଚଣା ଏବଂ ତିଲକ ଆଦି ଲାଗି ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ହାତୀବେଶ ହୋଇଥାଏ । କିନ୍ତୁ ତରାସ, ଛତି, ତଡ଼କି, ଚିତା ଓ ନାକଚଣା ଆଦି ଆଭୂଷଣ ସୁଭଦ୍ରାଙ୍କୁ ଲାଗି ହୋଇଥିବାବେଳେ ସୁଦର୍ଶନଙ୍କ ଫୁଲ, ଚୂଳ, ନୀଳଚକ୍ର ଆଦି ଲାଗି ହୋଇଥାଏ । କନା, ଭେଲ୍ଭେଟ୍ କନା ଓ ସିଲ୍କି କନା, ଜରି, ସୋଲ, କଦଳୀ ଫାଟୁକା, ଜମ୍ବୁରା ଓ କଇଁଥ ଅଠା ଆଦି ବ୍ୟବହାର କରି ଏହି ବେଶ ପ୍ରସ୍ତୁତି ହୋଇଥାଏ । ଏହି ବେଶ ପ୍ରସ୍ତୁତି ଲାଗି ଧଳା, କଳା, ନାଲି, ହଳଦିଆ ଏବଂ ନେଳି ରଙ୍ଗର ପ୍ରାୟ ୨୦ରୁ ୩୦ ମିଟର କନା ଆବଶ୍ୟକ ହୋଇଥାଏ । ନୟାଗଡ଼ ଜିଲ୍ଲା ରଣପୁରରୁ କଦଳୀ ଫାଟୁକା ଅଣାଯାଇଥାଏ । ପ୍ରଥମେ କଦଳୀ ପଟରେ ଫ୍ରେମ ତିଆରି ହୋଇ ତା’ପରେ କନା, ଜରି, ଭେଲ୍ଭେଟ ଓ ଅନ୍ୟାନ୍ୟ ସାଜସଜ୍ଜା କରାଯାଇଥାଏ । ଦର୍ଜି, ଚିତ୍ରକାର ଓ ସୋଲ କାରିଗରଙ୍କ ସମେତ ଆଠଜଣ ମିଶି ଏହି ବେଶ ପ୍ରସ୍ତୁତି କରିଥାନ୍ତି । ହାତୀବେଶ ରଖିାଯିବା ନିମନ୍ତେ ବାଉଁଶ ପାତିଆରେ ସ୍ୱତନ୍ତ୍ର ଧରଣର ତାଟ ନିର୍ମିତ ହୋଇଛି । ଶ୍ରୀମନ୍ଦିରରୁ ଘଣ୍ଟ, ଓଲାର, କାହାଳୀ, ବଜନ୍ତରୀ ପ୍ରମୁଖ ମଠରେ ପହଞ୍ଚିବା ପରେ ତାଟରେ ବେଶ ରଖାଯାଇ ପଣା ଭୋଗ ହେବ । ଏହା ପରେ କାହାଳି, ଘଣ୍ଟ ଆଦି ବାଜି ବେଶ ଶ୍ରୀମନ୍ଦିରକୁ ଯିବ । ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନ ଓ ଛେରା ପହଁରା ନୀତି ସମ୍ପନ୍ନ ହେବା ପରେ ହାତୀବେଶ ଧାରଣ କରି ମହାପ୍ରଭୁ ଦର୍ଶନ ଦେବାର ପରମ୍ପରା ରହିଛି ।