ଦୋଷୀ ବଲିଉଲ୍ଲାହକୁ ଫାଶୀଦଣ୍ଡ
ବାରାଣସୀ (ଏଜେନ୍ସି): ଦୀର୍ଘ ୧୬ ବର୍ଷ ପରେ ଅର୍ଥାତ୍ ୨ଠଠ୬ ବାରାଣସୀ ସିରିଜ୍ ବୋମା ବିସ୍ଫୋରଣ ଘଟଣାର ରାୟ ପ୍ରକାଶ ପାଇଛି । ସୋମବାର ଦିନ ଗାଜିଆବାଦ କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ମୁଖ୍ୟ ଅଭିଯୁକ୍ତ ବଲିଉଲ୍ଲାହକୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି । ଜିଲ୍ଲା ଜଜ୍ ଜିତେନ୍ଦ୍ର କୁମାର ସିହ୍ନା ଅପରାହ୍ନ ପ୍ରାୟ ୩.୩ଠ ସମୟରେ ରାୟ ଶୁଣାଇଛନ୍ତି । ଭାରତୀୟ ଆଇନ୍ କାନୁନ ବ୍ୟବସ୍ଥାରେ ଢ଼ିଲାପଣ ଯୋଗୁ ଦୀର୍ଘ ୧୬ବର୍ଷ ଧରି ବଲିଉଲ୍ଲାହ ଆଜି ପର୍ଯ୍ୟନ୍ତ ଦଣ୍ଡାଦେଶରୁ ବଞ୍ଚô ଆସୁଥିଲା । ତେବେ ସୋମବାର ଶୁଣାଣି କାଳରେ ବିଚାରପତି ଶ୍ରୀ ସିହ୍ନା ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଦୋଷୀଙ୍କୁ ସେପର୍ଯ୍ୟନ୍ତ ଫାଶୀ ଖୁଣ୍ଟରେ ଝୁଲାଇ ରଖାଯିବ ଯେପର୍ଯ୍ୟନ୍ତ ତା’ର ମୃତୁ୍ୟ ହୋଇନଯାଇଛି । ସୋମବାର ରାୟ ପ୍ରକାଶ ପାଇବାକୁ ଥିବା ବେଳେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଥିଲା ।
ଡିଜିସି (ଜିଲ୍ଲା ଗଭର୍ଣ୍ଣାସ୍ ଅଧିବକ୍ତା-କ୍ରିମିନାଲ) ରାଜେନ୍ଦ୍ର ଚନ୍ଦ୍ର ଶର୍ମା ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୨ଠଠ୬ ମାର୍ଚ୍ଚ ୬ ତାରିଖ ଦିନ ବାରାଣସୀର ସଂକଟମୋଚନ ମନ୍ଦିର, ଦଶାଶ୍ୱମେଧ ଘାଟ ଏବଂ କ୍ୟାଣ୍ଟ ରେଲୱେ ଷ୍ଟେସନ୍ ଆଦି ଅଞ୍ଚଳରେ ଗୋଟିକ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଏହି ସିରିଜ୍ ବିସ୍ଫୋରଣରେ ମୋଟ ୧୮ଜଣଙ୍କ ମୃତୁ୍ୟ ହୋଇଥିଲା ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ । କେବଳ ସଂକଟମୋଚନ ମନ୍ଦିରରେ ହୋଇଥିବା ବିସ୍ଫୋରଣରେ ୭ଜଣଙ୍କ ମୃତୁ୍ୟ ହୋଇଥିଲା ଏବଂ ୨୬ଜଣ ଆହତ ହୋଇଥିଲେ । ତେବେ ଏହି ମାମଲାରେ ମୋଟ୍ ୪୭ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣ ବଲିଉଲ୍ଲାହ ବିପକ୍ଷରେ ରହିଥିଲା । ତଦନ୍ତ ରିପୋର୍ଟ ଏବଂ ସାକ୍ଷ୍ୟ ପ୍ରମାଣକୁ ଦୃଷ୍ଟିରେ ରଖି ଜିଲ୍ଲା କୋର୍ଟ ଅଭିଯୁକ୍ତ ବଲିଉଲ୍ଲାହକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଦ୍ୱିତୀୟ ମାମଲା ଭାବେ ଦଶାଶ୍ୱମେଧ ଘାଟରେ ହୋଇଥିବା ବୋମା ବିସ୍ଫୋରଣ ଉପରେ ମଧ୍ୟ କୋର୍ଟ ଶୁଣାଣି କରିଛନ୍ତି । ବିସ୍ଫୋରକ ସାମଗ୍ରୀ ଅଧିନିୟମ ଧାରା ୩/ ୪/ ୫ ଅନ୍ତର୍ଗତ ବଲିଉଲ୍ଲହକୁ ୧ଠ-୧ଠ ବର୍ଷ ଜେଲଦଣ୍ଡ ଦିଆଯାଇଛି । ଯେତେବେଳେ କି ୟୁଏପିଏ (ଅନ୍ଲ’ଫୁଲ୍ ଆକ୍ଟିଭିଟିଜ୍ (ପି୍ରଭେନ୍ସନ୍) ଆକ୍ଟ) ଅନ୍ତର୍ଗତ ବଲିଉଲ୍ଲାହକୁ ଆଜୀବନ କାରାଦଣ୍ଡ ପ୍ରଦାନ କରାଯାଇଛି ।
ରାଜେନ୍ଦ୍ର ଶର୍ମାଙ୍କ କହିବାନୁସାରେ ଏହି ସିରିଜ୍ ବିସ୍ଫୋରଣ ଘଟଣାର ଠିକ୍ ମାସକ ପରେ ଅର୍ଥାତ୍ ୫ ଏପ୍ରିଲ୍ ୨ଠଠ୬ରେ ପ୍ରୟାଗରାଜ ଜିଲ୍ଲାର ଫୁଲପୁର ଗ୍ରାମର ସ୍ଥାୟୀ ବାସିନ୍ଦା ବଲିଉଲ୍ଲାହକୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା । ଆହ୍ଲାବାଦ୍ ହାଇକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ସେତେବେଳେ ଏହି ମାମଲାର ଶୁଣାଣି ପ୍ରକ୍ରିୟା ବାରାଣସୀରୁ ଗାଜିଆବାଦ୍ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ଘଟଣାରେ ବଲିଉଲ୍ଲାହର ଅନ୍ୟ ୩ ପ୍ରମୁଖ ସହଯୋଗୀ ସାଜିଥିବା ମୁସ୍ତକିମ୍, ଜାକରିଆ ଏବଂ ଶମିମ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇପାରିନାହିଁ । ଏମାନେ ସମସ୍ତେ ଉତ୍ତରପ୍ରଦେଶର ସ୍ଥାୟୀ ନାଗରିକ । ତେବେ ଏହି ୩ଜଣ ବିସ୍ଫୋରଣ ପରେ ପରେ ହିଁ ବାଂଲାଦେଶ ରାସ୍ତା ଦେଇ ପାକିସ୍ତାନ ପଳାଇଥିବା ଅନୁମାନ କରାଯାଉଛି । ପେଶାରେ ଜଣେ କାଠ ବେପାରୀ ଥିବା ବଲିଉଲ୍ଲାହ ପରବର୍ତ୍ତୀ ସମୟରେ ଏକ ମସଜିଦ୍ରେ ଇମାମ୍ ଭାବେ କାମ କରିଥିଲା । ପରେ ସେ ଦେଶଦ୍ରୋହ କାର୍ଯ୍ୟ ସହ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ହୋଇଥିଲା ।