ଅବ୍ୟବସ୍ଥାରେ ରେଙ୍ଗାଳି ବାମପାଶ୍ୱର୍ ଉଠାଜଳସେଚନ ପ୍ରକଳ୍ପ
ଠକିଦେଲେ ବିଭାଗୀୟ ଅଧିକାରୀ
କାମାକ୍ଷାନଗର (ଆପ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ରେଙ୍ଗାଳୀ ବାମ ପାଶ୍ୱର୍ କେନାଲ ଉପରେ ନିର୍ମାଣ କରାଯାଇଥିବା ଉଠାଜଳସେଚନ ପ୍ରକଳ୍ପ ଅବ୍ୟବସ୍ଥା ଦେଇ ଗତିକରୁଛି । ସରକାରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ହରିଲୁଟ ହେଉଛି । ବିଭାଗୀୟ ଦାୟୀତ୍ୱହୀନତା ଏବଂ ରକ୍ଷଣାବେକ୍ଷଣା ଅଭାବରୁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଏବଂ ପ୍ରକଳ୍ପ ନଷ୍ଟ ହୋଇଗଲାଣି । ହଜାର ହଜାର କୋଟି ଟଙ୍କା ବ୍ୟୟରେ ଏକର ଏକର ଚାଷ ଜମି ଉପରେ ନିର୍ମାଣ ହୋଇଛି ରେଙ୍ଗାଳୀ ବାମ ପାଶ୍ୱର୍ କେନାଲ । ୧୯୯୭-୯୮ ମସିହାରେ ନିର୍ମାଣ ହୋଇଥିବା ଏହି କେନାଲ ବର୍ତ୍ତମାନ ସୁଦ୍ଧା ଅସମ୍ପୁର୍ଣ୍ଣ ଭାବରେ ପଡି ରହିଛି । ତଥାପି କେନାଲରେ ବର୍ଷର ଅଧିକାଂଶ ସମୟରେ ଜଳ ଯୋଗାଣ ହେଉଛି । ନଦୀର ଜଳ ନଦୀରେ ମିଶି ଯାଉଛି କିନ୍ତୁ କୃଷି କିମ୍ବା କୃଷକର କୌଣସି କାର୍ଯ୍ୟରେ ଲାଗି ପାରୁ ନାହିଁ । କୃଷିର ସୁବିଧା ପାଇଁ ପରଜଙ୍ଗ ଏବଂ କାମାକ୍ଷାନଗର ବ୍ଲକ୍ରେ ଉଠାଜଳସେଚନ ପ୍ରକଳ୍ପ ପାଇଁ ୧୯ ଟି ପ୍ରକଳ୍ପ ନିର୍ମାଣ ହୋଇଛି । ନିର୍ମାଣ ପରଠାରୁ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁ ନ ଥିବା ବେଳେ କାର୍ଯ୍ୟାଳୟ କେବଳ କାଗଜ କଲମରେ ଚାଲୁ୍ଥିବାର ଜଣାପଡିଛି । ଚାଷୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ବିଭାଗୀୟ ଅଧିକାରୀ ମାନେ ଚାଷୀଙ୍କୁ ଠକିବାରେ ଲାଗିଛନ୍ତି । ଏହି ପ୍ରକଳ୍ପ ଗୁଡିକରେ ବିଦୁ୍ୟତ୍ ଟ୍ରାନସ୍ଫରମର ନ ଥିବା ବେଳେ ପାଇପ କିମ୍ବା ମୋଟର ନାହିଁ । ଘର ଗୁଡିକରୁ ମେସିନ ଗାଏବ ହୋଇଯାଇଥିବା ବେଳେ, ପ୍ୟାନେଲ ବୋର୍ଡ ସହିତ ଅନେକ ବିଦୁ୍ୟତ୍ ସାମଗ୍ରୀ ମଧ୍ୟ ଗାଏବ ଅଛିି । ଏପରିକି ଝରକା କବାଟ ଗୁଡିକ ନଷ୍ଟ ହୋଇଯାଇଛି । ସରକାରୀ ବାବୁ ମାନେ ପ୍ରକଳ୍ପ ଉପରେ ଧ୍ୟାନ ଦେଇ ନ ଥିବା ବେଳେ କେନାଲରୁ ଜଳ ପ୍ରବାହ ଥିଲେ ମଧ୍ୟ ଜମିହାରା ଚାଷୀ ମାନଙ୍କ ପାଇଁ ଜଳସେଚନ ହୋଇପାରୁନାହିଁ । ମୌସୁମୀର ଅନିଶ୍ଚିତତା ସମୟରେ ହଜାର ହଜାର ଚାଷୀଙ୍କ ଜମି ପଡିଆ ପଡୁଛି । ଉଭୟ ଖରିଫ ଏବଂ ରବି ଋତୁରେ ଚାଷ ଜମିକୁ ଜଳ ସେଚନ ପାଇଁ କାର୍ଯ୍ୟ କେବଳ କାଗଜ କଲମରେ ଚାଲୁଛି । ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ସେ କହୁଛନ୍ତି ୧୯ ଟି ପ୍ରକଳ୍ପରୁ ୧୭ ଟି ଅଚଳ ହୋଇପଡିଛି ଓ ଅନ୍ୟ ଦୁଇଟି କାଗଜ କଲମରେ ଚାଲିଛି । ଦୀର୍ଘ ୨୫ ବର୍ଷ ଧରି ବିଭାଗୀୟ ଅଧିକାରୀ ମାନେ ଜଳସେଚନ ନାମରେ ଚାଷୀ ମାନଙ୍କୁ ଠକିବା ସହିତ ବିନା କାରଣରେ ଜଳ କର ମଧ୍ୟ ଆଦାୟ ହେଉଥିବାର ଜଣାପଡିଛି । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଦେବା ସହ ଏହା ତିବ୍ର ରୂପ ନେବାରେ ଲାଗିଛି । ଏଥି ପ୍ରତି ସରକାର ଦୃଷ୍ଟି ଦେବାକୁ ଚାଷୀ ଦାବୀ କରିଛନ୍ତି ।